ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସ୍ୱଚ୍ଛତା ଦାବି
ଖୋର୍ଦ୍ଧା , (ଯୁଗାବ୍ଦ ନ୍ୟୁଜ) : ଗାନ୍ଧୀଜିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଖୋର୍ଦ୍ଧା ବରଣେଇ ପୀଠ ନିକଟସ୍ଥ ଶିଳ୍ପାଞ୍ଚଳରେ ଏସ.ଏମ.ଏସ ନିକଟରେ କିପରି ସ୍ୱଚ୍ଛତା ରହିଛି , ତାହା ନଦେଖିଲେ ବିଶ୍ୱାସ ହେବନାହିଁ । ବର୍ଷର ବିଭିନ୍ନ ସମୟରେ ସ୍କାଉଟ ଓ ଗାଇଡସର କାର୍ଯ୍ୟକ୍ରମରେ ଯୋଗଦାନ କରି ଶିବିରାର୍ଥୀମାନେ ସ୍ୱଚ୍ଛତା ଅଭିଯାନକୁ କାର୍ଯ୍ୟକ୍ରମର ଏକ ମୁଖ୍ୟ ଅଂଶ ଭାବେ ଗ୍ରହଣ କରି ସେହି ଅଞ୍ଚଳରେ ସଫେଇ କରି ସ୍ୱଚ୍ଛତାର ବାର୍ତ୍ତା ପ୍ରଦାନ କରିଛନ୍ତି । ତେବେ ଉକ୍ତ ତାଲିମ କେନ୍ଦ୍ର ସମ୍ମୁଖରେ ପୌର ସଂସ୍ଥା ନାମରେ କିଛି ବ୍ୟକ୍ତି କୁଢ କୁଢ ଆବର୍ଜନା ଜମା କରି ଏକ ପୁତିଗନ୍ଧମୟ ପରିସ୍ଥିତ ସୃଷ୍ଟି କରିଛନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ କର୍ମଚାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଆସନ୍ତା ମାସରେ ସେହି କେନ୍ଦ୍ରରେ ଜାତୀୟ ସ୍ତରୀୟ ଶିବିର କାର୍ଯ୍ୟକ୍ରମ ହେବାକୁ ଥିବାରୁ ଭାରତର ବିଭିନ୍ନ ସ୍ଥାନରୁ ସ୍କାଉଟ , ଗାଇଡ , ବହୁ ମନ୍ତ୍ରୀ ତଥା ଉଚ୍ଚ ପଦସ୍ଥ କର୍ମଚାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ଉକ୍ତ ଅଞ୍ଚଳରେ ସ୍ୱଚ୍ଛତା ପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।


