କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ବାଲେଶ୍ୱର ଗସ୍ତ ଏବଂ ସମୀକ୍ଷା
ବାଲେଶ୍ୱର, (ସରୋଜ ପଣ୍ଡା) :-କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇ ଆଜି ବାଲେଶ୍ୱର ଗସ୍ତରେ ଆସି ଜିଲ୍ଲା କଲେକ୍ଟୋରେଟ୍ର ବିଭିନ୍ନ ଅନୁବିଭାଗ ଏବଂ କାର୍ଯ୍ୟାଳୟର ନିୟମିତ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ନୀଳଗିରି ଉପଜିଲ୍ଲାପାଳ ଶ୍ରୀ ଦୀପ୍ତିରଞ୍ଜନ ସେଠୀଙ୍କ ସମେତ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କେନ୍ଦ୍ରାଂଚଳ ଆରଡିସି ଡ. ଦଳାଇ ବିଭାଗୀୟ କାର୍ଯ୍ୟାବଳୀ ଓ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସଦଭାବନା ସଭାଗୃହରେ ଅନୁଷ୍ଠିତ ଏହି ବିଭାଗୀୟ ସମୀକ୍ଷା କାର୍ଯ୍ୟରେ ସେ ରାଜସ୍ୱ ଆଦାୟ, ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି, ସରକାରୀ ପ୍ରକଳ୍ପ ଓ ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ । ବିଶେଷ କରି ରାଜସ୍ୱ , ଅବକାରୀ, ପରିବହନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଅଧିକାରୀମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ । ସେହିପରି ଜଳାଶୟରୁ ଘରବାରି କିସମକୁ ପରିବର୍ତିତ ହୋଇଥିବା ଜିଲ୍ଲାର ବିଭିନ୍ନ ଜମିର ସ୍ଥିତି ସମ୍ପର୍କରେ ସେ ଜିିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର, ସହରାଂଚଳ ନିର୍ବାହୀ ଅଧିକାରୀ ଓ କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ସ୍ଥାନୀୟ ସଦଭାବନା ସଭାଗୃହରେ ଆରଡିସିଙ୍କ ଦ୍ୱାରା ଏକ କ୍ୟାମ୍ପ କୋର୍ଟ ମଧ୍ୟ ଆୟୋଜିତ ହୋଇଥିଲା । ଅନ୍ୟାନ୍ୟ ବିଭାଗ ସମ୍ପର୍କରେ ସଂକ୍ଷେପରେ ଆଲୋଚନା କରିବା ସହିତ ଉନ୍ନୟନମୂଳକ ପ୍ରକଳ୍ପ କାମସବୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ ଆରଡିସି ଡ.ଦଳାଇ ନିର୍ଦ୍ଦେଶ ଦେଇଥିଲେ ।


