ପାରଳାରେ ମା ଗଜଲକ୍ଷ୍ମୀଙ୍କ ଭସାଣୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଓଡିଆ ଭଣ୍ଡାରୀ ସାହି ଛକ ଠାରେ ଅନୁଷ୍ଠିତ ହେଉଥିବା ସର୍ବପୁରତାନ ମା ଗଜଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ ନିରାଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ପୂଜା ଚଳିତ ବର୍ଷ ୩୭ତମ ବର୍ଷ ଭାବେ ପାଳନ କରାଯାଇଥିଲା । ପବିତ୍ର କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏହି ପୂଜାର ସପ୍ତମ ଦିବସରେ ଗତକାଲି ବିସର୍ଜନ କରାଯାଇଛି । କୋଭିଡ୍-୧୯ କଟକଣାକୁ ପାଳନ କରାଯାଇ ଖୁବ କମ ସଂଖ୍ୟକ ଭକ୍ତ ବା ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ବିନା ଜାକଜକମରେ ମାଙ୍କ ପ୍ରତିମୂର୍ତ୍ତୀକୁ ଏକ ଶୋଭାଯାତ୍ରାରେ ବାହାରି ବିସର୍ଜନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ସହରର ଏକ ମାତ୍ର ଗଜଲନକ୍ଷ୍ମୀ ପୂଜା ହୋଇଥିବାରୁ ପୂର୍ବ ବର୍ଷ ମାନଙ୍କରେ ଏହା ଅତି ଜାକଜକମ ତଥା ବହୁ ଆଡମ୍ବର ସହକାରେ ପାଳିତ ହେଉଥିଲା । ଏଥିଲାଗି ସମଗ୍ର ସହର ଚଳଚଞ୍ଚଳ ହୋଇପଡୁଥିଲା । ପୂଜା ଆରମ୍ଭ ଠାରୁ ଭସାଣୀ ଦିନ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନଗୀତରେ କମ୍ପି ଉଠୁଥିଲା । ତେବେ ଗତ ଦୁଇବର୍ଷ ହେଲା କେବଳ ରିତୀନିତୀ ଅନୁଯାଇ ପୂଜାର୍ଚ୍ଚନା କରାଯାଇ ବିସର୍ଜନ କାର୍ଯ୍ୟକ୍ରମ ହେଉଛି । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ପୂଜା କମିଟିର ବିଭୂତି ଭୂଷଣ ବେହେରା, ବାବୁଲା ଜେନା, ପ୍ରସାଦ ଗୌଡ, ରଘୁ ପାଣିଗ୍ରାହୀ, ପ୍ରଭାତ ପାତ୍ର ପ୍ରମୁଖ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା ।


