କପାଳୀକ୍ଷେତ୍ରରେ ପବିତ୍ର ଦୋଳପୂର୍ଣ୍ଣିମା ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିମାପଡା କପାଳୀକ୍ଷେତ୍ର ଠାରେ ପବିତ୍ର ଦୋଳପୂର୍ଣ୍ଣିମା ଓ ରାଧାକୃଷ୍ଣ ମେଳନ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ପତିତପାବନ ଅଭିରାମ ପରମହଂସ ରାଧାକୃଷ୍ଣ ଜୀଉ ମଠ ପକ୍ଷରୁ ପ୍ରତିବର୍ଷ ପରି ଆୟୋଜିତ ଦୋଳମେଲଣରେ ଆଖପାଖ ୧୭ ଗ୍ରାମରୁ ସୁସଜ୍ଜିତ ରାଧାକୃଷ୍ଣ ବିମାନ ସାମିଲ ହୋଇଥିଲେ । ବିଭିନ୍ନ ଗ୍ରାମରୁ ବିମାନ ସବୁ ଆସିଥିଲା । ଭକ୍ତ ମାନେ ବାଦ୍ୟ ସଂକୀର୍ତ୍ତନ ସହ ବିମାନ ଗୁଡିକୁ କାନ୍ଧେଇ ଜଗନ୍ନାଥ ମନ୍ଦିର ଓ ମଠ ପରିକ୍ରମା କରିବା ପରେ ମେଲଣସ୍ଥଳ ମଣ୍ଡପରେ ରଖାଯାଇଥିଲା । ଏହି ଅବସରରେ ମଠ ପକ୍ଷରୁ ମେଲଣ ସ୍ଥଳରେ ୩ ଦିନ ଧରି ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନର ଆୟୋଜନ କରାଯାଇଥିଲା । ଦୋଳପୂର୍ଣ୍ଣିମାର ପାରମ୍ପରିକ ଲଉଡି ଖେଳର ମଧ୍ୟ ଆୟୋଜନ କରାଯାଇଥିଲା । ମଠର ତତ୍ତ୍ୱାବଧାରକ ରବିନ୍ଦ୍ର କରଙ୍କ ପ୍ରୟାସରେ ଗତ ୨୬ ବର୍ଷ ଧରି ଆୟୋଜିତ ହୋଇଆସୁଥିବା ଦୋଳମେଲଣରେ ସ୍ଥାନୀୟ ଗ୍ରାମବାସୀ ଓ ଆଖପାଖ ଗ୍ରାମର ଶ୍ରଦ୍ଧାଳୁ ମାନେ ଯୋଗ ଦେଇଛନ୍ତି । ଦୋଳପୂର୍ଣ୍ଣିମା ଅବସରରେ ନିମାପଡା ଗ୍ରାମର ଗ୍ରାମଦେବତୀ ମା’ଥାନପତିଙ୍କ ପୀଠରେ ଗ୍ରାମବାସୀଙ୍କ ପକ୍ଷରୁ ଯଜ୍ଞର ଆୟୋଜନ କରାଯାଇଥିଲା ।


