ଏଫଏମୟୁରେ ଜାତୀୟ ସ୍ତରୀୟ ଆଲୋଚନାଚକ୍ର
ବାଲେଶ୍ୱର, (ସରୋଜ ପଣ୍ଡା):ଫକୀର ମୋହନ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆଭାସି ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଅଛି । “ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ଉଚ୍ଚଶିକ୍ଷାର ରୂପାନ୍ତରଣ’ ଶୀର୍ଷକ ଏହି ଆଲୋଚନାଚକ୍ରକୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରୀପାଠୀ ଉଦଘାଟନ କରିବା ସହିତ ଜାତୀୟ ଶିକ୍ଷା ନୀତିର ରୂପରେଖ ଓ ତା’ର ସଫଳ ରୂପାୟନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଆଲୋଚନାଚକ୍ରରେ ସ୍ନାତକୋତ୍ତର ପରିଷଦର ଅଧକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଜାତୀୟ ଶିକ୍ଷା ନୀତି ୨୦୨୦ ଉପରେ ଆଲୋକପାତ କରିଥିଲେ । ପ୍ରଥମ ଅଧିବେଶନରେ ବିଭାଗର ମୁଖ୍ୟ ଡ. ଅମୂଲ୍ୟ କୁମାର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ । ମହାରାଷ୍ଟ୍ରର ମହାତ୍ମା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ହିନ୍ଦୀ ବିଶ୍ୱବିଦ୍ୟାଳୟ, ଶିକ୍ଷା ବିଭାଗ ପ୍ରଫେସର ଗୋପାଳ କୃଷ୍ଣ ଠାକୁର ଓ ଜାମ୍ମୁ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ ପ୍ରଫେସର ରାଜୀବ ରତନ ଶର୍ମା ଏଥିରେ ବିଶେଷ ବକ୍ତାଭାବେ ଯୋଗଦେଇ ଶିକ୍ଷା ଓ ଗବେଷଣା ସମ୍ପର୍କରେ ପୁଙ୍ଖାନୁପଙ୍ଖ ଆଲୋଚନା କରିଥିଲେ । ଡ଼. ଜ୍ୟୋତି ଶଙ୍କର ପ୍ରଧାନ ଏହି ଆଲୋଚନାଚକ୍ରରେ ଅତିଥିଙ୍କ ପରିଚୟ ପ୍ରଦାନ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ପ୍ରାଧ୍ୟାପକ ଡ. ପ୍ରତିମା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


