କଲେଜରୁ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ନ ପାଇ ଜିଲାପାଳଙ୍କୁ ଛାତ୍ରଛାତ୍ରୀଙ୍କ ଫେରାଦ
ବାଲେଶ୍ୱର, (ସରୋଜ ପଣ୍ଡା):୨୦୧୯ ମସିହାରୁ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବା ପରେ ବି ବାଲେଶ୍ୱରର ଏକ ପ୍ରମୁଖ ଇଂଜିନିୟରିଂ କଲେଜରୁ ପ୍ରମାଣପତ୍ର (ସାର୍ଟିଫିକେଟ) ନପାଇ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ଅଭିଯୋଗ କ୍ରମେ କଲେଜର ସମସ୍ତ ପ୍ରାପ୍ୟ ପ୍ରଦାନ ପରେ ୨୦୧୯ ମସିହାରେ ସେମାନେ ପରୀକ୍ଷା ଦେଇଥିଲେ । ସଫଳତାର ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ସେମାନଙ୍କୁ ଅଦ୍ୟାବଧି ସାଟିର୍ଫିକେଟ ମିଳି ନଥିବା ଛାତ୍ରଛାତ୍ରୀମାନେ କହିଛନ୍ତି ।ଏନେଇ କଲେଜକୁ ବାରମ୍ବାର ଦୌଡ଼ିବା ପରେ ସେମାନେ ଅଗଷ୍ଟ ୨୬ ତାରିଖରେ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟାଳୟ ଘେରାଓ କରିଥିଲେ । ସେପ୍ଟେମ୍ବର ମାସ ୩୦ ତାରିଖରେ ସାର୍ଟିଫିକେଟ ପ୍ରଦାନ ନେଇ ସେତେବେଳେ ଅନୁଷ୍ଠାନର ଚୟାରମ୍ୟାନ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏବେ ଚେୟାରମ୍ୟାନଙ୍କୁ ଖୋଜି ଖୋଜି ନୟାନ୍ତ ହୋଇଥିଲେ ବି ସାର୍ଟିଫିକେଟ କେବେ ମିଳିବ ସେ ସମ୍ପର୍କରେ କଲେଜ କର୍ମଚାରୀମାନେ କିଛି କହୁ ନଥିବା ଛାତ୍ରଛାତ୍ରୀମାନେ ଜିଲାପାଳଙ୍କୁ ଅବଗତ କରିଛନ୍ତି । ଏନେଇ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ଛାତ୍ରଛାତ୍ରୀମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏନେଇ ଛାତ୍ରଛାତ୍ରୀମାନେ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।


