ଗୋଟିଏ ଦିନରେ ଜନ୍ମ ନେଇଥିଲେ ୫ ଭାଇଭଉଣୀ, ଏକା ସାଙ୍ଗରେ ହେବେ ବାହା
ଗୋଟିଏ ଦିନରେ ଜନ୍ମ ନେଇଥିବା ୫ ଭାଇଭଉଣୀଙ୍କ ମଧ୍ୟରୁ ଏକାଦିନରେ ୪ ଭଉଣୀଙ୍କର ବିବାହ ସ୍ଥିର ହୋଇଥିବାବେଳେ ଭାଇଙ୍କ ବିବାହ ଏହି ଦିନରେ କରିବା ପାଇଁ କିଛି ଦିନ ସମୟ ନେଇଛନ୍ତି ଭଉଣୀମାନେ । ଏପରି ଘଟଣା ଦେଖିବାକୁ ମିଳିଛି କେରଳରେ । ଚାରି ଭଉଣୀ ଉଥ୍ରାଜା, ଉଥାରା, ଉଥମା, ଉଥ୍ରା ଏବଂ ଭାଇ ଉଥ୍ରାଜନଙ୍କ ଜନ୍ମ ୧୯୯୫ ନଭେମ୍ବର ୧୮ରେ ହୋଇଥିଲା । ଆସନ୍ତା ୨୦୨୨ ଏପ୍ରିଲ ୨୬ରେ ଶ୍ରୀକୃଷ୍ଣ ମନ୍ଦିରରେ ବିବାହ ବନ୍ଧନରେ ୪ ଭଉଣୀ ଆବଦ୍ଧ ହେବେ । ଯେଉଁଦିନ ଏମାନେ ଜନ୍ମ ନେଇଥିଲେ ତାଙ୍କ ପିତା ଘରର ନାମ “ପଞ୍ଚ ରତ୍ନମ୍’ ରଖିଥିଲେ । ସମ୍ପର୍କୀୟ କୁହନ୍ତି, ୯ ବର୍ଷ ପର୍ଯ୍ୟନ୍ତ ୫ ପିଲାଙ୍କୁ ତାଙ୍କ ପିତା ଏକାପ୍ରକାର ସ୍କୁଲ ବ୍ୟାଗ୍, ଛତା, ଜୋତା ଏବଂ ଅନ୍ୟାନ୍ୟ ଜିନିଷ ଦେଇଆସୁଥିଲେ । ୨୦୦୪ ମସିହାରେ ମା’ ହୃଦ୍ଜନିତ ରୋଗରେ ଆକ୍ରାନ୍ତ ହୋଇପଡ଼ିଲେ । ଏଥିରେ ବହୁ ଅର୍ଥ ଖର୍ଚ୍ଚ କରି ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇପଡ଼ିଲା । ଏଥିରେ ଭାଙ୍ଗିପଡ଼ି ଆତ୍ମହତ୍ୟା କରିଦେଲେ ପିତା । ମାଆ କୁହନ୍ତି, ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଅସହାୟା ହୋଇପଡ଼ିଥିଲେ । ତେଣୁ ପିଲାମାନଙ୍କ ପାଇଁ ବଞ୍ଚିବେ ବୋଲି ସଂଘର୍ଷ ଜାରି ରଖିଲେ । ନିଜେ କଷ୍ଟ କରି ପିଲାମାନଙ୍କୁ ପାଠ ପଢ଼ାଇଲେ । ଆଜି ସେମାନେ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିଛନ୍ତି । ୪ ଝିଅଙ୍କ ମଧ୍ୟରୁ ଜଣେ ଫ୍ୟାଶନ ଡିଜାଇନର୍, ଦୁଇ ଜଣ ଆନାସ୍ଥେସିଆ ଟେକ୍ନିସିଆନ୍, ଅନ୍ୟ ଜଣେ ଅନ୍ଲାଇନ୍ ଲେଖକ । ସେହିପରି ଭାଇ ସଫ୍ଟୱେୟାର ଇଞ୍ଜିନିୟର । ଏବେ ୪ ଭଉଣୀଙ୍କର ବିବାହ ହେବ । ସେମାନେ କୁହନ୍ତି, ଆମେ ଗୋଟିଏ ଦିନରେ ଜନ୍ମ ହୋଇଥିଲୁ ଗୋଟିଏ ଦିନରେ ବିବାହ କରିବୁ ବୋଲି ଭାଇର କନ୍ୟାପତ୍ର ଠିକ୍ ହେବା ପର୍ଯ୍ୟନ୍ତ ୨୦୨୨କୁ ଅପେକ୍ଷା କରିଛୁ ।


