ଖଜୁରୀ ବନ୍ଧର ପୁନରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପୋଲସରା ସହରରେ ଅବସ୍ଥିତ ଖଜୁରୀ ବନ୍ଧର ଅଧାରୁ ଉର୍ଦ୍ଧ୍ବ ପୋତିହୋଇ ଆବର୍ଜନା ଓ ଦଳରେ ପୂର୍ଣ୍ଣ ହୋଇଥିବା ବେଳେ ତାହାର ପୁନରୁଦ୍ଧାର ପାଇଁ ଜନସାଧାରଣ ଗଞ୍ଜାମ ଜିଲ୍ଲାପାଳ ମହୋଦୟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ବୃନ୍ଦଙ୍କୁ ଦାବିପତ୍ର ଦେଇଥିବା ଜଣାପଡିଛି। ପ୍ରାୟ ୫୦ ବର୍ଷ ପୂର୍ବେ ପୋଲସରା ଏନଏସି ର ଖଜୁରୀ ବନ୍ଧ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ବେଳେ ବାଘୁଆ କେନାଲ ପାଣି ପ୍ରବେଶ ପରେ କ୍ଷୁଦ୍ର ଜଳ ସେଚନ ଅଧୀନରେ ଆଉ ନଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଇଂ ଗୁଣନିଧି ପରିଜା ପ୍ରକାଶ କରିଛନ୍ତି । ଏନେଇ ବାଘୁଆ ମଧ୍ୟମ ଜଳସେଚନ ବିଭାଗ ସହ ନିର୍ବାହୀ ଯନ୍ତ୍ରୀ ଇଂ ବିଷ୍ଣୁ ଚରଣ ସାହୁଙ୍କ ସହ ଯୋଗାଯୋଗ ବେଳେ ଶ୍ରୀ ସାହୁ ପ୍ରକାଶ କରିଥିଲେ ଯେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ଖଜୁରୀ ବନ୍ଧରେ ବାଘୁଆ କେନାଲ ପାଣି ପ୍ରବେଶ କରି ପୁଣି ବାହାରି ଯାଉଛି। ଖଜୁରୀ ବନ୍ଧର ମରାମତି କାର୍ଯ୍ୟ ମଧ୍ୟମ ଜଳସେଚନ ବିଭାଗର ଦାୟିତ୍ୱ ନୁହେଁ । ଏହା ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ। ହେଲେ ଖଜୁରୀ ବନ୍ଧ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ପୋଲସରା ଏନଏସିର ଏହା ଅଧିକାରୀ ଓ ଯନ୍ତ୍ରୀ ଙ୍କୁ ବୋଧହୁଏ ଜଣାନାହିଁ । କାରଣ ଦୀର୍ଘ ବର୍ଷ ଧରି ପୋଲସରା ଏନଏସି ପକ୍ଷରୁ ଖଜୁରୀ ବନ୍ଧରେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇନାହିଁ। ନୂତନ ଭାବେ ଆସିଥିବା ପୋଲସରା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁଙ୍କ ସହ ଯୋଗାଯୋଗ ବେଳେ ସେ ପ୍ରକାଶ କରିଥିଲେ ଯେ “କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରେ ଖଜୁରୀ ବନ୍ଧ କ୍ଷୁଦ୍ର ଜଳସେଚନ ବିଭାଗର ବୋଲି କହିଲେ”। ପୋଲସରା ଏନଏସି ର ଖଜୁରୀ ବନ୍ଧର ପାଣିକୁ ବହୁ ଜନସାଧାରଣ ବ୍ୟବହାର କରି ଆସୁଥିବା ବେଳେ ବହୁ ଚାଷୀ ମଧ୍ୟ ଉପକୃତ ହେଉଥିଲେ । ହେଲେ ଦିର୍ଘ ବର୍ଷ ଧରି ପୋଲସରା ଏନ୍.ଏ.ସି ର ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିଙ୍କ ଆନ୍ତରିକ ଅଭାବ ଯୋଗୁଁ ଏହି ଐତିହାସିକ ବନ୍ଧଟି ଅଳିଆ ଆବର୍ଜନାରେ ପୁର୍ଣ୍ଣ ହୋଇ ପୋତି ହୋଇଯିବାକୁ ବସିଲାଣି । ପୋଲସରା ଏନ୍.ଏ.ସି ର ରାଣୀପଡା ଓ ଲୁଣିଘାଟି ସମେତ ଖଣ୍ଡୁରୁ , କଳମ୍ବ ଓ ବେଲଗାଁ ପଞ୍ଚାୟତର ଚାଷୀମାନେ ଖଜୁରୀ ବନ୍ଧ ଦ୍ୱାରା ଉପକୃତ ହେଉଥିଲେ । ଖଜୁରୀ ବନ୍ଧ ଟି ପ୍ରାୟ ୨୦ ଏକର ଜମି ଉପରେ ନିର୍ମାଣ ହୋଇଥିବା ବେଳେ ପୋଲସରା ଓ ଏହାର ଆଖପାଖ ଅଞ୍ଚଳରେ ଏକ ବୃହତ ଜଳ ଭଣ୍ଡାର ଭାବେ ଶୋଭା ପାଇବା ସହ ଚାଷୀମାନେ ମଧ୍ୟ ସୁଫଳ ପାଉଥିଲେ । ଏହାର ପୁନରୁଦ୍ଧାର କରାଯାଇ ଏକ ଆଦର୍ଶ ବନ୍ଧ ପାଇଁ ପଦକ୍ଷେପ ଗ୍ରହଣ କଲେ ଜନସାଧାରଣ ବିଶୁଦ୍ଧ ବାୟୁ ପାଇଁ ବନ୍ଧକୁ ଆସି ସାନ୍ଧ୍ୟ ସମୟ ଅତିବାହିତ କରିବା ସହ କୃଷକମାନେ ଫସଲ କରି ଭଲ ରୋଜଗାର କରିପାରନ୍ତେ। ଏନେଇ ଚାଷୀମାନେ ଖଜୁରୀ ବନ୍ଧର ପୁନରୁଦ୍ଧାର ପାଇଁ ଗତ ୧୯ ତାରିଖରେ ରେଜଷ୍ଟ୍ରି ଡାକ ଯୋଗେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମହୋଦୟ , ବ୍ରହ୍ମପୁର କ୍ଷୁଦ୍ର ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀ ମହୋଦୟ, ଦକ୍ଷୀଣାଞ୍ଚଳ ରାଜସ୍ବ କମିଶନର ମହୋଦୟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମହୋଦୟ , ପୋଲସରା ତହସିଲିଦାର ଦିଲ୍ଲୀପ କୁମାର ନାୟକ ମହୋଦୟ , ଓ ପୋଲସରା ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁ ମହୋଦୟ ପ୍ରମୁଖଙ୍କ ନିକଟକୁ ଦାବିପତ୍ର ପ୍ରେରଣ କରିଥିବା ଜଣାପଡିଛି ।


