କରୋନା ସମୟରେ ଓଡିଶାରେ ଆରଏସ୍ଏସ୍ ଦ୍ୱାରା ୩୦୬୨ ସ୍ଥାନରେ ସେବାକାର୍ଯ୍ୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କରୋନା ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ତରଫରୁ ସ୍ୱଂୟସେବକମାନେ ସେବା ଭାରତୀ ତତ୍ୱାବଧାନରେ ଏବଂ ଉତ୍କଳ ବିପନ୍ନ ସହାୟତା ସମିତି ମାଧ୍ୟମରେ ରାଜ୍ୟର ୩୦୬୨ ସ୍ଥାନରେ ସେବାକାର୍ଯ୍ୟ କରିଥିଲେ । ଏହି ସେବାକାର୍ଯ୍ୟରେ ୭୭୪୯ କାର୍ଯ୍ୟକର୍ତା ସାମିଲ ଥିଲେ । ସ୍ୱୟଂସେବକମାନଙ୍କ ଦ୍ୱାରା ୩୨,୯୬୭ ରାସନ କିଟ୍, ୧,୮୨,୮୧୫ ଲୋକଙ୍କୁ ଖାଦ୍ୟ ପ୍ୟାକେଟ୍,୧,୯୦,୩୦୫ମାସ୍କ ବଂଟନ କରାଯାଇଥିଲା । ୧୨୭ ଷ୍ଟେ ହୋମରେ ସହାୟତା, ୨୦,୫୦୪ ପ୍ରବାସୀଙ୍କୁ ସହୟତା, ୭୪୪ ୟୁନିଟ ରକ୍ତଦାନ, ୯୨,୬୦୦ ଜଣଙ୍କୁ କାଢା ବିତାରଣ କରାଯାଇଥିଲା । ୧୩୯୫ ଯାଜାବର ଲୋକଙ୍କୁ ସହାୟତା, ୨୧ଟି ଭୋଜନ ବିତରଣ କେନ୍ଦ୍ର ମାଧ୍ୟମରେ ୨୬,୯୮୩ ମଜଦୁରୁଙ୍କୁ ସହାୟତା, ୨୪ ଟି କେନ୍ଦ୍ର ମାଧ୍ୟମରେ ୧୭,୨୬୬ ଜଣ ବସ୍ ଓ ରେଳ ଯାତ୍ରୀମାନଙ୍କୁ ସହାୟତା ପ୍ରଦାନ କରାଯାଇଛି । ସେହିପରି ସାରା ଭାରତ ବର୍ଷରେ ସେବା ଭାରତୀ ମାଧ୍ୟମରେ ଦେଶର ୯୨,୬୫୬ ସ୍ଥାନରେ ସେବା କାର୍ଯ୍ୟ ହୋଇଥିଲା । ଯେଉଁଥିରେ ୫,୬୦,୦୦୦ କାର୍ଯ୍ୟକର୍ତା ସକ୍ରିୟ ଥିଲେ, ୭୩ ଲକ୍ଷ ରାସନ କିଟ୍ ବଂଟନ କରାଯାଇଥିଲା, ୪.୫ କୋଟି ଲୋକଙ୍କୁ ଖାଦ୍ୟ ପ୍ୟାକେଟ୍ ବଂଟନ କରାଯାଇଥିଲା,୯୦ ଲକ୍ଷ ମାସ୍କ ବଂଟନ କରାଯାଇଥିଲା, ୨୦ ଲକ୍ଷ ପ୍ରବାସୀମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ୨.୫ ଲକ୍ଷ ଯାଜାବର ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ସ୍ୱୟଂସେବକମାନେ ୬୦ ହଜାର ୟୁନିଟ ରକ୍ତଦାନ କରିଥିଲେ ବୋଲି ଆରଏସ୍ଏସ୍ ଓଡିଶା ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । ଆଉ ମଧ୍ୟ ସୂଚନା ଦିଆଯାଇଛି ଯେ, ବେଙ୍ଗାଲୁରରେ ମାର୍ଚ୍ଚ ୧୯ ଓ ୨୦ ଦୁଇ ଦିନ ଧରି ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ଓଡିଶାରୁ ୧୫ ଜଣ କାର୍ଯ୍ୟକର୍ତା ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିଥିବା ବେଳେ ଅନ୍ ଲାଇନ୍ ମାଧ୍ୟମରେ ୨୬ ଜଣ ଭାଗ ନେଇଥିଲେ । ୪୫୦ ଜଣ ନିର୍ବାଚିତ କେନ୍ଦ୍ରୀୟ ପ୍ରତିନିଧି ଏଥିରେ ଯୋଗ ଦେଇ ଥିଲେ । କରୋନା କାରଣରୁ ଅନ୍ୟ ୧୦୦୦ ସଦସ୍ୟ ୪୪ଟି ସ୍ଥାନରେ ଅନ୍ ଲାଇନ୍ ମାଧ୍ୟମରେ ଏହି ସଭାରେ ଭାଗନେଇଥିଲେ ।
ଚଳିତ ବର୍ଷ ବୈଠକରେ ସରକାର୍ଯ୍ୟବାହ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଦତାତ୍ରେୟ ହୋସୱାଲେ ସରକାର୍ଯ୍ୟବାହ ରୂପେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । କରୋନା ଅବଧିରେ ସମାଜର ସକ୍ରିୟ ଅଂଶଗ୍ରହଣ ଦ୍ୱାରା ଭାରତ ବିଶ୍ୱକୁ ଏକ ଉଦାହରଣ ଦେଇଥିଲା । ଭାରତ ମଧ୍ୟ ଟିକା ପ୍ରସ୍ତୁତ କରି ସାରା ବିଶ୍ୱକୁ ବିତରଣ କରିଛି । ଏହି ବିଷୟରେ ପ୍ରତିନିଧିସଭାରେ ଅଭିନନ୍ଦନ ପାଇଁ ମଧ୍ୟ ପ୍ରସ୍ତାବ ଆସିଥିଲା । ଶ୍ରାରାମ ମନ୍ଦିର ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । କରୋନା ଓ ଶ୍ରୀରାମ ମନ୍ଦିରକୁ ନେଇ ଚର୍ଚ୍ଚା ଆଲୋଚନା ହେବା ପରେ ଦୁଇଟି ପ୍ରସ୍ତାବ ମଧ୍ୟ ପାରିତ ହୋଇଛି ।
କୋଭିଡ ବଷୟରେ ପାରିତ ହୋଇଥିବା ପ୍ରସ୍ତାବରେ କୁହାଯାଇଛି ଯେ,କୋଭିଡ ମହାମାରୀ ସମୟରେ ସାରା ଭାରତ ଏକଜୁଟ ହୋଇ ଛିଡା ହୋଇଛି । ଏହି ସମୟ ମଧ୍ୟରେ ସମସ୍ତ ଆଗଧାଡିର କର୍ମଚାରୀ ନିଜର ଦାୟିତ୍ୱ ସୁଚାରୂ ରୂପେ ତୁଲାଇ ଥିଲେ । ଦେଶ ଏବଂ ବିଶ୍ୱ ଶୀଘ୍ର ଏହି ସମସ୍ୟାରୁ ମୁକ୍ତି ପାଇବ ବୋଲି ପ୍ରତିନିଧି ସଭା ଆଶାକରେ । ଭେଂଟିଲେଟର, ପିପିକିଟ୍ , କରୋନା ପରୀକ୍ଷଣ ପ୍ରଣାଳୀର ଉପଲବ୍ଧି ଓ ଓ ସୁଲଭ ଦାମରେ ସ୍ୱଦେଶୀ କରୋନା ଟିକା ବିକାଶ ତଥା ଉତ୍ପାଦନ ମାଧ୍ୟମରେ ଭାରତ ଏହି ବିପର୍ଯ୍ୟୟକୁ ଏକ ସୁଯୋଗରେ ପରିଣତ କରିବାରେ ସକ୍ଷମ ହୋଇଛି । ଅଖିଳ ଭାରତୀୟ ପ୍ରତିନିଧି ସଭାର ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ଭାରତୀୟ ସମାଜ ଦୃଢତାର ସହିତ ଏହି ମହାମାରୀ ପ୍ରଭାବରୁ ମୁକ୍ତ ହୋଇ ଯଥାଶୀଘ୍ର ସାଧାରଣ ଭାବରେ ଜୀବନ ଯାପନ କରିବ ।
ଶ୍ରୀରାମ ମନ୍ଦିରକୁ ନେଇ ପାରିତ ହୋଇଥିବା ପ୍ରସ୍ତାବ ଉପରେ କୁହାଯାଇଛି ଯେ,ଶ୍ରୀରାମ ଜନ୍ମଭୂମିରେ ମାନନୀୟ ସୁପ୍ରିମ କୋର୍ଟଙ୍କ ଦ୍ୱାରା ସର୍ବସମ୍ମତ ନିର୍ଣ୍ଣୟ ପରେ ଶ୍ରୀରାମ ଜନ୍ମଭୂମି ଉପରେ ମନ୍ଦିର ନିର୍ମାଣ ପାଇଁ ଏକ ସାର୍ବଜନିକ ନ୍ୟାସ ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’ ଗଠନ କରାଯାଇଛି । ଯେତେବେଳେ ଏହି ନ୍ୟାସ ନିଧି ସମର୍ପଣ ଅଭିଯାନ ଆରମ୍ଭ କଲା ସେ ସମୟରେ ସଂଘର ସ୍ୱୟଂସେବକେମାନେ ସହଯୋଗ କରିଥିଲେ । ଏହି ଅଭିଯାନ ପ୍ରମାଣ କରିଛି ଯେ ଶ୍ରୀରାମଙ୍କ ସହ ଭାରତରେ ରହୁଥିବା ଲୋକମାନେ କିପରି ଜଡିତ । ସମାଜର ସମସ୍ତ ବର୍ଗ ଏବଂ ଭିନ୍ନ ମତ ପନ୍ଥ ଏହି ଅଭିଯାନରେ ସହଭାଗି ହୋଇଛନ୍ତି । ଗ୍ରାମବାସୀ, ନଗରବାସୀ, ବନବାସୀ ଏବଂ ଗିରିବାସୀ ମାନଙ୍କର ବୈଭବଶାଳୀ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ସାଧାରଣ ଗରିବ ଜନତା ପର୍ଯ୍ୟନ୍ତ ସମସ୍ତେ ମିଶି ଏହି ଅଭିଯାନକୁ ସଫଳ କରିବା ନିମନ୍ତେ ସଂପୂର୍ଣ୍ଣ ଭାବରେ ନିଜ ନିଜର ସହଯୋଗ ପ୍ରଦାନ କରିଛନ୍ତି । ଏହି ଅସାଧାରଣ ଉତ୍ସାହ ଓ ଆକୁଣ୍ଠସହଯୋଗ ପାଇଁ ପ୍ରତିନିଧି ସଭା ସମସ୍ତ ରାମଭକ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି । ନିଧି ସମର୍ପଣ ଅଭିଯାନ ଏକ ଜନ ସଂପର୍କ ଅଭିଯାନରେ ପରିଣତ ହୋଇଥିଲା । ଏହି ଅଭିଯାନରେ ସାରା ଦେଶରେ ସ୍ୱୟଂସେବକମାନେ ୫,୪୫,୭୩୭ ସ୍ଥାନରେ ପହଂଚିଥିଲେ ଏବଂ ପ୍ରାୟ ୨୦ ଲକ୍ଷ କାର୍ଯ୍ୟକର୍ତା ଏହି ସଂପର୍କ ଅଭିଯାନରେ ଲାଗିଥିଲେ । ଏହି ଅଭିଯାନ ମାଧ୍ୟମରେ ସ୍ୱୟଂସେବକମାନେ ଦେଶର ୧୨,୪୭,୨୧,୦୦୦ ପରିବାରରେ ପହଁଚି ସଂପର୍କ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ସମାଜରେ ଆଧ୍ୟାତ୍ମିକ ଜାଗରଣ, ରାଷ୍ଟ୍ରୀୟ ଏକତା, ସମାଜିକ ସମରସତା ଏବଂ ସଦଭାବ ତଥା ସମର୍ପଣର ବିକାଶ ହେବା ସହିତ ଦେଶର ଅନ୍ତର୍ନିହିତ ଶକ୍ତି ଜାଗ୍ରତ ହୋଇ ପାରିଛି । କରୋନା ସମୟରେ ଶାଖା ବନ୍ଦ ଥିଲା, କିନ୍ତୁ ସଂଘର ସ୍ୱୟଂସେବକମାନେ ସକ୍ରିୟ ଥିଲେ । କରୋନା କଟକଣା ଉଠିବା ପରେ ଭାରତରେ ୭୪,୦୦୦ ସଂଘ ଶାଖା ଚାଲୁଅଛି । ଓଡିଶାରେ ମଧ୍ୟ ୧୫୬୫ଟି ଶାଖା ଲାଗୁଛି । ବର୍ତମାନ ପରିବାର ପ୍ରବୋଧନ, ଗୋ ସେବା, ପର୍ଯ୍ୟାବରଣ ସୁରକ୍ଷା ଏବଂ ସାମାଜିକ ସମରସତା ଗତିବିଧି ଆଦି କାର୍ଯ୍ୟକ୍ରମ ଚାଲୁଅଛି । ଆଗାମୀ ସମୟରେ ଗ୍ରାମ ବିକାଶ ଏବଂ ଜୈବିକ କୃଷି ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ କାମ ଆରମ୍ଭ କରାଯିବ । ୧୩ ଅପ୍ରେଲରେ ସଂଘ ଭୂମି ସୁପୋଷଣ (ଭୁମି ପୁଷ୍ଟିକର) ଅଭିଯାନ ଆରମ୍ଭ କରିବାକୁ ଯାଉଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଓଡିଶା ପୂର୍ବ ପ୍ରାନ୍ତର ସଂଘଚାଳକ ସମୀର କୁମାର ମହାନ୍ତି,ସହ ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ଓ ଭାରତର ପୂର୍ବକ୍ଷେତ୍ର କାର୍ଯ୍ୟବାହ ଗୋପାଳ ପ୍ରସାଦ ମହାପାତ୍ର ଉପସ୍ଥିତ ଥିଲେ ।


