ଗଜପତିରେ ଚାକିରୀ ଦେବା ନାମରେ ବେକାର ଯୁବକ ଯୁବତୀଙ୍କୁ ଠକେଇ ଅଭିଯୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗତ ୨ବର୍ଷ ଧରି କୋରନା କଟକଣା ଯୋଗୁଁ ସର୍ବସାଧାରଣଙ୍କ ସହ ଯୁବକ ଯୁବତୀମାନେ କାମ ଧନ୍ଦା ନପାଇ ବେକାର ହୋଇ ବସି ରହିଛନ୍ତି । ଏହାର ସୁଯୋଗ ନେଇ କେତେକ ବ୍ୟକ୍ତି ବିଭିନ୍ନ ଆଳ ଦେଖାଇ ବେକାର ଯୁବକ ଯୁବତୀମାନଙ୍କୁ ଚାକିରିରେ ନିଯୁକ୍ତି କରିବା ପାଇଁ ସେମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଲାଞ୍ଚ ଆକାରରେ ନେଉଥିବା ଅଭିଯୋଗ ହୋଇଛି । ଉକ୍ତ ବିଷୟଟି ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପ୍ରଶାସନ ଏହାର ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଅଛି । ପ୍ରକାଶ ଯେ, ପାରଳାଖେମୁଣ୍ଡିରେ ଟେକ୍ଟ ଇଣ୍ଡିଆ ନାମରେ ଏକ ସଂସ୍ଥା ଜାତୀୟ ଗ୍ରାମ୍ୟ ଜୀବିକା ମିଶନ (ଏନ୍‌ଆର୍‌ଏଲ୍‌ଏମ୍‌) ପ୍ରୋଜେକ୍ଟ ଜରିଆରେ ଆଜକୁ ପ୍ରାୟ ଦୁଇ ମାସ ହେବ ଗଜପତି ଜିଲ୍ଲାରେ କାର୍ଯ୍ୟକରି ଆସୁଥିବା ବେଳେ ମଙ୍ଗଳବାର ରାୟଗଡ ବ୍ଲକ ସଦର ମହକୁମା ଠାରେ ଏକ ଅଫିସ ଖୋଲି ସେଠାରେ ବ୍ଲକର ବେକାର ଯୁବକ ଯୁବତୀ ଓ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ସ୍ୱାବଲମ୍ବୀ କରିବା ପାଇଁ ପ୍ରତି ପଞ୍ଚାୟତରେ ଦୁଇ ଜଣ ଲେଖାଏଁ ଆଦିବାସୀ ଯୁବକ ଯୁବତୀଙ୍କୁ ଚାକିରୀ ନିଯୁକ୍ତି ଦେବେ ଏବଂ ସେମାନଙ୍କୁ ମାସିକ ୧୦ହଜାର ଟଙ୍କା ଦରମା ଦିଆଯିବ ବୋଲି ପ୍ରଲୋଭନ ଦେଖାଇ ସେମାନଙ୍କୁ ୮୦ହଜାର ଟଙ୍କା ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଗଣମାଧ୍ୟମ ପ୍ରତିନିଧଙ୍କ ନିକଟକୁ ଆସିଥିଲା । ଉକ୍ତ ଅଭିଯୋଗକୁ ଭିତ୍ତିକରି କିଛି ଗଣମାଧ୍ୟମ ପ୍ରତିନିଧି ସେହି ସ୍ଥାନରେ ପହଞ୍ଚ ସେଠାରେ ଉପସ୍ଥିତ ଥିବା ଅଧିକାରୀଙ୍କ ସହ ଏହି ବିଷୟରେ ଆଲୋଚନା କରିଥିଲେ । ସେମାନେ ରୋକ୍ ଠକ୍ ଭାବେ ମନା କରିଥିଲାବେଳେ ଠକାମୀର ଶିକାର ହୋଇ ସେଠାରେ ଟ୍ରେନିଂ ନେଉଥିବା ଯୁବକ ଯୁବତୀମାନେ ଅଧିକାରୀଙ୍କ ସମ୍ମୁଖରେହିଁ ଘଟଣାର ସତ୍ୟାସତ୍ୟ ପ୍ରକାଶ କରିଥିଲେ । ସେମାନଙ୍କୁ ଚାକିରି ଦେବା ନାଁରେ ୮୦ହଜାର ଟଙ୍କା ମଗାଯାଉଥିବା ଲିଟୁ ଜାନି, ବାଙ୍କ ମଣ୍ଡଳ, ପ୍ରଜ୍ଞାସିନି ଭୂୟାଁ ପ୍ରମୁଖ ଅଭିଯୋଗ ଆଣିଥିଲେ । ଏ ବାବଦରେ ସେମାନେ ୪୦ରୁ ୫୦ ହଜାର ଟଙ୍କା ଦେଇଥିବା ବେଳେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ଦିଆଯାଇଥିବା କହିଥିଲେ । ଏଭଳି ବ୍ଲକର ପ୍ରାୟ ୩୦ଜଣ ଯୁବକଯୁବତୀ ଏଥିରେ ଶୋଷଣର ଶୀକାର ହୋଇଥିବାର ଜଣାପଡିଛି । ଏନେଇ ବ୍ଲକ ଦାୟିତ୍ୱରେ ଥିବା ଅଧିକାରୀ କୌଳାଶ କାର୍ଯୀଙ୍କ ସହ ଯୋଗାଯୋଗ କରିବାରୁ ଟେବୁଲ, ଚେୟାର, କମ୍ପ୍ୟୁଟର ଆଦି ପାଇଁ ମଗାଯାଉଛି ବୋଲି କହିଥିଲେ । ଜିଲ୍ଲା ଦାୟିତ୍ୱରେ ଥିବା ଏମ୍‌ଡି ସୁବାସ ଚନ୍ଦ୍ର ରାଉଳଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ଯେଉଁ ପିଲା କାମ କରିବେ ସେଠାରେ ଅଫିସ ଖୋଲିବା ପାଇଁ ଟେବୁଲ, ଚେୟାର, କୁମ୍ପୁଟର ।ଦି ଇନଭେଷ୍ଟମେଣ୍ଟ କରିବା ପାଇଁ ପଡୁଛି । ପ୍ରଥମେ ଇନଭେଷ୍ଟମେଣ୍ଟ ନକଲେ କିଛି ହେଉଛି କି ବୋଲି ଓଲଟା ପ୍ରଶ୍ନ କରିବା ସହ ସ୍ୱରବଦଳାଇ କାହାଠୁ କିଛି ଟଙ୍କା ମଗାଯାଇ ନଥିବା କହିଥିଲେ । ସୂଚନା ଯୋଗ୍ୟ ଯେ, ବେକାର ଯୁବକ ଯୁବତୀମାନେ ନିଜେ ରୋଜଗାର କ୍ଷମ ହେବାପାଇଁ ଆଶାବାଦୀ ହୋଇ ରହିଥିବା ବେଳେ ଏଭଳି ଅନେକ ବେକାର ଯୁବକ ଯୁବତୀ ଠକାମୀର ଶିକାର ହୋଇଥିବା ଆଗରୁ ନଜିର ରହିଛି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ