ଭାରତକୁ ବିଶ୍ୱ ଅର୍ଥନୈତିକ ଫୋରମ୍‌ର ପ୍ରଶଂସା

ନୂଆଦିଲ୍ଲୀ: କରୋନାର ମୁକାବିଲା ଲାଗି ଭାରତ ଆଗୁଆ ଯେଉଁଭଳି ତତ୍ପରତା ଦେଖାଇଥିଲା ତାହାକୁ ବିଶ୍ବ ଅର୍ଥନୈତିକ ଫୋରମ୍ (ଡବ୍ଲୁଇଏଫ୍)ର ଅଧ୍ୟକ୍ଷ କ୍ଲସ୍‌ ସ୍ବାବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ବିଶ୍ବ ଏଜେଣ୍ଡାକୁ ଆଗକୁ ବଢ଼ାଇ ତାହାକୁ ଏକ ଆକାର ପ୍ରଦାନ କରିବାର ଶକ୍ତି ଭାରତ ପାଖରେ ରହିଛି। କରୋନା ମହାମାରୀକୁ ଏହା ବହୁତ ଭଲ ଭାବେ ପରିଚାଳନା କରିଛି। ଏବେ ଡିଜିଟାଲ୍ ଓ ନିରନ୍ତର ଅର୍ଥନୀତି କ୍ଷେତ୍ର‌ରେ ବଡ଼ ଧରଣର ଲମ୍ଫ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଭାରତରେ ପାଖରେ ଜନସଂଖ୍ୟାର ଲାଭ ରହିଥିବା ବେଳେ ଦେଶରେ ବିବିଧତା ମଧ୍ୟ ରହିଛି। ଏକ ଦୃଢ଼ ଓ ସମାଜତାର ଦେଶ ଗଠନ କରି ସାରା ଦୁନିଆ ପାଇଁ ଭାରତ ପ୍ରେରଣାର ଉତ୍ସ ହୋଇପାରିବ ବୋଲି ସେ କହିଛନ୍ତି । ୫୦ ବର୍ଷ ପୂର୍ବେ ଡବ୍ଲୁଇଏଫ୍‌କୁ ପ୍ରତିଷ୍ଠା କରିଥିବା ସ୍ବାବ୍ କହିଛନ୍ତି ଯେ କରୋନା ମୁକାବିଲା ଲାଗି ଭାରତ ଆଗୁଆ ପଦକ୍ଷେପ ଗ୍ରହଣ କରିଛି। ଶୀଘ୍ର ଲକ୍‌ଡାଉନ୍ ଲାଗୁ କରିବା ଠାରୁ ଆରମ୍ଭ କରି ୮୦ କୋଟି ଗରିବ ଲୋକଙ୍କୁ ଖାଦ୍ୟଶସ୍ୟ ଯୋଗାଇବା ଏବଂ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ବନ୍ଧକ ମୁକ୍ତ ଋଣ ପ୍ରଦାନ କରିବା କ୍ଷେତ୍ରରେ ଏହାର ପଦକ୍ଷେପ ବେଶ ଉଲ୍ଲେଖନୀୟ। ମାତ୍ର ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନିୟୁତାଧିକ ଶ୍ରମିକ, ପ୍ରବାସୀ ଶ୍ରମିକ ଏବଂ ଦିନ ମଜୁରିଆଙ୍କ ସୁରକ୍ଷାକୁ ଭାରତ ନିଶ୍ଚିତ କରିପାରିନାହିଁ। ସେମାନଙ୍କ ଜୀବନ ଓ ଜୀବିକାର ସୁରକ୍ଷା ଏବେ ସବୁଠୁ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ବର୍ତମାନ ଯେଉଁ ସ୍ବାସ୍ଥ୍ୟ ସଙ୍କଟ ଲାଗି ରହିଛି ସେହି ପରିପ୍ରେକ୍ଷୀରେ ଏହା ଏକ ବଡ଼ ମାନବିକ ସମସ୍ୟା ଭାବେ ଉଭା ହୋଇପାରେ ବୋଲି ଶ୍ରୀ ସ୍ବାବ୍ କହିଛନ୍ତି। ମହାମାରୀ ଏକ ବିରଳ ଘଟଣା ଯାହା ଶହ ଶହ ବର୍ଷରେ ଥରେ ଆସିଥାଏ। ଅନେକ ଦେଶ ଏଥିପାଇଁ ପ୍ରସ୍ତୁତ ନଥିବା ଚିନ୍ତାର ବିଷୟ। କରୋନ‌ା ମହାମାରୀକୁ ଯେତେ ଶୀଘ୍ର ଦୂର କରାଯିବ ତାହା ସେତେ ଭଲ ହେବ ବୋଲି ସ୍ବାବ୍ କହିଛନ୍ତି। ଆମ ସମସ୍ତଙ୍କୁ ଏକଜୁଟ ହେବାକୁ ପଡ଼ିବ ଏବଂ ଘରୋଇ ହେଉ କିମ୍ବା ସରକାରୀ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସହଯୋଗ କରିବାକୁ ପଡ଼ିବ। ମହାମାରୀ ପାଇଁ ପ୍ରସ୍ତୁତି କରିବାର ଦାୟିତ୍ବ ସରକାର ଏବଂ ସ୍ବାସ୍ଥ୍ୟ ସେବା ସଂସ୍ଥାଗୁଡ଼ିକର ବୋଲି ସେ କହିଛନ୍ତି। ଘରୋଇ କ୍ଷେତ୍ର ଉପରେ କମ୍ ଦାୟିତ୍ବ ରହିଛି। ତେଣୁ ଯେଉଁମାନେ ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ତା ଦାୟିତ୍ବରେ ରହିଛନ୍ତି ସେମା‌ନଙ୍କୁ ପର୍ଯ୍ୟାପ୍ତ ପରିମାଣର ମେଡିକାଲ୍ ସରଞ୍ଜାମ୍ ହସ୍ପିଟାଲ୍‌ଗୁଡ଼ିକରେ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ‌ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ