ଖାଇବା ଆଶାରୁ ଖଡ଼ି ଧରିଲେ ଦିବ୍ୟା
ନବେ ଦଶକରେ ଆରମ୍ଭ କରାଯାଇଥିବା ମଧ୍ୟାହ୍ନଭୋଜନ ଯୋଜନାର ପ୍ରଭାବ ପ୍ରମାଣିତ କରିଛି ତେଲେଙ୍ଗାନାର ଏକ ଘଟଣା । ହାଇଦ୍ରାବାଦର ଗୁଡିମଲକାପୁର ସରକାରୀ ସ୍କୁଲକୁ ଦିବ୍ୟା ନାମକ ଝିଅଟିଏ ପ୍ରତିିଦିନ ମଧ୍ୟାହ୍ନଭୋଜନ ସମୟରେ ବାସନଟିଏ ଧରି ଆସି ପହଞ୍ଚିଯାଏ । ପିଲାମାନଙ୍କ ସହ ଖାଇବା ଲକ୍ଷ୍ୟ ନେଇ ସେ ଆସେ । ହାତରେ ବାସନ ଧରି କ୍ଲାସ୍ ରୁମ୍କୁ ପ୍ରବେଶ କରିବାର ଦୃଶ୍ୟ ଭାଇରାଲ ହେଲା । ମିଡିଆରେ ଏହି ଛବିକୁ “ଭୋକିଲା ନଜର’ ଶୀର୍ଷକରେ ଉପସ୍ଥାପନ କରାଯାଇଥିଲା । ଏହି ଫଟୋକୁ ଏମ୍.ବି.ଫାଉଣ୍ଡେଶନ ଏନଜିଓର ସଂଯୋଜକ ଭେଙ୍କଟ ରେଡ୍ଡୀ ଦେଖିବା ପରେ ଦିବ୍ୟାକୁ ତା’ ଅଧିକାର ପ୍ରଦାନ କରିଛନ୍ତି । ସେହି ସ୍କୁଲରେ ଦିବ୍ୟାର ନାମ ଲେଖାଯାଇଛି । ଖାଇବା ଆଶାରୁ ହାତରେ ଖଡ଼ି ଧରିଛି ସେ । ଦିବ୍ୟା ମା’ବାପାଙ୍କ ସହ ପାଖ ବସ୍ତିରେ ରହେ । ବାପା ଜରି ଗୋଟାନ୍ତି ଓ ମା’ ଅନ୍ୟ ଘରେ ବାସନ ସଫା କରନ୍ତି । ସ୍କୁଲରେ ଦିବ୍ୟାର ନାଁ ଲେଖାଯିବା ପରେ ଏବେ ସେ ସବୁଦିନ ସ୍କୁଲକୁ ଯାଉଛି ଓ ମଧ୍ୟାହ୍ନଭୋଜନ ବି ଖାଉଛି । ଯେଉଁଦିନ ସେ ପ୍ରଥମେ ସ୍କୁଲକୁ ଗଲା ତାହାର ଫଟୋ ମଧ୍ୟ ଫେସ୍ବୁକ୍ରେ ଶେୟାର କରିଛନ୍ତି ରେଡ୍ଡୀ ।


