ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଚମ୍ପୁଆ,(ଯୁଗାବ୍ଦ ନ୍ୟୁଜ୍‌): ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ବିଜୟ କୁମାର ଗିରିଙ୍କୁ କାର୍ଯ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀ ଗିରିଙ୍କର ପଦୋନ୍ନତି ହୋଇଥିବାବେଳେ ସେ କରଂଜିଆସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସ୍ପେଶାଲ ଅଫିସର୍ ଭାବେ କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଉକ୍ତ ସମ୍ବର୍ଦ୍ଧନା ସମାରୋହରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ଗିରି୨୦୧୮ ମସିହା ଜୁଲାଇ ୬ ତାରିଖରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହାସହ ଉପଖଣ୍ଡ ପଂଚାୟତ ଅଧିକାରୀ ଭାବେ ଦୀର୍ଘ ଦିନ କାର୍ଯ୍ୟ କରିଥିଲେ । ଏହାସହ ୨୦୧୯ ସାଧାରଣ ନିର୍ବାଚନ ସମୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହି ନିଷ୍ଠାର ସହ କାର୍ଯ୍ୟ କରିଥିଲେ । ଚମ୍ପୁଆ ଉପଖଣ୍ଡର ସମସ୍ତ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ ସହ ଉପଯୁକ୍ତ ସମନ୍ୱୟ ରଖି ନିଷ୍ଠାର ସହ କାର୍ଯ୍ୟ କରିବା ତାଙ୍କୁ ବେଶ୍ ଲୋକପ୍ରିୟ କରାଇଥିଲା । ଜଣେ ଦକ୍ଷ, ସଚ୍ଚୋଟ, କର୍ତବ୍ୟ ପରାୟଣ ସହ ବହୁ ଜନହିତକର କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଥିଲେ । ସେ ଦାୟିତ୍ୱ ଗ୍ରହଣ କରିବା ପରେ ଚମ୍ପୁଆ ଉପଖଣ୍ଡ ଅଧିନରେ ଥିବା ଆଶ୍ରମ ବିଦ୍ୟାଳୟଗୁଡ଼ିକା ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ ଏହାସହ ବିଦ୍ୟାଳୟଗୁଡ଼ିକରେ ସଂସ୍କାର ଆଣିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବିଭିନ୍ନ ବିଦ୍ୟାଳୟଗୁଡ଼ିକୁ ବାରମ୍ବାର ପରିଦର୍ଶନରେ ଯାଇ ଛାତ୍ରଛାତ୍ରୀମାନେ କିପରି ଭଲରେ ରହିବେ ଏବଂ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସୁବିଧା ସୁଯୋଗରୁ ଛାତ୍ରଛାତ୍ରୀମାନେ ଯେପରି ବଂଚିତ ନ ହୁଅନ୍ତି ସେଥିନିମନ୍ତେ ସଦାସର୍ବଦା ଚେଷ୍ଟିତ ଥିଲେ । ଉକ୍ତ ସମ୍ବର୍ଦ୍ଧନା ସମାରୋହରେ ଅତିରିକ୍ତ ତହସିଲଦାର ତଥା ସହକାରୀ ଜିଲ୍ଲାପାଳ ଲଳିତ କୁମାର ନାଏକ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟନ୍ତ କୁମାର ନାଏକ,ସେକ୍ସନ୍ ଅଫିସର ରାଜକିଶୋର ପଣ୍ଡା, ବରିଷ୍ଠ କର୍ମଚାରୀ ରାଜେନ୍ଦ୍ର ଦାଶଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ତାଙ୍କର କାର୍ଯ୍ୟଶୈଳୀ, ବ୍ୟକ୍ତିଗତ ଅନୁଭୂତି ସମ୍ପର୍କରେ ଉପସ୍ଥାପିତ କରିଥିଲେ । ଏହି ଅବସରରେ ସମସ୍ତ କର୍ମଚାରୀଗଣ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ