ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସାଇବର କ୍ରାଇମ୍ ଓ ସାଇବର ସେକ୍ୟୁରିଟି ନେଇ ସଚେତନତା ଶିବିର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସାମାଜିକ ଗଣମାଧ୍ୟମର ନିରାପତା-ତଥା-ସାଇବର କ୍ରାଇମ ଓ ସାଇବର ସେକ୍ୟୁରିଟି ଉପରେ ଏକ ଅନ୍ଲାଇନ୍ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଅନ୍ଲାଇନ୍ ସ୍ତରୀୟ ୱେବିନାର ସଭାରେ ଗଜପତି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅରୁଣ କୁମାର ସାହୁ, ବରିଷ୍ଠ ଦେୱାନି ଅଦାଲତର ବିଚାରପତି ଚନ୍ଦ୍ରହାଶ ବେହେରା, ଉପଖଣ୍ଡିୟ ବିଚାର ବିଭାଗୀୟ ଅଧିକାରୀ ବର୍ଷା ଶର୍ମା, ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୁଭଲକ୍ଷ୍ମୀ ପ୍ରୀୟଦର୍ଶନି, ଗଜପତି ଜିଲ୍ଲା ପୋଲିସର ସାଇବର କ୍ରାଇମ ସେଲର କାର୍ଯ୍ୟରତ ଅଧିକାରୀ ପ୍ରଶାନ୍ତ କୁମାର ପରିଚ୍ଛା ସମେତ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ୟାନେଲ ଓକିଲ ବୃନ୍ଦ ଓ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଯୋଗଦେଇଥିଲେ । ସୋସିଆଲ ମିଡିଆର ଉପକାରିତା ଓ ଅପକାରିତା ସମ୍ପର୍କରେ ତଥା କୌଣସି ଅଜଣା ଅନ୍ଲାଇନ ୱେବ ସାଇଟର ଉପଯୋଗ ନକରିବା ଏବଂ କିପରି ଜଣେ ସାଧାରଣ ଲୋକ ସୋସିଆଲ ମିଡିଆ ଦ୍ୱାରା କ୍ଷତି ପାଇଥାଏ ସେ ଉପରେ ଶ୍ରୀ ପରିଛା ପୁଙ୍ଖାନୁପୁଙ୍ଖ ବିବରଣୀ ଉପସ୍ଥାପନ କରିଥିଲେ । ସମସ୍ତ ପ୍ରକାରର ଅନ୍ଲାଇନ୍ ସ୍ତରୀୟ କାର୍ଯ୍ୟ କଲାବେଳେ ଭଲ ଭାବରେ ବୁଝି ବିଚାର ଓ ତାଦରଖ କଲାପରେ ସେ ଉପରେ ଆଗକୁ ବଢିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ସେହିପରି ସାଇବର କ୍ରାଇମ୍ ର ଶିକାର ହୋଇଥିବା ଲୋକ ଯଦି ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ସହାୟତା ନେଇପାରେ ତାହେଲେ କେତେକାଶଂରେ କ୍ଷତି କମ୍ ହୋଇପାରିବ ବୋଲି ଉପସ୍ଥାପନ କରିଥିଲେ । ଏଥିପାଇଁ ପ୍ରାଧିକରଣ ତରଫରୁ କିପରି ଜଣେ ପିଡିତା ବା ପିଡିତକୁ ଆଇନଗତ ସାହାର୍ଯ୍ୟ ଦିଆଯାଇପାରିବ ଏବଂ ଭାରତୀୟ ଦଣ୍ଡ ବିଧାନ ଧାରାରେ ସାଇବର କ୍ରାଇମରେ ବିଭିନ୍ନ ଧାରା ଉପରେ ପ୍ରାଧିକରଣ ସଚିବ ଶ୍ରୀ ନାୟକ ବୁଝାଇଥିଲେ । ଏହି ଅନ୍ଲାଇନ୍ ସ୍ତରୀୟ କାର୍ଯ୍ୟକ୍ରମକୁ ପ୍ରାଧିକରଣ କର୍ମଚାରୀମାନେ ପରିଚାଳନା କରିଥିଲେ ।


