କରୋନା ନିରାକରଣକୁ ନେଇ ଆକଳନ
ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନାର କଳା ବାଦଲ ଛାଇଯାଇଛି । କେବେ ବିଶ୍ୱ ହେବ ସମ୍ପୂର୍ଣ୍ଣ କରୋନା ମୁକ୍ତ ? କେବେ ଭାରତ ହେବ କରୋନା ମୁକ୍ତ ? ଏବେ ସମସ୍ତଙ୍କୁ ସେଇ ଚିନ୍ତା ଘାରିଛି । ତେବେ ବିଶେଷଜ୍ଞମାନେ ବିଭିନ୍ନ ତଥ୍ୟ ଆଧାରରେ ଅନୁଶୀଳନ କରି କେବେ ଭାରତ, କେବେ ବିଶ୍ୱ କରୋନା ମୁକ୍ତ ହେବ ସେନେଇ ତାରିଖ ବି ଧାର୍ଯ୍ୟ କରିଛନ୍ତି । ବ୍ୟକ୍ତିଗତ ସ୍ତରରେ ସଚେତନତା ବୃଦ୍ଧି, ସରକାରଙ୍କ ଦ୍ୱାରା ଲକଡାଉନ, ସଟଡାଉନ ଓ ସାନିଟାଇଜେସନ ବ୍ୟବସ୍ଥା, ମାସ୍କର ବ୍ୟବହାର, ସାନିଟାଇଜର ଓ ସାବୁନ ଦ୍ୱାରା ହାତ ପରିଷ୍କାର ଭଳି ବ୍ୟବସ୍ଥାକୁ ଆପଣାଇନେବା ଓ ଅନ୍ୟ କେତେକ ପରିସଂଖ୍ୟାନକୁ ଭିତ୍ତି କରି ଏଭଳି ଆକଳନ କରାଯାଇଛି ।
ସିଙ୍ଗାପୁର ବିଶ୍ୱବିଦ୍ୟାଳୟର ଅଧ୍ୟୟନ ଅନୁଯାୟୀ, ମେ’ ୨୧ ବେଳକୁ ଭାରତରେ କରୋନା ୯୭ ପ୍ରତିଶତ ଗାୟବ ହୋଇଯାଇଥିବ । ମେ’ ୩୧ ବେଳକୁ ତାହା ୯୯ ପ୍ରତିଶତରେ ପହଁଚିବ । ଜୁଲାଇ ୨୫ ବେଳକୁ ଭାରତ ସମ୍ପୂର୍ଣ୍ଣ କରୋନା ମୁକ୍ତ ହେବବୋଲି ଆକଳନ କରାଯାଇଛି । ତେବେ ଏହି ସମୟସାରଣୀ ପରିବର୍ତନଶୀଳ ବୋଲି କୁହାଯାଇଛି । ତେବେ ସାମ୍ପ୍ରତିକ ସ୍ଥିତି ଅନୁଯାୟୀ ଡିସେମ୍ବର ୮ରେ ହିଁ ବିଶ୍ୱ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଯିବ । ଯେତେବେଳେକି ଆମେରିକା ଅଗଷ୍ଟ ୨୬, ସିଙ୍ଗାପୁର ଅଗଷ୍ଟ ୭, ଇଟାଲୀ ଅଗଷ୍ଟ ୨୪, ବ୍ରିଟେନ ଅଗଷ୍ଟ ୧୩, ସ୍ପେନ ଅଗଷ୍ଟ ୬, ଫ୍ରାନ୍ସ ଅଗଷ୍ଟ ୪, ଜର୍ମାନୀ ଜୁଲାଇ ୩୧ ଓ ଜାପାନ ସେପ୍ଟେମ୍ବର ୨୫ ବେଳକୁ କରୋନା ମୁକ୍ତ ହୋଇଯିବ ବୋଲି ଆକଳନ କରାଯାଇଛି ।


