କର୍ମଚାରୀ ଅଭାବରୁ ଡାକ ସେବାରୁ ବଞ୍ଚିତ ଗ୍ରାହକ

ପୋଲସରା, (ଅନିଲ କୁମାର ମହାରଣା):ଗଂଜାମ ଜିଲ୍ଲା ପୋଲସରା ସହରରେ ଉପ ଡାକଘର ଥିବା ବେଳେ ଅଭିଜ୍ଞ କର୍ମଚାରୀ ଅଭାବରୁ ଗ୍ରାହକମାନେ ସନ୍ତୋଷ ଜନକ ଡାକସେବା ପାଇପାରୁ ନାହାଁନ୍ତି । ପୋଲସରାର ଉଭୟ ବ୍ଲକ ଓ ଏନ୍ଏସି ର ୨ ଲକ୍ଷରୁ ଉର୍ଦ୍ଧ୍ବ ଜନସାଧାରଣ ଏହି ବହୁ ପୁରାତନ ଉପ ଡାକଘର ଉପରେ ନିର୍ଭର କରିଥାନ୍ତି। ଆଜକୁ ପ୍ରାୟ ଦୀର୍ଘ ୭ ବର୍ଷ ଧରି ପୋଲସରାର ଉପ ଡାକଘରେ ସ୍ଥାୟୀ ପୋଷ୍ଟ ମାଷ୍ଟର ନାହାଁନ୍ତି। ୨୦୧୫ ମସିହାରୁ କମ୍ ସଂଖ୍ୟକ କର୍ମଚାରୀ ନେଇ ଉପ ଡାକଘର ଚାଲୁ ରହିଥିବା ବେଳେ ଅନେକ ପଦବୀ ଖାଲି ପଡ଼ିଛି । ଯାହା ଫଳରେ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇପାରୁ ନଥିବା ଗ୍ରାହକମାନେ ପ୍ରକାଶ କରିଛନ୍ତି। ଡାକ ବିଭାଗ ପୋଲସରାରୁ ଜଣେ ଦକ୍ଷତା ସଂମ୍ପର୍ଣ୍ଣ କର୍ମଚାରୀଙ୍କୁ ଡେପୁଟେସନରେ ସୁମଣ୍ଡଳ ଡାକଘରକୁ ପଠାଗଲା । ଆଉ ତାଙ୍କରି ସ୍ଥାନରେ ଛତ୍ରପୁରରୁ ଡେପୁଟେସନରେ ଏକ ଅନ୍ୟ ଜଣେ କର୍ମଚାରୀଙ୍କୁ ଆଣାଗଲା। ସେହିଦିନ ଠାରୁ ଲୋକଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଲା। ପୋଲସରା ସହରର ଏହି ପ୍ରମୁଖ ଉପ ଡାକଘରେ ପ୍ରାୟ ୨୧ ହଜାରରୁ ଉର୍ଦ୍ଧ୍ବ ଜମାକାରୀଙ୍କ ଖାତା ରହିଛି। କର୍ମଚାରୀ ଅଭାବ ସାଙ୍ଗକୁ ସ୍ଥାୟୀ ପୋଷ୍ଟ ମାଷ୍ଟ ନଥିବା ଯୋଗୁଁ ସମସ୍ତ କାର୍ଯ୍ୟ ମନ୍ଥର ହୋଇଯାଉଛି। ଗ୍ରାହକ ଡାକ ସେବା ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବାକୁ ପଡୁଛି। ପୂର୍ବରୁ ପୋଲସରା ଉପ ଡାକଘର ବହୁ ସୁନାମ ଅର୍ଜନ କରିଥିବା ବେଳେ ଆଜି କାହିଁକି ଏହିପରି ଦୟନୀୟ ବୋଲି ପ୍ରଶ୍ନ କରିଛନ୍ତି ଜମାକାରୀ ? ଏହି ଉପଡ଼ାକଘର ଅଧୀନରେ ୧୫ ଗୋଟି ବ୍ରାଞ୍ଚ ଡାକଘର ପ୍ରତିଷ୍ଠା ହୋଇଛି। ସେହି ଶାଖା ଡାକଘର ଗୁଡିକରେ ମଧ୍ୟ ଆବଶ୍ୟକ କର୍ମଚାରୀ ଅଭାବ ରହିଥିବା ଜଣାପଡିଛି। ଗୋଟିଏ ପଟେ ସରକାର ପୋଷ୍ଟ ଅଫିସରେ ଜନମଙ୍ଗଳ ଯୋଜନାର ଓ ଆଧୁନିକ ଡିଜିଟାଲ ସଂପର୍କିତ ସମସ୍ତ କାର୍ଯ୍ୟକ୍ରମ ହାତକୁ ନେଇଛି । ସେପଟେ କିନ୍ତୁ ଡାକଘରେ କର୍ମଚାରୀଙ୍କ ମରୁଡ଼ି ନେଇ ସ୍ଥିତି ଦିନକୁ ଦିନ ନିୟନ୍ତ୍ରଣ ବାହେରେ ରହୁଥିବା ଚିତ୍ର ସାମ୍ନାକୁ ଆସୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ