କୋଭିଡରେ ଆଇନଜୀବିଙ୍କ ଦେହାନ୍ତ
ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): ଫୁଲବାଣୀର ବରିଷ୍ଠ ଆଇନଜୀବି ତଥା ସ୍ୱତନ୍ତ୍ର ଭିଜିଲାନ୍ସ ପିପି ସୁରେଶ ମହାପାତ୍ରଙ୍କର କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର କିମସ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି , ତାଙ୍କୁ ୫୬ ବର୍ଷ ବୟଷ ହୋଇଥିଲା । ସେ ଫୁଲବାଣୀ ରେ ଜଣେ ଦକ୍ଷ ଆଇନଜୀବି ଭାବରେ ବିଭିନ୍ନ ମାମଲାର ପରିଚାଳନା କରିବାରେ ପରିଚତ ଥିଲେ । ଗତ ୧୫ ତାରିଖରେ ତାଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବାପରେ ତାଙ୍କୁ ପ୍ରଥମେ ଫୁଲବାଣୀ କୋଭିଡ ଡାକ୍ତରଖାନାରେ ଭର୍ତି କରାଯିବାପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଳମ୍ବିତ ରାତିରେ ଭୁବନେଶ୍ୱର କିମସ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିନଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ସେଠାରେ ତାଙ୍କର ଦେହାନ୍ତ ଘଟିଥିବାନେଇ ସୁଚନା ମିଳିବାପରେ ଫୁଲବାଣୀରେ ତାଙ୍କ ପରିବାର ସମେତ ବାନ୍ଧୁବାନ୍ଧବ ସମକର୍ମି ମହଲରେ ଶୋକର ଛାୟା ଖେଳିଯାଇଛି । ସେ ୧୯୯୦ ମସିହାରୁ ଓକିଲାତି ଆରମ୍ଭ କରିବାପରେ ସିଭିଲ,ବ୍ୟାଙ୍କ ମାମଲା,ଦଙ୍ଗା ମାମଲା ସମେତ ବିଭିନ୍ନ ମାମଲାରେ ତାଙ୍କର ପାରଦର୍ଶିତା ରହିଥିଲା । ୨୦୦୯ ମସିହାରେ ପ୍ରଥମେ ସେ ଜଣେ ସହକାରୀ ପିପି ଭାବରେ ଫୁଲବାଣୀରେ ଯୋଗ ଦେଇଥିଲେ । ପରେ ବିଭିନ୍ନ ଦାୟୀତ୍ୱ ତୁଲାଇବା ସହିତ ଫୁଲବାଣୀ ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ପିପି ଭାବେ ଯୋଗ ଦେଇ ସୁଚାରୁ ରୁପେ କାର୍ଯ୍ୟଭାର ତୁଲାଇ ଆସୁଥିଲେ । ସେଥିପାଇଁ ତାଙ୍କୁ ୨୦୧୫ ମସିହାରେ ରାଜ୍ୟର ଶ୍ରେଷ୍ଠ ଭିଜିଲାନ୍ସ ପିପି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମନୀତ କରିଥିଲେ । ଏହାସହିତ ସେ ଜଣେ ମେଳାପି ଓ ଫୁଲବାଣୀର ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି,ମା ନାରାୟଣୀ ଯାତ୍ରା କମିଟିର ସକ୍ରିୟ ସଦସ୍ୟ ଥିଲେ । ତାଙ୍କର ଏହି ଅକାଳ ବିୟୋଗରେ ଫୁଲବାନିରେ ଆଇନଜୀବି ଏବଂ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି ।


