କୋରୋନାର ଆଉ ଏକ ଲକ୍ଷଣ କଥା କହିବାରେ ସମସ୍ୟା: ଡବ୍ଲ୍ୟୁଏଚଓ

ଜେନେଭା: ମହାମାରୀ କୋରୋନା ଏବେ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଦେଇଛି। ଅଦ୍ୟାବଧି ୪୯ ଲକ୍ଷରୁ ଅଧିକ ଲୋକ ଏହି ଭୂତାଣୁ କବଳରେ ଫସିଥିବା ବେଳେ ୩ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ଏଭଳି ମହାସଙ୍କଟ ସମୟରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୋରୋନାର ଆଉ ଏକ ଲକ୍ଷଣ ସମ୍ପର୍କରେ ଚେତାଇ ଦିଆଯାଇଛି। କଥା କହିବାରେ ସମସ୍ୟା ଉପୁଜିବା କୋରୋନାର ଅନ୍ୟତମ ଲକ୍ଷଣ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପୂର୍ବରୁ ଥଣ୍ଡାହେବା, ଜ୍ୱର ଆସିବା, କାଶହେବା, ଶରୀର ଓ ମୁହଁ କୁଣ୍ଡାଇ ହେବା ଇତ୍ୟାଦି କୋରୋନାର ୯ଟି ଲକ୍ଷଣ ସମ୍ପର୍କରେ ସୂଚାଇ ଦିଆଯାଇଥିଲା। ଏବେ ଏହି ନୂଆ ଲକ୍ଷଣ କଥା କହିବାରେ କଷ୍ଟ ଅନୁଭବ କରିବା ଏଥିରେ ଯୋଡ଼ିହୋଇ ଯାଇଛି। ଏଭଳି ନୂଆ ଲକ୍ଷଣ ପ୍ରତି ବିଶ୍ୱବାସୀ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି। କହିବାରେ କଷ୍ଟ ଅନୁଭବ କଲେ, ତୁରନ୍ତ ଡାକ୍ତରଙ୍କ ସହ ଦେଖାକରିବା ଜରୁରୀ। ଏହା କୋରୋନା ଆକ୍ରାନ୍ତଙ୍କୁ ଆରୋଗ୍ୟ କରିବାରେ ସହାୟକ ହୋଇପାରିବ। ଏଥିରେ ବିଳମ୍ବ କଲେ ସମସ୍ୟା ଦ୍ୱିଗୁଣିତ ହେବା ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। କୋରୋନା ଆକ୍ରାନ୍ତ ରୋଗୀ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି। ଏହାଛଡ଼ା ମୁଣ୍ଡ ବିନ୍ଧିବା, ଚଲାବୁଲା କରିବାରେ ଥକ୍କାପଣ ଅନୁଭବ କରିବା ଏହାର ଲକ୍ଷଣ ହୋଇଥାଏ। କଥା କହିବାରେ କଷ୍ଟ ଅନୁଭବ ହେବା ସବୁବେଳେ ଯେ କୋରୋନା ପ୍ରଭାବ, ତାହା କହିବା ଠିକ୍‌ ନୁହେଁ। ଅନ୍ୟ କାରଣରୁ ମଧ୍ୟ ଏଭଳି କିଛି ହୋଇଥାଏ। ତଥାପି କୋରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏଭଳି ଲକ୍ଷଣ ରହିଥାଏ, ଯାହାକି ଡାକ୍ତରଙ୍କୁ ନ ଦେଖାଇ ଡେରିକଲେ ଭୟଙ୍କର ପରିଣାମ ଭୋଗ କରିବାକୁ ପଡ଼ିଥାଏ। କୋରୋନା ରୋଗୀଙ୍କୁ ଆଇସୋଲେଶନରେ ରଖିବା ଦ୍ୱାରା ସେମାନଙ୍କ ମାନସିକ ସ୍ଥିତି ଠିକ୍‌ ନ ଥାଏ। ସର୍ବଦା ସେମାନେ ମାନସିକ ଚାପରେ ରହିଥାନ୍ତି। ଏଭଳି ପରିସ୍ଥିତିରେ ରୋଗୀଙ୍କ ଉଚିତ ଚିକିତ୍ସା ସହ ମନୋବଳ ଦୃଢ଼କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ଭୂତାଣୁ ପ୍ରକୋପ ଜଣେ ବ୍ୟକ୍ତିଙ୍କ ଢଙ୍ଗ ରଙ୍ଗ, ଚାଲିଚଳନକୁ ବଦଳାଇ ଦେଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏଭଳି ପ୍ରାଣଘାତୀ ରୋଗରୁ ରକ୍ଷାପାଇବା ଲାଗି ସ୍ବଚ୍ଛ ଓ ସତର୍କ ରହିବା ଜରୁରୀ ହୋଇପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ