କାନପୁର ଜଳସେଚନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପକ୍ଷରୁ ବିସ୍ଥାପିତଙ୍କୁ ନୋଟିସ୍ ନିରାଶରେ ଘରକୁ ଫେରିଲେ ବିସ୍ଥାପିତ ଗ୍ରାମବାସୀ
ଯୋଡ଼ା (ଯୁ୍ଗାଦ୍ଦ) ଯୋଡା ବ୍ଲକ ଅନ୍ତର୍ଗତ ବାସୁଦେବପୁରଠାରେ ଥିବା କାନପୁର ବୃହତ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟର ପୁନଃ ବସତି ଓ ଥଇଥାନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପକ୍ଷରୁ ନୋଟିସ ଦିଆଯାଇ ବିସ୍ଥାପିତ ମାନଙ୍କୁ ଡକାଇ ଧାର୍ଯ୍ୟ ତାରିଖରେ ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟରେ ରହିନଥିବାରୁ ବିସ୍ଥାପିତ ଗ୍ରାମବାସୀମାନେ ନିରାଶରେ ଘରକୁ ଫେରିଛନ୍ତି । ଧାର୍ଯ୍ୟ ତାରିଖ ତଥା ମଙ୍ଗଳବାର ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟରେ ରହିନଥିବାରୁ ଥାଇଥାନ କାଗଜପତ୍ର ଜମା କରିବା ପାଇଁ ଆସିଥିବା ବିସ୍ଥାପିତ ଗ୍ରାମବାସୀମାନେ ହଟହଟା ହୋଇଥିଲେ ଏବଂ ଶେଷରେ ନିରାଶରେ ଘରକୁ ଫେରିଯାଇଥିଲେ । ବିସ୍ଥାପିତ ଗ୍ରାମବାସୀଙ୍କ ସୂଚନାନୁଯାୟୀ , କାନପୁର ପ୍ରକଳ୍ପର ଦଡୁଆଁ ଗ୍ରାମବାସୀମାନଙ୍କୁ ଏହି କାର୍ଯ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପକ୍ଷରୁ ଚିଠି ନଂ ୪୪ ରେ ଗତ ୩୧/୦୧/୨୦୨୦ ରେ ଏକ ନୋଟିସ ଦିଆଯାଇଥିଲା । ଉକ୍ତ ନୋଟିସରେ ଓଡିଶା ବିସ୍ଥାପନ ଓ ଥଇଥାନ ନୀତି ୨୦୦୬ ଅନୁଯାୟୀ ବେସରକାରୀ ଜମିରେ ବସବାସ କରୁଥିବା ଯେଉଁ ଗ୍ରାମବାସୀମାନେ ବିସ୍ଥାପିତ ଆର୍ଥିକ ସହାୟତା ରାଶି ପାଇବାରୁ ବଂଚିତ ହୋଇଥିବେ ସେମାନେ ତା ୧୧/୦୨/୨୦୨୦ ରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ବିସ୍ଥାପିତଙ୍କ ରାସନ କାର୍ଡ ,ଭୋଟର କାର୍ଡ, ଆଧାର କାର୍ଡ , ଅଧିଗୃହିତ ଜମିର ପଟା, ଘରର କ୍ଷତିପୂରଣ ପାଇଥିବା ନୋଟିସ୍ , କ୍ଷତିପୂରଣ ରାଶି ଗ୍ରହଣ କରିଥିବା ଅପଡେଟ୍ ବ୍ୟାଙ୍କ ପାସ୍ ବୁକ୍ , ବୟସ ପ୍ରମାଣ ପତ୍ର ଇତ୍ୟାଦି , ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଶିବିରରେ ଦାଖଲ କରିବେ । ବିସ୍ଥାପିତଙ୍କ ତଦନ୍ତ କରାଯିବା ନିମନ୍ତେ କାର୍ଯ୍ୟ ଦିବସରେ ଉପସ୍ଥିତ ରହି ତଦନ୍ତ ପ୍ରକ୍ରିୟାରେ ସହ ଯୋଗ କରିବେ ଏବଂ ତଦନ୍ତ ପ୍ରକ୍ରିୟାରେ ସହ ଯୋଗ ନକରି ପରେ ଆପତି କଲେ ବିଚାରକୁ ନିଆଯିବ ନାହିଁ ବୋଲି ଉକ୍ତ ନୋଟିସ୍ ରେ କଡା ଚେତାବନୀ ଦିଆଯାଇଥିଲା । ବିସ୍ଥାପିତ ସହାୟତା ରାଶି ପାଇବାରୁ ବଂଚିତ ହୋଇଥିବା ୫୦ରୁ ଉର୍ଦ୍ଧ୍ୱ ବିସ୍ଥାପିତ ଦଡୁଆଁ ଗ୍ରାମବାସୀମାନେ ନୋଟିସ୍ ମୁତାବକ ମଙ୍ଗଳବାର ପୂର୍ବାହ୍ନ ୧୧ ଘଟିକା ସମୟରେ ଉକ୍ତ କାର୍ଯ୍ୟାଳୟକୁ ଯାଇଥିଲେ ହେଁ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସେଠାରେ ଦେଖାମିଳିନଥିଲା । ଦିନ ପ୍ରାୟ ୨ ଘଟିକା ପର୍ଯ୍ୟନ୍ତ ଅନ୍ୟ କୌଣସି ଅଧିକାରୀମାନେ କାର୍ଯ୍ୟାଳୟକୁ ଆସିନଥିଲେ । ଯାହାଫଳରେ ବିସ୍ଥାପିତମାନେ ଭୋକ ଉପାସରେ ହଟ୍ଟହଟା ହୋଇଥିଲେ । ଏନେଇ କାନପୁର ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମହେଶ କୁମାର ଭୂୟାଁଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ପ୍ରାୟ ଅଢେଇ ଘଂଟା ବ୍ୟବଧାନରେ ଜୋନ୍ ଅଧିକାରୀ ଆସି ତରବରିଆ ଭାବେ କେତେଜଣ ବିସ୍ଥାପିତଙ୍କଠାରୁ କାଗଜପତ୍ର ନେଇ ଅନ୍ୟ ବିସ୍ଥାପିତଙ୍କୁ ଫେରାଇ ଦେଇଥିବା ବିସ୍ଥାପିତ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଉକ୍ତ ସମୟରେ ନୋଟିସ୍ ଜାରି କରିଥିବା ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟରେ ଦେଖା ନମିଳିଥିବାରୁ କୌଣସି ନ୍ୟାୟ ନପାଇ ବିସ୍ଥାପିତ ଗ୍ରାମବାସୀ ମାନେ ନିରାଶରେ ଘରକୁ ଫେରିଥିଲେ ।


