କରୋନା ଟୀକା ବର୍ଜନ କରିବେ ସ୍ୱାସ୍ଥ୍ୟ କର୍ମୀ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ସୁସ୍ଥ ଓ କରୋନା ମୁକ୍ତ ଓଡିଶା ପାଇଁ ରାଜ୍ୟର ପ୍ରାୟ ୧୫ହଜାର ସ୍ୱାସ୍ଥ୍ୟକର୍ମୀ ନିଷ୍ଠାପର ସହ କାର୍ଯ୍ୟ କରୁଥିଲେ ସୁଦ୍ଧା ସରକାର ସେମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ସ୍ୱାସ୍ଥ୍ୟକର୍ମୀ ମାନେ କରୋନା ଟୀକା ନେବେ ନାହିଁ ବୋଲି ରୋକଠୋକ ମନା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗ ଅଧିନ ତୃଣମୂଳ ସ୍ତରରେ ବହୁମୁଖି ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଓ ବହୁମୁଖି ସ୍ୱାସ୍ଥ୍ୟ ପରିଦର୍ଶକ ସହିତ ବହୁମୁଖି ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା କାର୍ଯ୍ୟ କରୁଛନ୍ତି । ସରକାରଙ୍କ ସମସ୍ତ ସ୍ୱାସ୍ଥ୍ୟ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ଏମାନଙ୍କ କାର୍ଯ୍ୟ ସର୍ବାଗ୍ରେ ରହିଛି । କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା କାର୍ଯ୍ୟରତ କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ସରକାରୀ କର୍ମଚାରୀ ମାନେ ଚାକିରି କାଳ ମଧ୍ୟରେ ୭ଗୋଟି ପଦୋନ୍ନତି ପାଉଥିବାବେଳେ ଏମାନଙ୍କୁ ମାତ୍ର ଗୋଟିଏ ଥର ପଦୋନ୍ନତି ଦିଆଯାଉଛି । ଦୀର୍ଘ ୧୦ବର୍ଷ ହେବ ଏମାନେ କାର୍ଯ୍ୟ କରୁଥିଲେ ସୁଦ୍ଧା ପଦବୀ ପରିବର୍ତ୍ତନ ସହିତ କ୍ୟାଡର ପରିବର୍ତ୍ତନ ହୋଇପାରୁନାହିଁ ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଛି । ତେଣୁ ସେମାନେ ଏସବୁ ଦାବି ପୂରଣ ପାଇଁ କରୋନା ଟୀକାକରଣ ସମୟରେ କାର୍ଯ୍ୟରେ ଯୋଗଦେବାକୁ କହିଥିବାବେଳେ ନିଜେ ଟୀକା ନେବାରୁ ନିବୃତ୍ତ ରହିବେ ବୋଲି ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ଜଣାଇଛନ୍ତି । ଅଲ ଓଡିଶା ମହାସଂଘ ପକ୍ଷରୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ପ୍ରାୟ ୫୦ଜଣ ମହିଳା ଓ ପୁରୁଷ କର୍ମଚାରୀ ଏସମ୍ପର୍କରେ ଗୋଷ୍ଠୀ ଚିକିତ୍ସାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ସୁପରଭାଇଜର ମନୋରଞ୍ଜନ ରାଉତ, ନବଘନ ଦାସ, ରବିପ୍ରସାଦ ବେହେରା, ଶରତ କୁମାର ସାହୁ, ଉଷାବତୀ ଦାସ, ଅଜୟ କୁମାର ଜେନା, ସୁମିତ୍ରା ସୂତାର, ପ୍ରମିଳା ରାଉତ, ଧନୁଞ୍ଜୟ ସାମଲ, ନିରୂପମା ଜେନା, ସୁକାନ୍ତି ବାରିକ, ସ୍ୱର୍ଣ୍ଣଲତା ବାରିକ, ରୁଦ୍ରନାରାୟଣ କବି, ଅନିତା ଜେନା, ବାଦଲ ମହାପାତ୍ର ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।


