ଗଜପତି ଜିଲ୍ଲାକୁ ବେଷ୍ଟ ଡିଷ୍ଟ୍ରିକ୍ଟ କେମ୍ପୋରୀ ଭାବେ ପୁରସ୍କୃତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ୍ସର ୩୭ ତମ ରାଜ୍ୟ ପୁରସ୍କାର ଉତ୍ସବ ରାଜ ଭବନର ନୂଆ ଅଭିଷେକ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ ସ୍କାଉଟ ଏବଂ ଗାଇଡ୍ସ ପୃଷ୍ଠ ପୋଷକ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଜପତି ଜିଲ୍ଲାକୁ ବେଷ୍ଟ ଡିଷ୍ଟ୍ରିକ୍ଟ କେମ୍ପୋରୀ ଭାବରେ ପୁରସ୍କୃତ କରିଛନ୍ତି. ଏହି ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକ, ଜିଲ୍ଲାର ଭାରପ୍ରାପ୍ତ କ୍ରୀଡା ନିରୀକ୍ଷକ ତଥା ସମ୍ପାଦକ ସୁରେନ୍ଦ୍ର କୁମାର ପାତ୍ର ଏବଂ ଆୟୋଜନ ହୋଇଥିବା ସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ଗୌଡ଼ ଯୋଗ ଦାନ କରି ପୁରସ୍କାର, ପ୍ରମାଣ ପତ୍ର ମହାମହିମ ରାଜ୍ୟପାଳଙ୍କ ଠାରୁ ଗ୍ରହଣ କରିଥିଲେ. ଚଳିତ ବର୍ଷ ରାଜ୍ୟ ପୁରସ୍କାର ଜିଲ୍ଲାର ସ୍କାଉଟ ଏବଂ ଗାଇଡ୍ସ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ. ରାଜ୍ୟ ସଂଗଠନ ରାଜ୍ୟ ସଭାପତି ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ, ମନ୍ତ୍ରୀ ଟୁକୁନି ସାହୁ, ଉପସଭାପତି ମିନତି ବେହେରା, ରାଜ୍ୟ ମୁଖ୍ୟ କମିଶନର ଡ଼ଃ କାଳୀ ପ୍ରସାଦ ମିଶ୍ର, ରାଜ୍ୟ ସମ୍ପାଦକ ଶରତ ଚନ୍ଦ୍ର ପାଇକରାୟ, ରାଜ୍ୟ କମିଶନର ଗାଇଡ୍ସ ଅନାମିକା ଦାସ ଏବଂ ରାଜ୍ୟର ସମସ୍ତ ଜିଲାରୁ ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ଯୋଗ ଦେଇଥିଲେ. ଏହି କାର୍ଯ୍ୟକ୍ରମର ଶ୍ରେୟ ଜିଲ୍ଲା କମିଶନର ସ୍କାଉଟ ପ୍ରଫୁଲ୍ଲ କୁମାର ମହାନ୍ତି, କମିଶନର ଗାଇଡ୍ସ ଏସ. ମଣିମାଳା, ସମ୍ପାଦକ ସୁରେନ୍ଦ୍ର କୁମାର ପାତ୍ର, ଡିଓସି ସଞ୍ଜୟ କୁମାର ପାତ୍ର, ଧୀରେନ୍ଦ୍ର ସାମଲ, ମେନେକା ରାଓ ଏବଂ ଜିଲ୍ଲାର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଜଣାଇଛନ୍ତି. ପରିଶେଷରେ ସମ୍ପାଦକ ତଥା କ୍ରୀଡା ନିରୀକ୍ଷକ ସୁରେନ୍ଦ୍ର ପାତ୍ର ଧନ୍ୟବାଦ ଜଣାଇବା ସହ ଏହିପରି ଉନ୍ନତିମୂଳକ କାର୍ଯ୍ୟ ଜାରି ରଖିବା ପାଇଁ କହିଥିଲେ.


