କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳର ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏକ ସାତଜଣିଆ ଉଚ୍ଚ କ୍ଷମତାସମ୍ପନ୍ନ ଅନୁଧ୍ୟାନକାରୀ ଦଳ ପୁରୀ ଜିଲ୍ଲା ଗୋପ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ସମେତ ଏହା ଅଧିନରେ ଥିବା କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ନାଗପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଖଡିସ ଉପ ସ୍ବାସ୍ଥ୍ୟକେନ୍ଦ୍ର ଓ କୁଣ୍ଡିସ ଉପ ସ୍ବାସ୍ଥ୍ୟକେନ୍ଦ୍ର ପ୍ରଭୃତି ପରିଦର୍ଶନ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ଏମ୍ସ କମୁନିଟୀ ମେଡିସିନ ବିଭାଗ ପ୍ରଫେସର ଡ. ଆନନ୍ଦ କ୍ରିଷ୍ଣନ ଓ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶକ ଡ. ଗୋବିନ୍ଦ କୁମାର ବଂଶଲ୍ ଙ୍କ ନେତୃତ୍ୱରେ ଆସିଥିବା ଏହି ଅନୁଧ୍ୟାନକାରୀ ଦଳ ସଂପୃକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକ ପରିଦର୍ଶନ ସମୟରେ ଗୋପ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ର ମୁଖ୍ୟ ଚିକିତ୍ସାଧିକାରୀ ଡ. ଜସ୍ମୀନ ଆଫ୍ରୋଜ୍ ଙ୍କ ସମେତ ଅନ୍ୟ ଡାକ୍ତର,କର୍ମଚାରୀମାନେ ଉପସ୍ଥିତ ରହି ଅଣ ସଂକ୍ରମଣ ରୋଗ ର ଚିକିତ୍ସା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଏଥିସହ ଅନୁଧ୍ୟାନକାରୀ ଦଳ ଚିକିତ୍ସାଳୟ ପରିସର ସ୍ବଚ୍ଛତା, ନିରାମୟ , ଦନ୍ତ ବିଭାଗ , ନିଦାନ, ବହିଃବିଭାଗ , ସ୍ତ୍ରୀ ଓ ପ୍ରସୂତି ବିଭାଗ , ଅନ୍ତଃ ବିଭାଗ , ଔଷଧ ଭଣ୍ଡାର , ଆୟୁଷ ବିଭାଗ ଓ ଶ୍ରଦ୍ଧା କ୍ଲିନିକ ପ୍ରଭୃତି ଅନୁଧ୍ୟାନ କରି ଖୁସି ବ୍ୟକ୍ତ କରିଥିଲେ। ଉତ୍ତମ ଓ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଉପଲବ୍ଧ ଥିବାରୁ ଗୋପ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରତ୍ୟେହ ଶହ ଶହ ରୋଗୀ ନିର୍ଭର କରୁଥିବା ସମ୍ପର୍କିତ ସରକାରୀ ଦସ୍ତାବିଜ୍ ଏହି ପରିଦର୍ଶନ କାଳରେ ପ୍ରତିନିଧିମଣ୍ଡଳୀଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ପରେ ପ୍ରତିନିଧିମଣ୍ଡଳୀ ମୁଖ୍ୟ ଚିକିତ୍ସାଧିକାରୀ ଡ. ଆଫ୍ରୋଜ ଙ୍କ ସହ ଆଲୋଚନା କରି ଆହୁରି ଉନ୍ନତମାନର ଚିକିତ୍ସା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କି କି ସହଯୋଗ ଆବଶ୍ୟକ ସେ ସଂକ୍ରାନ୍ତୀୟ ତଥ୍ୟ ନେଇଥିଲେ। ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଇ. ସି. ଜି ଏବଂ ଅଲଟ୍ରାସାଉଣ୍ଡ ଯନ୍ତ୍ର ଯୋଗାଇ ଦେବାକୁ କେନ୍ଦ୍ରୀୟ ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପରାମର୍ଶ ଦେଇଥିଲେ।


