ସମଗ୍ର ଜିଲ୍ଲା ପାଇଁ ଏଥର ଆସି ମାତ୍ର ୬ହଜାର ଟିକା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କୋଭିଡ ପ୍ରତିଷେଧକ ଟିକାକରଣକୁ ବ୍ୟାପକ କରିବା ପାଇଁ ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ହେଲେ ଗତ ୧୧ ତାରିଖ ଠାରୁ କୋଭିଡ ପ୍ରତିଷେଧକ ଟିକା ସରିଯିବାରୁ ୧୪ ତାରିଖ ପର୍ଯ୍ୟନ୍ତ ୪ଦିନ ପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ପୁଣି ଆଜି ଠାରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗଜପତି ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ଏନେଇ କହିଛନ୍ତି, ଗତକାଲି ଗଜପତି ଜିଲ୍ଲା ପାଇଁ ମୋଟ ୬ହଜାର କୋଭିଡ ପ୍ରତିଶେଧକ ଟିକା ଆସିଥିଲା । ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସହ ଜିଲ୍ଲାର ସମସ୍ତ ଟିକାକରଣ କେନ୍ଦ୍ରକୁ ଟିକା ପଠାଯାଇ ଆଜି ଠାରୁ ଆଉ ଥରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଲୋକଙ୍କ ଚାହିଦାକୁ ନଜରରେ ରଖି ପର୍ଯ୍ୟାୟ କ୍ରମେ ଏଭଳି ଭାବେ ଗଜପତି ଜିଲ୍ଲାକୁ ଟିକା ପଠାଯିବ ବୋଲି ପଦସ୍ଥ ଅଧିକାରୀମାନେ ସୂଚନା ଦେଇଛନ୍ତି । ତେଣୁ ସାଧାରଣ ଏନେଇ ସଚେତନ ହୋଇ ସମସ୍ତେ ଟିକାକରଣ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପାତ୍ର ଅନୁରୋଧ କରିବା ସହ କହିଛନ୍ତି, ପ୍ରଥମ ଦଫାରେ ୬୨,୨୫୦ ଟିକା ଆସିଥିଲା । ଏଗୁଡିକ ୧୧ ତାରିଖ ସୁଦ୍ଧା ଜିଲ୍ଲାର ଜନସାଧାରଣଙ୍କୁ ପ୍ରଦାନ କରାଯାଇଥିଲା ।