କାର୍ତ୍ତିକ ପୂର୍ଣ୍ଣିମା ପାଇଁ କରୋନା ମହାମାରୀକୁ ଆଖି ଆଗରେ ରଖି ବିଭିନ୍ନ ଦେବା ଦେବୀ ମନ୍ଦିରରେ ୧୪୪ ଧାରା ଜାରି
ଜଗତସିଂହପୁର, (ଅନସୂୟା ରାଉତ): ଆଜି ଜଗତସିଂହପୁର ଜିଲ୍ଲାପାଳ ସରୋଜ କୁମାର ମିଶ୍ର କରୋନା ମହାମାରୀ ଦାଉରୁ ନିଜ ଜିଲ୍ଲା ବାସୀଙ୍କୁ ସୁରକ୍ଷା ଦେବାପାଇଁ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ବିଭିନ୍ନ ଦେବା ଦେବୀ ମନ୍ଦିରରେ ୧୪୪ ଧାରା ଜାରିକରିଛନ୍ତି । ଏହି ଧର୍ମ ମାସ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଶ୍ରଦ୍ଧାଳୁ ମନ୍ଦିର ଓ ବିଭିନ୍ନ ଧର୍ମପିଠରେ ଦେବ ଦର୍ଶନ କରି କାର୍ତ୍ତିକ ମାସର ଶେଷରେ ପୂଣ୍ୟ ଅର୍ଜନ କରିଥାନ୍ତି । ଜନଗହଳି ଓ କରୋନା ସଂକ୍ରମଣ ଯୋଗୁ ଚଳିତ ବର୍ଷ ଦଶହରା ସମୟରେ ଜଗତସିଂହପୁରର ସମସ୍ତ ପୂଜା ମଣ୍ଡପରେ କଟକଣା ଲାଗୁ ହୋଇଥିଲା । ଏବେ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ନଭେମ୍ବର ୨୮ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ପ୍ରମୁଖ ଦେବା ଦେବୀଙ୍କ ପୀଠରେ କଟକଣା ଜାରି କରାଯାଇଛି। ୪ଜଣ ଲୋକରୁ କୌଣସି ଧର୍ମ ପୀଠରେ ଅଧିକ ଲୋକ ଏକାଠି ହେଲେ ସେମାନଙ୍କ ପ୍ରତି ଦଣ୍ଡ ବିଧାନ କରାଯିବ । ସେହି ଧର୍ମ ପୀଠ ମଧ୍ୟରେ ମା ଶାରଳାଙ୍କ ମନ୍ଦିର, ପାରାଦ୍ଵୀପ ଜଗନ୍ନାଥ ମନ୍ଦିର, ଗଡ କୁଜଙ୍ଗ ଜଗନ୍ନାଥ ମନ୍ଦିର, ସରବନ୍ତ ଜଗନ୍ନାଥ ମନ୍ଦିର, ଶ୍ରୀବୃନ୍ଦାବନଜୀଉ ମନ୍ଦିର ଗୋଡା, ଗ୍ରାମେଶ୍ବର ମନ୍ଦିର ପଞ୍ଚପଲୀ, ଗାରୋଈ ଜଗନ୍ନାଥ ମନ୍ଦିର, ଧ୍ଯାନକୁଦ ଜଗନ୍ନାଥ ମନ୍ଦିର,ସିଦ୍ଧଳ ଜଗନ୍ନାଥ ମନ୍ଦିର, ସୋମନାଥ ମହାଦେବ ମନ୍ଦିର ହାଟବଜାର ପ୍ରଭୃତି ସ୍ଥାନରେ ଜଗତସିଂହପୁର ଜିଲ୍ଲା ମାଜିଷ୍ଟ୍ରେଟ ୧୪୪ଧାରା ଲାଗୁକରିଛନ୍ତି । ପୂର୍ବରୁ ମଧ୍ୟ ରାଜ୍ୟ ସରକାର ବିଭିନ୍ନ ଭିଡକୁ ଦୃଷ୍ଟିରେ ରଖି ଡଙ୍ଗା ଭସା ପ୍ରତି କଟକଣା ଜାରି କରାଯାଇଛି । ବୁଦ୍ଧିଜୀବୀ ମହଲରେ ଏହାକୁ ସ୍ବାଗତ କରାଯାଇଛି ।


