ଢ଼େଙ୍କା-ସୋସୋ ରାସ୍ତାର ଅବସ୍ଥା ଶୋଚନୀୟ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଢ଼େଙ୍କା-ସୋସୋ ରାସ୍ତାର ଅବସ୍ଥା ନିର୍ମାଣ ଅଭାବରୁ ଶୋଚନୀୟ ହୋଇ ପଡିଛି । ଏହି ରାସ୍ତାଟି ଉପରେ ହାଟଡିହି ବ୍ଲକର ଢ଼େଙ୍କା, ବାଲିବରେଇ, ବାଙ୍ଗୋର, ଧନୁର୍ଜୟପୁର, ସୋସୋ, ପଢ଼ିଆରିପଲ୍ଲୀ ଆଦି ପଞ୍ଚାୟତର ହଜାର ହଜାର ଲୋକ ଯାତାୟତ କରୁଥିବାବେଳେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ସଂଯୋଗ କରୁଥିବା ଏହା ଏକ ପ୍ରମୁଖ ରାସ୍ତା । ଏହି ରାସ୍ତାଦେଇ ଏ ଅଞ୍ଚଳର ଲୋକମାନଙ୍କ ସହିତ ଆଗରପଡା, ବାଳେଶ୍ୱର, କୁପାରୀ, ଖଇରା ଆଦି ଅଞ୍ଚଳର ଲୋକମାନେ ଆନନ୍ଦପୁର, କେନ୍ଦୁଝର, ଭୁବନେଶ୍ୱର ଆଦି ସ୍ଥାନକୁ ଯିବା ଆସିବା କରିଥାନ୍ତି । ଏଥିପାଇଁ ଏହି ରାସ୍ତାଦେଇ ୬/୭ଟି ବସ ମଧ୍ୟ ଚଳାଚଳ କରୁଛି । ପୁର୍ବରୁ ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବାବେଳେ ଲେଉଟିଆ କିଆରୀ ପରି ପ୍ରତିବର୍ଷ ୨୦/୩୦ଲକ୍ଷ ଟଙ୍କା ଖର୍ଚ୍ଚ ନାଁରେ ମରାମତି କରାଯାଏ । କିନ୍ତୁ ସେଥିରେ କାମ କମ ଓ କର୍ମୀ ସନ୍ତୁଷ୍ଟ ଭବ ଅଧିକ ହୁଏ । ବାରମ୍ବାର ଏପରି ଅବସ୍ଥା ଲାଗି ରହିବାରୁ ଗତ କିଛିବର୍ଷ ହେଲା ଏହାକୁ ପୁର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ଲୋକମାନେ କେତେ କଣ ଆଶା ରଖିଥିଲେ ଯେ ଯାହା ହେଉ ଏଥର ରାସ୍ତାର ଅବସ୍ଥା ସୁଧୁରିଯିବ । କିନ୍ତୁ ବିଭାଗ ସିନା ବଦଳିଲା ହେଲେ ରାସ୍ତାର ଭାଗ୍ୟରେ ପରିବର୍ତ୍ତନ ହେଲା ନାହିଁ । ଯଥା ପୁର୍ବଂ ତଥା ପରଂ ହୋଇ ରାସ୍ତାଟି ପଡି ରହିଛି । ଜଳସମ୍ପଦ ବିଭାଗ ଢ଼େଙ୍କା ନିକଟରେ ଏକ ପୋଲ ନିର୍ମାଣ କଲା । କିନ୍ତୁ ସଂଯୋଗୀ କରଣ ରାସ୍ତା ଆଜି ପର୍ଯ;୍ୟନ୍ତ କଲା ନାହିଁ । ଫଳରେ ଢ଼େଙ୍କା ବଜାର ଠାରୁ ଢ଼େଙ୍କା ଗାଁ ପର୍ଯ୍ୟନ୍ତ ଏହି କିଛି ଅଂଶର ରାସ୍ତାଟି ଶୋଚନୀୟ ହୋଇ ପଡିଛି । ସେହିପରି ବାରିଗାଁ ନିକଟରେ ବିରାଟ ବିରାଟ ପୋଖରୀ ସଦୃଷ ଖାଲଖମା ସୃଷ୍ଟି ହୋଇଛି ଯେ ଯାତ୍ରୀ ବାହୀ ବସ ଗୁଡିକ ଯାତାୟାତ କରିବାକୁ ଭୟ କରୁଛନ୍ତି । ବସ ଓ କାର ଗୁଡିକ ମଝି ରାସ୍ତା ଦେଇ ଗଲାବେଳକୁ ବସ ଓ କାରର ଚେଚିସ ଲାଖି ଯାଉଛି ତ କଡବାଟେ ନେଇ ଯିବା ବେଳକୁ ପଲଟି ଯିବାର ଭୟ ରହୁଛି । ଏପରି ଅବସ୍ଥାରେ ଆଜି କିଛି ବସ ମଧ୍ୟ ଚଳାଚଳ କରି ନାହାନ୍ତି । ସେହିପରି ଖାଲଖମା ଯୋଗୁଁ ସ୍କୁଲ, କଲେଜ ଛାତ୍ରଛାତ୍ରୀ ମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ପୁର୍ତ୍ତ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଲଗାଣବର୍ଷା କମିଗଲେ ଆମେ ତୁରନ୍ତ ରାସ୍ତାଟି ଖାଲଖମା ଗୁଡିକୁ ମରାମତି କରିଦେବୁ । ପରବର୍ତ୍ତୀ ସମୟରେ ଏହି ରାସ୍ତା ସମ୍ପୁର୍ଣ୍ଣ ନିର୍ମାଣ କରାଯିବ ବୋଲି ସେ ସୁଚନା ଦେଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ