ମହାତ୍ମାଙ୍କ ଓଡିଶା ଆଗମନର ଶତବାର୍ଷକୀ ଅବସରରେ “ଗାନ୍ଧୀଙ୍କ ଓଡିଶା” ନାଟକ ମଞ୍ଚସ୍ଥ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ଅବସରରେ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ଓଡିଶା ସଂଗୀତ ନାଟକ ଏକାଡେମୀ ଆନୁକୁଲ୍ୟରେ ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ ଆର୍ଟସର କଳାକାର ମାନେ ପରିବେଷଣ କରିଥିଲେ “ଗାନ୍ଧୀ ଙ୍କ ଓଡିଶା” । ସ୍ଥାନୀୟ ଟାଉନ୍ ହଲ୍ ଠାରେ ପରିବେଷଣ ହୋଇଥିବା ନାଟକକୁ ଶଙ୍କର ତ୍ରିପାଠୀ ରଚନା କରିଥିବା ବେଳେ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ନିର୍ଦ୍ଦେଶନା ଓ ମନୋଜ କୁମାର ପାଢୀ (ମୁନ୍ନା) ସହନିର୍ଦ୍ଦେଶନାରେ ପ୍ରଦର୍ଶିତ ନାଟକକୁ ଦର୍ଶକ ମାନେ ଭରପୁର ଉପଭୋଗ କରିଥିଲେ । ଗାନ୍ଧୀ ଙ୍କ ଓଡିଶାର ବିଭିନ୍ନ ଅଞ୍ଚଳ ଗସ୍ତକୁ ନେଇ ଚର୍ଚ୍ଚିତ ଏହି ନାଟକରେ ପାରଳାଖେମୁଣ୍ଡିର ବରିଷ୍ଠ ତଥା ପ୍ରତିଷ୍ଠିତ ଓ ଯୁବ କଳାକାରମାନେ ମିଳିତ ଭାବେ ଅଭିନୟ କରି ନିଜ ନିଜର ପ୍ରତିଭା ପ୍ରଦର୍ଶିତ କରିଥିଲେ । ସେମାନେ ହେଲେ ଏମ୍.ପୃଥିବୀରାଜ, ମନୋଜ କୁମାର ପାଢୀ(ମୁନ୍ନା), ହିମାଂଶୁ ପଟ୍ଟନାୟକ, ଶୁଭ୍ରାଂଶୁ ପଟ୍ଟନାୟକ, ରଜତ ପାତ୍ର, ଆଦର୍ଶ ଦାସ, ମନୋଜ ପାଢୀ, ହର ତ୍ରିପାଠୀ, ହରିହର ପଟ୍ଟନାୟକ, ସୁଜିତ୍ ପାଣିଗ୍ରହାୀ, ଅମୂଲ୍ୟ ପାଣିଗ୍ରାହୀ, ମାତାଙ୍ଗିନୀ ଗୁରୁ, ଇନ୍ଦିରା ପଟ୍ଟନାୟକ, ଜନଭୀ ଜେନା, କୁନା ହଳଧର, ଜ୍ଞାନ ଦାସ, ରାଜେନ୍ଦ୍ର ପଣ୍ଡା, ସୁକୁମାର ମିଶ୍ର ପ୍ରମୁଖ । ନାଟକର ସଂଗୀତ ନିର୍ଦ୍ଦେଶନା ଗୁରୁ ରଘୁନାଥ ପାତ୍ର ଦେଇଥିବା ବେଳେ ବ୍ରହ୍ମପୁରର ଭୈରବୀ ଚିତ୍ରାଳୟ ରୂପଶଯ୍ୟା କରିଥିଲେ । ନାଟକ ପୂର୍ବ ଉଦ୍ଘାଟନ ସଭାରେ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ତ୍ରିପାଠୀ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଯୋଗ ଦେଇ ଗାନ୍ଧୀ ଙ୍କ ଓଡିଶା ଆଗମନର ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳା ପୌରପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ, କ୍ରିଏଟିଭ୍ ଆର୍ଟସର ସଭାପତି ନୃସିଂହ ଚରଣ ପଟ୍ଟନାୟକ, ସାହିତ୍ୟିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତଥିଲେ ।


