କେନ୍ଦ୍ରାପଡା ପଞ୍ଚାୟତ ସମିତିକୁ ସୁପରିଚାଳିତ କରିବାକୁ ବିଜେଡିର ପ୍ରସ୍ତୁତି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପଞ୍ଚାୟତ ସମିତି ଜିଲ୍ଲାରେ ଏକ ସଚେତନ ପଞ୍ଚାୟତ ସମିତି । ଏହା କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମା ପଞ୍ଚାୟତ ସମିତି ହୋଇଥିବା ବେଳେ ଯେପରି ବିକାଶ ହେବା କଥା ତାହା ହୋଇନାହିଁ । ଜନ ପ୍ରତିନିଧିଙ୍କ ସହିତ ପ୍ରଶାସନିକ ଅଧିକାରୀଙ୍କ ସୁସମ୍ପର୍କ ବା ସମନ୍ୱୟ ରହୁନାହିଁ ଜନପ୍ରତିନିଧିଙ୍କ ଅଗୋଚରରେ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି ବୋଲି ଅଭିଯୋଗ ହୋଇଆସୁଛି । ଏହି ଅନିୟମିତତା ସମ୍ପର୍କରେ କେତେକ ଜନ ପ୍ରତିନିଧି କେନ୍ଦ୍ରାପଡା ବିଧାୟକ ଏବଂ ଜିଲ୍ଲା ପରିଷଦ ସଭାପତିଙ୍କୁ ଅବଗତ କରାଇଥିଲେ । ଏହି ଅଭିଯୋଗକୁ ଭିତ୍ତିକରି ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ କେନ୍ଦ୍ରାପଡା ବିଡିଓଙ୍କୁ ତାଗିଦ କରିଦେଇଥିଲେ । ବିକାଶରେ ବାଧା ଓ ବିବାଦକୁ ଅଧିକ ନବଢାଇବା ପାଇଁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ବନ୍ଧୁମିଳନ ବ୍ୟାନରରେ କେନ୍ଦ୍ରାପଡା ପଞ୍ଚାୟତ ସମିତି ଜନପ୍ରତିନିଧିମାନଙ୍କର ଏକ ବୈଠକ ସହରସ୍ଥ ଏକ ହୋଟେଲରେ ଆଜି ଆୟୋଜନ କରିଥିଲେ । ଏହି ବୈଠକରେ କେନ୍ଦ୍ରାପଡା ପଞ୍ଚାୟତ ସମିତିର ବିଭିନ୍ନ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା । ଆଗକୁ ବିଜେଡିର ଜନ ପ୍ରତିନିଧିମାନେ ଏକାଠି ହୋଇ ଦଳକୁ ଶକ୍ତିଶାଳି କରିବା ସହିତ ସଠିକ ଭାବେ ପଞ୍ଚାୟତ ସମିତିର ଉନ୍ନୟନ କାର୍ଯ୍ୟକୁ ଆଗେଇ ନେବାକୁ ବିଧାୟକ ଶ୍ରୀ ବେହେରା ଏହି ବୈଠକରେ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ସମିତିର ସମସ୍ତ ଜନ ପ୍ରତିନିଧିମାନଙ୍କର ବିଧାୟକ ଶ୍ରୀ ବେହେରାଙ୍କ ସହ ପରିଚୟ ଓ ଭାବର ଆଦାନପ୍ରଦାନ ହୋଇଥିଲା । ଉପସ୍ଥିତ ଜନ ପ୍ରତିନିଧି ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମତି ଅଧ୍ୟକ୍ଷା, ବିଜେଡି ସମର୍ଥିତ ସମିତିସଭ୍ୟ/ସଭ୍ୟା ଓ ସରପଞ୍ଚମାନେ ଶ୍ରୀ ବେହେରାଙ୍କ ନେତୃତ୍ୱକୁ ସମର୍ଥନ କରିବା ସହିତ ପରାମର୍ଶ ଗ୍ରହଣ କରି କାର୍ଯ୍ୟ କରିବେ ବୋଲି ସମ୍ମତି ଜଣାଇଥିଲେ । ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଜିଲ୍ଲା ପରିଷଦ ସଦସ୍ୟା ମନୋରମା ମହାନ୍ତି, ମଧୁଛନ୍ଦା ମହାନ୍ତି ଓ ରଶ୍ମୀରଞ୍ଜନ ରାଉତ, ବ୍ଲକ ଅଧ୍ୟକ୍ଷା ରଶ୍ମୀତା ସେଠୀ, ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଦୁର୍ଗାଶିଷ ମହାନ୍ତି, ଶିଭପ୍ରସାଦ ଭଳ ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ରାପଡା ବ୍ଲକରେ ଉନ୍ନୟନ କାର୍ଯ୍ୟରେ ହୋଇଥିବା ଅନିୟମିତତା ଉପରେ ଭିଜିଲାନ୍ସ ତଦନ୍ତ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।


