ଗ୍ରାମ ରୋଜଗାର ସେବକଙ୍କ ବେଆଇନ କାର୍ଯ୍ୟକୁ ନେଇ ସରପଞ୍ଚଙ୍କ ଆପତ୍ତି
ବାଲେଶ୍ୱର, (ସରୋଜ ପଣ୍ଡା): ଗ୍ରାମ ରୋଜଗାର ସେବକ (ଜିଆରଏସ)ଙ୍କ ବେଆଇନ କାର୍ଯ୍ୟଧାରାକୁ ନେଇ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସମେତ ବାସୁଚକୁରାଇ ଗ୍ରାମର ବହୁ ସଚେତନ ବ୍ୟକ୍ତି ମଙ୍ଗଳବାର ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି । ନୂଆକରି ଗଠିତ ହୋଇଥିବା ଏହି ପଞ୍ଚାୟତର ଜିଆରଏସ ଦୀପକ କୁମାର ରାଉତ ବିଭିନ୍ନ ପ୍ରକାର ଦୁର୍ନୀତିରେ ଲିପ୍ତ ରହିବା ସହ ସରକାରୀ ଅର୍ଥ ଆତ୍ମସାତ କରି ଚାଲିଥିବା ନେଇ ପଞ୍ଚାୟତ ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି । ବିଶେଷ କରି ପତ୍ନୀଙ୍କ ନାମରେ ମିଥ୍ୟା ଆଧାରକାର୍ଡ଼ କରି ମୋ ବଗିଚା ଅର୍ଥ ହଡ଼ପ, ନିଜ ସମ୍ପର୍କୀୟଙ୍କ ନାମରେ ଜବକାର୍ଡ଼ କରି ନରେଗା ଯୋଜନା ଅର୍ଥ ଉଠାଇବା, ଆବସ ଯୋଜନା ହିତାଧିକାରୀଙ୍କ ନରେଗା ଅର୍ଥ ୧୫ହଜାର ଟଙ୍କାରୁ ଅଧାରୁ ଅଧିକ ନେଇଯିବା ସରପଞ୍ଚ ଓ ସମିତି ସଭ୍ୟ ଆପତ୍ତି ଉଠାଇଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ଅଭିଯୁକ୍ତ ଜିଆରଏସଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି । ଏନେଇ ସେମାନେ ଅତିରିକ୍ତ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ ବେଳେ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଦାସ, ସମିତି ସଭ୍ୟ ଶମ୍ଭୁନାଥ ସିଂଙ୍କ ସମେତ ବିଶେଶ୍ୱର ରଣା, ସୁଧାଂଶୁ ଶେଖର ଜେନା ପ୍ରମୁଖ ଉପସ୍ଥ୍ିତ ଥିଲେ ।


