କେନ୍ଦ୍ର ସରକାରଙ୍କ ସଂବିଧାନ ବିରୋଧି ଆଇନକୁ ବିରୋଧ କରି ସଭା ଓ ଶୋଭାଯାତ୍ରା ପାଇଁ ନିଷ୍ପତ୍ତି

ବାଲେଶ୍ୱର, : କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ନାଗରିକ ସଂଶୋଧନ ଆଇନ ଓ ଏନ୍.ଆର୍.ସିକୁ ବିରୋଧ କରି ଆସନ୍ତା ୪ ତାରିଖ ଶୁକ୍ରବାର ଦିନ ବାଲେଶ୍ୱର ସହରରେ ସବୁଧର୍ମର, ସଂପ୍ରଦାୟର ଓ ସମସ୍ତ ବର୍ଗର ଜନଗଣଙ୍କୁ ନେଇ ଏକ ଶୋଭାଯାତ୍ରା ଓ ସାଧାରଣ ସଭାପାଇଁ ମଙ୍ଗଳବାର ଦିନ ପୂର୍ବାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ବୈଠକରେ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର କ୍ଷମତାକୁ ଆସିବା ପରେ ସଂସଦରେ ସଂଖ୍ୟାଗରିଷ୍ଠତା ବଳରେ ଦେଶର ସଂବିଧାନ, ଗଣତନ୍ତ୍ର, ସାଂପ୍ରଦାୟିକ ସଦ୍ଭାବନାକୁ ଆଘାତ କରିବାଭଳି ଆଇନ ପ୍ରଣୟନ କରୁଥିବାରୁ ସମଗ୍ର ଦେଶର ବିଭିନ୍ନ ଅଞ୍ଚଳରେ ବ୍ୟାପକ ପ୍ରତିବାଦ ଆନ୍ଦୋଳନ ଆରମ୍ଭ ହୋଇଛି । ବାଲେଶ୍ୱରରେ ସବୁଶ୍ରେଣୀର ଜନଗଣଙ୍କର ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଓ ସାଧାରଣ ସଭାର ଆୟୋଜନ କରାଯାଉଛି । ଆସନ୍ତା ଶୁକ୍ରବାର ଦିନ ୧୦ଟାରେ ଗୋଳାପୋଖରୀ ସନ୍ନିକଟ ଦରଘା ମଇଦାନରୁ ଏହି ଶୋଭାଯାତ୍ରା ବାହାରି ମୋତିଗଞ୍ଜ ବଜାର, ସିନେମାଛକ ଅତିକ୍ରମ କରି ଜିଲ୍ଲାପାଳଙ୍କ ଦପ୍ତର ନିକଟରେ ପହଞ୍ଚିବେ । ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରି ପ୍ରଣିତ ଆଇନକୁ ସଂଶୋଧନ / ପ୍ରତ୍ୟାହାର ପାଇଁ ନିବେଦନ କରାଯିବ ବୋଲି ପ୍ରସ୍ତୁତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ପୂର୍ବତନ ବିଧାୟକ ଅରୁଣ ଦେ, ବାଲେଶ୍ୱର ପ୍ରୋଗ୍ରେସିଭ୍ ସିଟିଜେନ୍ ଫୋରମ୍ ତରଫରୁ ଆଇନଜୀବୀ ଅବଦୁଲ୍ ରଫିକ୍, ସାହିରୁଲ୍ ହକ୍, ଇନ୍ତେକାବ୍ ଅଲ୍ଲି ଖାନ୍ ସମେତ କଂଗ୍ରେସର ଯୁବନେତା ବିକ୍ରମ ପଣ୍ଡା, ସଂଜୀବ ଗିରି, ଆଇନଜୀବୀ ଅବଦୁଲ ହମିଦ୍, ପଞ୍ଚାନନ ପରିଡ଼ା, ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ସାଂବାଦିକ ଗଗନ ସେଠୀ, ଛାତ୍ରନେତା ସୌମ୍ୟରଞ୍ଜନ ଆଢ଼୍ୟ, ଇଂ. ସେକ୍ ଅସଗର୍ ଅଲ୍ଲୀ, ସେବା ଓ ସେବା ସଂଗଠନର ଶୈଳେନ୍ଦ୍ର ସିଂ, ଗନିପୁର ସରପଞ୍ଚ ଲକ୍ଷ୍ମୀକାନ୍ତ ଦାସ, ରଞ୍ଜନ ଦାସ ଓ ସେକ୍ ସାମସୁଲ୍ ଅରଫାନ୍ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ପ୍ରସ୍ତାବିତ ଶୋଭାଯାତ୍ରା ଓ ସାଧାରଣ ସଭାକୁ ସଫଳ କରିବାପାଇଁ ମତପ୍ରଦାନ କରିଥିଲେ । ହାଜି ସେକ୍ ଉସ୍ମାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ