କୁସୁମୁଳିରେ ଆୟୁଷ ସ୍ୱାସ୍ଥ୍ୟମେଳା

ବାଲେଶ୍ୱର, (ସରୋଜ ପଣ୍ଡା) : ସଦର ବ୍ଲକ ଅନ୍ତର୍ଗତ କୁସୁମୁଳି ୟୁଜିଏମଇ ସ୍କୁଲରେ ଆୟୁଷ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଏହାକୁ ଉଦଘାଟନ କରିବା ସହ ଏହି ସ୍ୱାସ୍ଥ୍ୟମେଳା ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ । ଜିଲା ଆୟୁର୍ବେଦ ଚିକିତ୍ସାଧିକାରୀ ଡାକ୍ତର ଅଜୟ କୁମାର ସେଣ୍ଢଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ସମାଜସେବୀ ହିମାଂଶୁ ଶେଖର ଦାସ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଅଭିଭାଷଣ ରଖିଥିଲେ । ଜିଲା ହୋମିଓପାଥିକ ଚିକିତ୍ସାଧିକାରୀ ଡାକ୍ତର ପ୍ରେମଲତା ବେହେରା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ସଚେତନତା ସାଙ୍ଗକୁ ଔଷଧୀୟ ବୃକ୍ଷର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ରସାଳପୁରର ପୂର୍ବତନ ସରପଞ୍ଚ ଜୀବନକୃଷ୍ଣ ମହାପାତ୍ର, ସମାଜସେବୀ ଶ୍ରୀମନ୍ତ ନାଥ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏଥିରେ ଯୋଗ ଶିକ୍ଷକ ଦୀପ୍ତିକାନ୍ତ ମିଶ୍ର ଛାତ୍ରଛାତ୍ରୀଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଡାକ୍ତର ସ୍ୱରୂପ କୁମାର ପଟ୍ଟନାୟକ, ଡାକ୍ତର ରାଜୀବ କୁମାର ମାଝୀ, ଡାକ୍ତର ସବ୍ୟସାଚୀ ମଣ୍ଡଳ, ଡାକ୍ତର ସୟନ ମୁଜାମିଲ ଅଲି, ଡାକ୍ତର ଶ୍ୱେଲିନା ଜେନା ପ୍ରମୁଖ ଏହି ସ୍ୱାସ୍ଥ୍ୟମେଳାରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିରସରରେ ଅତିଥିମାନେ ଔଷଧୀୟ ବୃକ୍ଷଚାରା ରୋପଣ କରିଥିଲେ । ବିନୋଦ କୁମାର ଜେନା, ଅମ୍ବିକା ମହାପାତ୍ର, ଜ୍ୟୋତିକାନ୍ତ ପାଣିଗ୍ରାହୀ, ପ୍ରଦୀପ କୁମାର ଶିଅଳ, ସୁଶାନ୍ତ କୁମାର ପରିଡ଼ା, ପ୍ରଶାନ୍ତ ଶତପଥୀଙ୍କ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ