କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଲେ ସେଣ୍ଟଜାଭିୟର ହାଇସ୍କୁଲର ଛାତ୍ରଛାତ୍ରୀ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନୁଆ ରମ୍ପାସ ଗ୍ରାମର ଅକ୍ଷୟ ସେନାପତି ରକ୍ତ କର୍କଟ ରୋଗରେ ପିଡିତ ହୋଇ ଏବେ ମୃତୁ୍ୟ ସହ ସଗ୍ରାମ କରୁଛନ୍ତି । ତାଙ୍କର ବ୍ରୋନମ୍ୟାରୋ ଟ୍ରାନସଲେଟ ଚିକିତ୍ସା ପାଇଁ ୨୫ରୁ ୩୦ଲକ୍ଷ ଟଙ୍କାର ଆବଶ୍ୟକତା ଥିବାନେଇ ଡାକ୍ତର କହିବାପରେ ତାଙ୍କ ପକ୍ଷେ ଏତେ ଟଙ୍କା ସଂଗ୍ରହ କରିବା ପାଇଁ ସେ ଅସମର୍ଥ ଥିବାରୁ ତାଙ୍କ ଛୋଟ ପୁଅ ଓ ସ୍ତ୍ରୀ ଏବେ ଗଣମାଧ୍ୟମର ସାହାରା ନେଇ ଓଡିଶାବାସୀଙ୍କ ସହଯୋଗ ଲୋଡିଥିଲେ । ଗଣମାଧ୍ୟମରୁ ଏହି ସୁଚନା ପାଇବାପରେ ସେଣ୍ଟ ଜାଭିୟର ହାଇସ୍କୁଲ ଚଣ୍ଡି ବିରଞ୍ଚିପୁରର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଡ୍ରାଇଭର ମାନେ ସହାୟତା ପାଇଁ ଆଗେଇ ଆସିଛନ୍ତି । ବୟସରେ ସେମାନେ ଛୋଟ ଛୋଟ ଛୁଆ ହେଲେବି ସେମାନେ ନିଜର ବୃହତ ମାନବିକତା ଦେଖାଇ ସମସ୍ତେ ନିଜ ନିଜର ସାମର୍ଥ୍ୟମତେ ସହାୟତା ଯୋଗାଇ ଦେଇଛନ୍ତି । ଆଜି ସେଣ୍ଟ ଜାଭିୟର ହାଇସ୍କଲର ପ୍ରତିଷ୍ଠାତା ଉଦୟନାଥ କର, ସମାଜସେବୀ ନିତ୍ୟାନନ୍ଦ ପହି, ଶିକ୍ଷାବିତ ଇନ୍ଦ୍ରମଣି ଜେନାଙ୍କ ସହିତ ଏହି ଛାତ୍ରଛାତ୍ରୀ ମାନେ ନୁଆରମ୍ପାସ ସ୍ଥିତ ଅକ୍ଷୟଙ୍କ ବାସଭବନରେ ପହଞ୍ଚି ତାଙ୍କ ପତ୍ନୀ ଓ ପୁଅ ହାତରେ ୨୮୩୪୦ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।ଏଠାରେ ସୁଚନା ଯୋଗ୍ୟ ଯେ ନୁଆରମ୍ପାସ ଗ୍ରାମର ଅକ୍ଷୟ କୁମାର ସେନାପତି(୪୪) ଜଣେ ଗରିବ ଶ୍ରେଣୀର ବ୍ୟକ୍ତି । ଘରେ ଚାଷବାସ କରିବା ସହିତ ବାହାର ରାଜ୍ୟକୁ ଯାଇ କାମକରି ନିଜର ପରିବାର ଚଳାନ୍ତି । ଘରେ ତାଙ୍କର ଛୋଟ ଛୋଟ ଦୁଇ ପୁଅ, ସ୍ତ୍ରୀକୁ ନେଇ ତାଙ୍କ ସଂସାର । ସେ ହାଇଦ୍ରାବାଦରେ ଏକ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାବେଳେ ସେ ଯାହା ପାଆନ୍ତି ସେଥିରେ ଘରଟି ଚଳିଯାଏ । ସେଠାରେ କାମ କରୁଥିବାବେଳେ ହଠାତ ସେ ଅସୁସ୍ଥ ହୋଇ ପଡିଲେ । ତାଙ୍କ ମୁଣ୍ଡ ବୁଲାଇବା ସହିତ ଦେହ ଦିନକୁ ଦିନ ଖରାପ ହେବାକୁ ଲାଗିଲା । ସେ ବାଧ୍ୟ ହୋଇ ଘରକୁ ପଳାଇ ଆସିଲେ । ପରେ ସେ ଡାକ୍ତରଖାନା ଯାଇ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାପରେ ସେ ରକ୍ତ କର୍କଟ ରୋଗରେ ପିଡିତ ଥିବା ଡାକ୍ତର କହିଥିଲେ । ଏକଥା ଜାଣିବାପରେ ପରିବାର ଲୋକଙ୍କ ଉପରେ ସତେ ଯେପରି ବଜ୍ର ପଡିଲା ଭଳି ଲାଗିଲା । ତାଙ୍କୁ ତୁରନ୍ତ ଚିକିତ୍ସା ଆବଶ୍ୟକ ବୋଲି ଡାକ୍ତରମାନେ କହିବାପରେ ତାଙ୍କୁ ସମ ହସପିଟାଲରେ ଭର୍ତ୍ତି କରାଗଲା । ଏପରିକି ଘର ଲୋକ ଜମିବାଡି ବିକ୍ରୀ କରି ୫ଲକ୍ଷରୁ ଉର୍ଦ୍ଧ ଟଙ୍କା ତାଙ୍କ ପଛରେ ସାରିଲେ । ହେଲେ ସେ ସୁସ୍ଥ ହୋଇପାରିଲେ ନାହିଁ । ପରେ ତାଙ୍କୁ ଏମ୍ସ ଭୁବନେଶ୍ୱର ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତାଙ୍କର ବ୍ରୋନମ୍ୟାରୋ ଟ୍ରାନସଲେଟ କରାଯିବ ଓ ଏଥିପାଇଁ ବାହାର ରାଜ୍ୟକୁ ନେବାକୁ ହେବ, ଏଥିପାଇଁ ୨୫ରୁ ୩୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ୩ ରୁ ୪ସପ୍ତାହ ମଧ୍ୟରେ ତାଙ୍କର ଅପରେସନ କରିବାକୁ ପଡିବ । ତାଙ୍କ ଅବସ୍ଥା ଏବେ ଗୁରୁତର ଥିବାରୁ ତାଙ୍କୁ ଆସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଏପରି ଅବସ୍ଥାରେ ତାଙ୍କ ଘରେ ଏତେ ଟଙ୍କା ଖର୍ଚ୍ଚ କରିବାକୁ କୌଣସି ସମ୍ବଳ ନଥିବାରୁ ତାଙ୍କ ପତ୍ନୀ, ପୁଅ ଓ ପରିବାର ଲୋକେ ସହାୟତା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି । କୌଣସି ବ୍ୟକ୍ତି ଯଦି ସାହାଯ୍ୟ ସହଯୋଗ ପାଇଁ ଇଛା କରନ୍ତି ତେବେ ୭୬୦୬୦୬୩୦୧୯ ନମ୍ବରରେ (ଅଭିଶେକ ସେନାପତି) ଗୁଗୁଲ ପେ କିମ୍ବା ଫୋନ ପେ ମାଧ୍ୟମରେ ସହାୟତା ରାଶି ପଠାଇବାକୁ ସେ ନିବେଦନ କରିଛନ୍ତି । ଏବେ ସୁଧା ଓଡିଶା ବାସୀଙ୍କ ନିକଟରୁ ପାଖାପାଖି ଦୁଇ ଲକ୍ଷ ଟଙ୍କାର ସହାୟତା ମିଳିଥିବାରୁ ଆଉ ୩ସପ୍ତାହ ଭିତରେ ଅପରେସନ କରାଯିବାର ଆଶା ଦେଖା ଯାଉ ନାହିଁ ବୋଲି ତାଙ୍କ ପତ୍ନୀ କହିଛନ୍ତି ।


