ଗଜପତି ଏସପିଙ୍କ ପୁଣି ଏକ ନୁତନ ପ୍ରୟାସ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) -ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସୂରଭୀ ନାମକ ଓମ୍ଫେଡ୍ କାଉଣ୍ଟର ଉଦ୍ଘାଟିତ ହୋଇଛି, ଜାହାକି କିନ୍ନର ମାନଙ୍କ ଦ୍ୱାରା ପରିଚାଳିତ ହେବ ବୋଲି ଜଣାପଡିଛି । ଏହି ଓମ୍ଫେଡ୍ କାଉଣ୍ଟରକୁ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଓ ଜିଲା ଆରକ୍ଷି ଅଧିକ୍ଷକ ସାରା ଶର୍ମାଙ୍କ ଉପସ୍ଥିତିରେ ଉଦ୍ଘାଟନ କରାଯାଇଛି । ଆରକ୍ଷି ଅଧିକ୍ଷକ ଏପରି ଏକ କାର୍ଯ୍ୟକ୍ରମ ଦ୍ୱାରା କିନ୍ନର ମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି କହିଥିଲେ । ତେଣୁ ତାଙ୍କ ନିର୍ଦ୍ଦେଶରେ ଜିଲା ପୋଲିସ୍ର ସହଯୋଗ ଦ୍ୱାରା କିନ୍ନର ମାନଙ୍କୁ ଥଇଥାନ କରିବା ପାଇଁ ଏପରି ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କହିଥିଲେ । ଏହି ଓମ୍ଫେଡ୍ କେନ୍ଦ୍ର ଖୋଲିବା ପାଇଁ କିଛି ସାଧାରଣ ବ୍ୟକ୍ତି ଆର୍ଥିକ ଭାବେ ସହାୟତା କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୫ରୁ ୩୦ହଜାର ଟଙ୍କା ଏଥିପାଇଁ ଖର୍ଚ୍ଚ ହୋଇଥିବା ଜଣାପଡିଛି । ଏହି ଓମ୍ଫେଡ୍ କେନ୍ଦ୍ରରେ ୮ଜଣ କିନ୍ନର ପରିଚାଳନା ପାଇଁ ନିୟୋଜିତ କରାଯାଇଛି ଯାହାଦ୍ୱାରା ସେମାନେ ଆର୍ôଥକ ଭାବେ ସ୍ୱଚ୍ଛଳ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି କୁହାଯାଇଛି । ଆର୍ଥିକ ଭାବେ କିଛି ସହାୟତାରାଶୀ ମିଳିଥିବା ବେଳେ କିଛି ଉପକରଣ ମଧ୍ୟ ଏହି କେନ୍ଦ୍ରପାଇଁ ସହାୟତା ମିଳିଥିବା ସୂଚନା ମିଳିଛି । ଏହି କେନ୍ଦ୍ର ଉଦ୍ଘାଟନ ବେଳେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପି.କେ ପାତ୍ର, ପୋଲିସ ଏସ୍.ଡି.ପି.ଓ ପ୍ରକାଶଚନ୍ଦ୍ର ଜେନା, ପାରଳାଖେମୁଣ୍ଡି ଥାନା ଆଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ କର୍ମକର୍ତ୍ତା ଉପସ୍ଥିତ ଥିଲେ ।


