ଓଡ଼ିଶାରେ ଆର୍ଥିକ ଆଧାରିତ ୧୦% ସଂରକ୍ଷଣ ତୁରନ୍ତ ଲାଗୁ କରିବା ଦାବି ନେଇ ବିଧାନସଭା ସମ୍ମୁଖରେ ଧାରଣା

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ବର୍ଷ ଫେବୃୟାରୀ ପହିଲାରୁ ଗରିବ ସାଧାରଣବର୍ଗ ପିଲାମାନଙ୍କ ପାଇଁ ଆର୍ଥିକ ଭିତ୍ତିରେ ଲାଗୁ କରାଯାଇଥିବା ୧୦% ସଂରକ୍ଷଣ ଏପର୍ଯ୍ୟନ୍ତ ଓଡ଼ିଶାରେ ନିଯୁକ୍ତି କ୍ଷେତ୍ରରେ ଲାଗୁ ହୋଇନାହିଁ । ଏଥିପାଇଁ ଦୀର୍ଘଦିନ ଧରି ଦାବି କରି ଆସୁଥିବା କ୍ରାନ୍ତିବୀର ଫାଉଣ୍ଡେସନ ଏବଂ ଓଡ଼ିଶା ଆର୍ଥିକ ଦୁର୍ବଳ ଶ୍ରେଣୀ ମଞ୍ଚ ପକ୍ଷରୁ ଆଜି ବିଧାନସଭା ସମ୍ମୁଖରେ ଧାରଣା ଦିଆଯାଇଛି । ଓଡ଼ିଶା ସରକାର ଚଳିତ ବିଧାନସଭା ସତ୍ରରେ ଏହି ଆର୍ଥିକ ଆଧାରିତ ୧୦% ଆରକ୍ଷଣକୁ ତୁରନ୍ତ ଲାଗୁ କରିବା ପାଇଁ ଘୋଷଣା କରିବାକୁ ମଞ୍ଚର ସଭାପତି ଶ୍ରୀଯୁକ୍ତ କୁଳମଣି ମିଶ୍ର ସରକାରଙ୍କୁ ଆହ୍ୱାନ କରିଛନ୍ତି । ଏ ବିଷୟ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ଜରିଆରେ ସ୍ୱର ଉତ୍ତୋଳନ କଲାପରେ ବି ରାଜ୍ୟ ସରକାର କର୍ଣ୍ଣପାତ କରୁନାହାଁନ୍ତି ବୋଲି ସେ ଅତ୍ୟନ୍ତ କ୍ଷୋଭର ସହିତ କହିଛନ୍ତି । ନିଜକୁ ଗରିବ ଲୋକଙ୍କ ପାଇଁ ଏକ ଉତ୍ସର୍ଗୀକୃତ ସରକାର ବୋଲି ଡ଼ିଣ୍ଡିମ ପିଟୁଥିବା ରାଜ୍ୟ ସରକାର କାହିଁକି ଏଭଳି କରୁଛନ୍ତି ମଧ୍ୟ ବୁଝାପଡ଼ୁନାହିଁ ବୋଲି କହିଛନ୍ତି ମଞ୍ଚର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡଃ ଯୁଧିଷ୍ଠିର ଖଟୁଆ । ଗରିବ ସାଧାରଣବର୍ଗର ପିଲାମାନଙ୍କୁ କେନ୍ଦ୍ରୀୟ ସହାୟତା ପାଇଁ ଆବଶ୍ୟକୀୟ ପ୍ରମାଣପତ୍ର ଦେବାରେ ରାଜ୍ୟ ସରକାର କୁଣ୍ଠିତ ହେଉଥିବାରୁ ତହସିଲ୍ କାର୍ଯ୍ୟାଳୟ ମଧ୍ୟ ଢିଲା ମାରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଅନ୍ୱେଷଶ ଭଳି ଅନେକ ଜାତିଭିତ୍ତିକ ଯୋଜନାଗୁଡ଼ିକୁ ରାଜ୍ୟ ସରକାର ଯେମିତି ଢୋଲ ପିଟି ପ୍ରଚାର କରୁଛନ୍ତି ଆର୍ଥିକ ଭିତ୍ତିରେ ଦିଆଯାଉଥିବା ଇ.ଡବ୍ଲୁ.ଏସ୍‌. ଯୋଜନା ପାଇଁ ସେଭଳି ଆଗ୍ରହ ନଦେଖାଇବା ଯୋଗୁ ଏଭଳି ଏକ ସୁନ୍ଦର ଯୋଜନା ବିଷୟରେ ଗ୍ରାମାଞ୍ଚଳରେ ପିଲାମାନେ ଜାଣିପାରି ନାହାଁନ୍ତି । ଏଣୁ ରାଜ୍ୟ ସରକାର ଏ ସମ୍ପର୍କରେ ଅଧିକ ସେଚତନତା ସୃଷ୍ଟି ପାଇଁ ସ୍ୱତନ୍ତ୍ର ଭାବରେ ଧ୍ୟାନ ଦେବା ପାଇଁ ସେ ଅନୁରୋଧ କରିଛନ୍ତି । ଇ.ଡବ୍ଲୁ.ଏସ୍ ପ୍ରମାଣପତ୍ର ପାଇଁ କେନ୍ଦ୍ର ସରକାର ଜମିଜମା ଏବଂ ଘରବାରି ନେଇ ଯେଉଁ କିଛି ଅଯୌକ୍ତିକ ସର୍ତ୍ତାବଳୀ ରଖିଛନ୍ତି ତାହାର ସମାଧାନ ମଧ୍ୟ ରାଜ୍ୟ ସରକାରଙ୍କ ହାତରେ ରହିଛି । କିନ୍ତୁ କୌଣସି ପକ୍ଷ ଏ ସମ୍ପର୍କରେ ହିତାଧିକାରୀଙ୍କ ସହ ସମ୍ପର୍କ ରଖୁନଥିବା ଯୋଗୁଁ ଯୋଜନାଗୁଡ଼ିକ ଲୋକାଭିମୁଖୀ ହୋଇପାରୁନି ଏବଂ ଆମକୁ ରାଜରାସ୍ତାରେ ଆସି ଧାରଣା ଦେବାକୁ ପଡ଼ୁଛି ବୋଲି ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି କ୍ରାନ୍ତିବୀର ଫାଉଣ୍ଡେସନର ପ୍ରମୁଖ ସଦସ୍ୟ ଇଂ ଦୀପକ ଜେନା । ମୋ ସରକାର, ୫-ଟି ମାଧ୍ୟମରେ ସରକାର ନିଜର ଜନମଙ୍ଗଳ ଆଭିମୁଖ୍ୟର ଜୋରଦାର ପ୍ରଚାର ଚଳାଇଥିବା ବେଳେ ଏ କ୍ଷେତ୍ରରେ କାହିଁକି ପଛୁଆ ବୋଲି ସେ ପ୍ରଶ୍ନ କରିଛନ୍ତି । ଏସବୁ ସମସ୍ୟାର ସମାଧାନ ପାଇଁ ସରକାର ଲୋକମାନଙ୍କ ସଂସ୍ପର୍ଶରେ ଆସିବାକୁ ସେ ଅନୁରୋଧ କରିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଡଃ କୈଳାସ ଚନ୍ଦ୍ର ବିଶ୍ୱାଳ, ଉଦ୍ଧବ କର, ଯୁବ ସାମାଜିକ କର୍ମୀ ଶୁଭ୍ରଜିତ ଦାଶ, ପ୍ରକାଶ ମାଝୀ, ରଣଜିତ ଧଳ, ଶଭ୍ରାଂଶୁ ଶେଖର ପାତ୍ର, ଆଶିଷ ଲେଙ୍କା, ମୁକେଶ ବସ୍ତିଆ, ଦୋଳଗୋବିନ୍ଦ ସାମଲ, ଆଡାଭୋକେଟ ଦେବାଶିଷ ମିଶ୍ର, ବିସ୍ମୟ ଦାଶ, ସଞ୍ଜୀବ କୁମାର ମିଶ୍ର, ଦୀନବନ୍ଧୁ ଷଡ଼ଙ୍ଗୀ, ଦେବେନ୍ଦ୍ର ଦାସ, ସୁକାନ୍ତ କୁମାର ମହାନ୍ତି, ସୁବ୍ରତ ଶର୍ମା, ଅନିକେତ ମହାପାତ୍ର, ମହିଳା ସାମାଜିକ କର୍ମୀ ବନଜାବାସିନୀ ତ୍ରିପାଠୀ, ପ୍ରତୀକ୍ଷା ମହାପାତ୍ର, ଲିନୁ ମିଶ୍ର, ବିନ୍ଦୁଜା ଉପାଧ୍ୟାୟ, ଶୁଭଲକ୍ଷ୍ମୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ