ଗଜପତି ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ (ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ) ପକ୍ଷରୁ ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ସମେତ ଜିଲ୍ଲାସ୍ତରୀୟ ଏନ୍ଆର୍ଏଲ୍ଏମ୍ କମିଟି ବୈଠକ ଓ ଋଣଜମା ଅନୁପାତ ସ୍ୱତନ୍ତ୍ର ଉପ-କମିଟି ବୈଠକ ମଧ୍ୟ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଅଧ୍ୟକ୍ଷତା କରି କୋଭିଡ-୧୯ ମହାମାରି ଯୋଗୁଁ ଦୁର୍ବଳ ହୋଇ ଯାଇଥିବା ଅର୍ଥନୀତିରେ ସୁଧାର ଆଣିବା ପାଇଁ ବ୍ୟାଙ୍କ ମାନଙ୍କ ପ୍ରମୁଖ ଭୂମିକା ରହିଛି । ଜିଲ୍ଲାର ସବୁ ବର୍ଗର ଅଞ୍ଚଳବାସୀଙ୍କ ସମସ୍ତ କ୍ଷେତ୍ରରେ ସେମାନଙ୍କୁ ଉପଯୁକ୍ତ ଋଣ ରିହାତି ସୁଧରେ ପ୍ରଦାନ କରିବା ପାଇଁ କହିଥିଲେ । ତେଣୁ ବ୍ୟଙ୍କର୍ସ ମାନେ ଚାଷୀ, ଶ୍ରମିକ ଓ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗ ଉପଯୁକ୍ତ ଲୋକଙ୍କୁ ଋଣ ପ୍ରଦାନ କରିବା ଉପରେ ବିଶେଷ ଗରୁତ୍ୱାରୋପ କରିଥିଲେ । ଜିଲ୍ଲାରେ ଥିବା ୨୦ ଗୋଟି ବ୍ୟାଙ୍କର ମୋଟ ୬୪ଗୋଟି ଶାଖା ରହିଥିବା ବେଳେ ଜୁନ୍ ୨୦୨୧ ସୁଦ୍ଧା ସମସ୍ତ ବ୍ୟାଙ୍କ ଶାଖାରେ ମୋଟ ୨୭୧୧.୮୦ କୋଟି ଟଙ୍କା ଜମା ସଂଗ୍ରହ ହୋଇଥିବା ବେଳେ ମୋଟ ୧୧୩୫.୩୫ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ଯାହାକି ଏହି ଧାର୍ଯ୍ୟ ଲକ୍ଷ୍ୟର ଏହି ଅନୁପାତ ୪୧.୮୭ ପ୍ରତିଶତ ରହିଛି । ତେଣୁ ଆଗକୁ ଏହି ଋଣଜମା ଅନୁପାତ ବୃଦ୍ଧି କରିବା ପାଇଁ ବ୍ୟାଙ୍କ ଏହି ଋଣ ପ୍ରଦାନ ଯୋଜନାକୁ ଅଧିକ ବ୍ୟବସ୍ଥିତ କରିବା ଉପରେ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀପଣ୍ଡା ଉପସ୍ଥିତ ବ୍ୟାଙ୍କର୍ସ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ସହ ଅପହଞ୍ଚ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାର ମୁଖ୍ୟ କରି ରାୟଗଡ ବ୍ଲକର ଗଙ୍ଗାବାଡ ପଞ୍ଚାୟତ, ନୂଆଗଡ ବ୍ଲକର ସମ୍ବଲପୁର, ପରିମଳ ଆଦି ପରି ଗ୍ରାମପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବାପାଇଁ ବେସ୍ ଗୁରୁତ୍ୱ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ୟାଙ୍କର ଏଲ୍ଡିଓ ତାରିଣୀ ଚରଣ ପାଇକ, ଜିଲ୍ଲା ବ୍ୟାଙ୍କର୍ସ କମିଟି ବୈଠକର କନଭେନର ତଥା ୟୁନିୟନ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟପ୍ରବନ୍ଧକ ଗଜେନ୍ଦ୍ରନାଥ ଦାସ, ଜିଲ୍ଲା ନାବାର୍ଡ ଅଧିକାରୀ ପ୍ରତୀକ ପଣ୍ଡା ମଞ୍ଚାସୀନ ହୋଇ ଚାଷୀ ମାନଙ୍କୁ ଋଣ ପ୍ରଦାନ କରିବା, ବାର୍ଷିକ ଋଣ ଯୋଜନାରେ ପ୍ରତି ବ୍ୟାଙ୍କର ବ୍ରାଞ୍ଚ ମାନଙ୍କୁ ଦିଆଯାଉଥିବା ନିର୍ଦ୍ଧାରିତ ଲକ୍ଷ୍ୟ ପୁରଣ ଦିଗରେ କେଉଁ ଶାଖା କେତେ ପରିମାଣର ଲକ୍ଷ୍ୟ ହାସଲ କରିଛନ୍ତି ସେ ସବୁର ଟିକିନିଖି ବିଶ୍ଳେଷଣ କରିଥିଲେ । ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର କିଶୋର ଚନ୍ଦ୍ର ନାଇକ ବୈଠକ କାର୍ଯ୍ୟକ୍ରମରେ କାର୍ଯ୍ୟସୂଚୀ ପ୍ରକାରେ ସମସ୍ତ ଆଲୋଚନା ବିଷୟରେ ସୂଚନା ଦେଇଥିଲେ । ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ୟାଙ୍କର୍ସ ଓ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ ।


