ଗଜପତି ଜିଲ୍ଲା ମଧୁରମ୍ବା ଗ୍ରାମବାସୀଙ୍କ ପାଇଁ ଆଶାର କିରଣ ନେଇ ଆସିଛି ଜଳ ଜୀବନ ମିଶନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶାର ଗଜପତି ଜିଲ୍ଲା ଅଧୀନ ମଧୁରମ୍ବା ଗ୍ରାମବାସୀଙ୍କ ପାଇଁ ବହୁ ଦଶନ୍ଧି ଧରି ପାଣି ସମସ୍ୟା ଲାଗି ରହିଥିଲା। ଖରା ଦିନେ ଏହି ସମସ୍ୟା ଅଧିକ ଉତ୍କଟ ହେଉଥିଲା। ୨୦୧୮ ପର‌୍ୟ୍ୟନ୍ତ ଗାଁର ଲୋକମାନେ ସେମାନଙ୍କର ଦୈନନ୍ଦିନ ପାନୀୟ ଜଳ ଆବଶ୍ୟକତା ପୂରଣ କରିବା ପାଇଁ ସଂଘର୍ଷ କରୁଥିଲେ। ଗାଁ ନିକଟରେ ଜଳ ଉତ୍ସର ଅଭାବ ସେମାନଙ୍କ ଜୀବନକୁ ଦୁର୍ବିସହ କରି ଦେଇଥିଲା। ସମସ୍ତ ଗ୍ରାମବାସୀ ପାନୀୟ ଜଳ ଆବଶ୍ୟକତା ମେଣ୍ଟାଇବା ଲାଗି ଗାଁରେ ଥିବା ମାତ୍ର ୪ଟି ନଳକୂପ ଉପରେ ନିର୍ଭର କରୁଥିଲେ। ମାତ୍ର ଖରା ଦିନେ ଭୂତଳ ଜଳସ୍ତର ହ୍ରାସ ପାଇବା କାରଣରୁ ନଳକୂପରୁ ପାଣି ବାହାରୁନଥିଲା। ଫଳରେ ଗାଁ ଲୋକମାନେ ପାଣି ସନ୍ଧାନରେ ବହୁ ଦୂର ପର‌୍ୟ୍ୟନ୍ତ ଯାତ୍ରା କରିବାକୁ ବାଧ୍ୟ ହେଉଥିଲେ। ଅଗଷ୍ଟ ୨୦୧୯ରେ ଜଳ ଜୀବନ ମିଶନର ଶୁଭାରମ୍ଭ ହେବା ପରେ, ମଧୁରମ୍ବ ଗ୍ରାମବାସୀଙ୍କ ପାଇଁ ଆଶାର ଏକ କିରଣ ଦେଖାଦେଇଥିଲା। ପୂର୍ବରୁ ଏହି କ୍ଷେତ୍ରରେ କାର‌୍ୟ୍ୟ କରୁଥିବା ଗ୍ରାମବିକାଶ ନାମକ ଏକ ସଂଗଠନ ଏହି ସୁଯୋଗର ସଦୁପଯୋଗ କରି ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ଲାଗି ସେମାନଙ୍କୁ ଏକ ପ୍ରସ୍ତାବ ଦେଇଥିଲା। ଗାଁରେ ଏକ ବୈଠକ ଆୟୋଜନ କରାଗଲା ଯେଉଁଠି ଗ୍ରାମବାସୀଙ୍କୁ କେନ୍ଦ୍ର ସରକାରଙ୍କ ‘ହର ଘର ଜଲ’ କାର‌୍ୟ୍ୟକ୍ରମ ସମ୍ପର୍କରେ ଅବଗତ କରାଯାଇଥିଲା, ଏହି ଯୋଜନା ଅଧୀନରେ ୨୦୨୪ ସୁଦ୍ଧା ଦେଶର ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ଜଳଯୋଗାଣ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଏହି ବୈଠକରେ ସୂଚନା ଦିଆଗଲା ଯେ, ଏହି କାର‌୍ୟ୍ୟକ୍ରମରେ ସାମିଲ ହେବା ଫଳରେ ଗାଁର ପ୍ରତ୍ୟେକ ପରିବାର ଟ୍ୟାପ ଜଳ ସଂଯୋଗ ପାଇପାରିବେ। ଏହାପରେ ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗ ସହାୟତାରେ ଏକ ଗ୍ରାମ କାର‌୍ୟ୍ୟ ଯୋଜନା ପ୍ରସ୍ତୁତ କରାଗଲା। ଗ୍ରାମସଭା ଏହି ଯୋଜନାକୁ ମଞ୍ଜୁର କରିବା ପରେ ଏହାକୁ ବିଚାର ଏବଂ କାର‌୍ୟ୍ୟକାରୀ କରିବା ଲାଗି ଜିଲ୍ଲା ପ୍ରଶାସନ ନିକଟକୁ ପଠାଗଲା। ଏହି ମିଶନରେ ସାମିଲ ହେବା ଲାଗି ସ୍ଥାନୀୟ ସମୁଦାୟ ଅଧିକ ବ୍ୟଗ୍ର ଥିଲେ ଏବଂ ସେମାନଙ୍କ ଘରେ ତିନୋଟି ଟ୍ୟାପ ସଂଯୋଗ ପାଇଁ ଅନୁରୋଧ କରିଥିଲେ। କାରଣ ସେମାନେ ଜାଣିଥିଲେ ଯେ ଏହି ସୁବିଧା କେବଳ ସେମାନଙ୍କ ଜୀବନ ଧାରଣକୁ ସହଜ କରିବ ନାହିଁ ବରଂ ପରିବାର ପାଇଁ ମୁଖ୍ୟତଃ ପାଣି ସଂଗ୍ରହ କରିବା ଦାୟିତ୍ବରେ ଥିବା ଝିଅ ଓ ମହିଳାମାନଙ୍କର କଷ୍ଟ ଦୂର କରିପାରିବ। ଅଧିକାଂଶ କ୍ଷେତ୍ରରେ ପରିବାରର ବରିଷ୍ଠ ସଦସ୍ୟମାନଙ୍କର ଯତ୍ନ ନେବା ଏବଂ ଗୃହପାଳିତ ପ୍ରାଣୀଙ୍କୁ ପାଳିବାର ଦାୟିତ୍ବ ମା’ମାନଙ୍କ ଉପରେ ନ୍ୟସ୍ତ ରହୁଥିଲା। ତେଣୁ ଝିଅମାନଙ୍କୁ ପାଣି ସଂଗ୍ରହ କରିବା ଲାଗି ଦୂରକୁ ଯିବାକୁ ପଡ଼ୁଥିଲା, ଫଳରେ ସେମାନେ ସ୍କୁଲ ଛାଡ଼ିବାକୁ ବାଧ୍ୟ ହେଉଥିଲେ। ତିନୋଟି ଟ୍ୟାପ ସଂଯୋଗ ପାଇଁ ଯେଉଁ ଅନୁରୋଧ କରାଯାଇଥିଲା ସେଥି ମଧ୍ୟରୁ ଗୋଟିଏ ରୋଷେଇ ଘରକୁ ପାନୀୟ ଜଳ ଓ ଖାଦ୍ୟ ପ୍ରସ୍ତୁତି ପାଇଁ ଉଦ୍ଦିଷ୍ଟ ଥିଲା, ଅନ୍ୟଟି ଗାଧୁଆ ଘରକୁ ଗାଧୋଇବା ଓ କପଡ଼ା ସଫା କରିବା ଏବଂ ତୃତୀୟଟି ଶୌଚାଳୟରେ ବ୍ୟବହାର ପାଇଁ ଆବଶ୍ୟକ ଥିଲା। ସହଜରେ ଟ୍ୟାପ ପାଣି ସଂଯୋଗ ସୁନିଶ୍ଚିତ କରାଯିବା ସହିତ ଲୋକମାନେ ଯେପରି ଜଳ ଅପଚୟ ନକରନ୍ତି ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଗଲା, ପ୍ରତି ପରିବାରରେ ପାଣି ମିଟର ସଂଯୋଗ କରାଗଲା। ଜଳ ଉପଯୋଗକୁ ଆଧାର କରି ଉପଯୋଗ ଶୁଳ୍କ ବା ୟୁଜର ଫି’ ଆଦାୟ କରାଗଲା। ପାଣି ମିଟର ଲଗାଯିବା ଫଳରେ ଜଳ ଅପଚୟର ନିରାକରଣ ହେଲା କାରଣ ଲୋକମାନଙ୍କୁ କୁହାଗଲା ଯେ ଯଦି ସେମାନେ ବ୍ୟବହାର ହେଉନଥିବା ସମୟରେ ଟ୍ୟାପକୁ ଖୋଲା ଛାଡ଼ିଦେବେ ଏବଂ ପାଣି ଅଧିକ ବୋହିଯିବ ତା’ହେଲେ ସେମାନଙ୍କୁ ଅଧିକ ୟୁଜର ଫି’ ଦେବାକୁ ପଡ଼ିବ। ଗ୍ରାମ ଜଳ ଓ ପରିମଳ ସମିତି ମିଟର ରିଡିଂ ଯାଞ୍ଚ କରୁଥିଲା ଏବଂ ଗ୍ରାମବାସୀଙ୍କ ଠାରୁ ୟୁଜର ଶୁଳ୍କ ଆଦାୟ କରିବା ପାଇଁ ବିଲ୍ ଦେଉଥିଲା। ଗାଁରେ ଟ୍ୟାପ ପାଣି ସଂଯୋଗ ଦିଆଯାଇଥିବା କାରଣରୁ ଗ୍ରାମ ଜଳ ଓ ପରିମଳ ସମିତି ସହଜରେ ନିଜର କାର‌୍ୟ୍ୟ ସମ୍ପାଦନ କଲା। ଗାଁ ଲୋକଙ୍କ ଠାରୁ ସଂଗ୍ରହ କରାଯାଉଥିବା ୟୁଜର ଶୁଳ୍କ ବାବଦ ଅର୍ଥକୁ ଏକ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରେ ଜମା ରଖାଗଲା। ଗାଁରେ ଯୋଜନା ଅଧୀନରେ ନିର୍ମାଣ କରାଯାଇଥିବା ଜଳ ଯୋଗାଣ ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ଅର୍ଥ ବ୍ୟବସ୍ଥା କରିବା ନିମନ୍ତେ କେବଳ ଏହି ଆକାଉଣ୍ଟ ଖୋଲା ଯାଇଥିଲା।
ଗ୍ରାମବାସୀ ମଣ୍ଡଳ କୁହନ୍ତି, ଆମେ ଓଭରହେଡ ଟାଙ୍କିକୁ ପାଣି ଉଠାଇବା ଲାଗି ସୌର ଶକ୍ତିର ଉପଯୋଗ କରୁଛୁ। ଗାଁର ପରିବାର ନିକଟରୁ ଆଦାୟ ହେଉଥିବା ୟୁଜର ଫି’ ନିୟମିତ ସଫେଇ ସହିତ ଜଳ ଯୋଗାଣ ଢାଞ୍ଚାର ରକ୍ଷଣାବେକ୍ଷଣ, ଓଭରହେଡ ଟାଙ୍କିର କ୍ଲୋରିନେସନ, ଫିଲ୍ଡ ଟେଷ୍ଟ କିଟ୍ କିଣିବା ଏବଂ ଆବଶ୍ୟକତା କ୍ଷେତ୍ରରେ ଜଳଯୋଗାଣ ଢାଞ୍ଚାର ମରାମତି ପାଇଁ ବିନିଯୋଗ କରାଯାଇଥାଏ।
ସ୍ଥାନୀୟ ସମୁଦାୟ ସେମାନଙ୍କର ପଞ୍ଚାୟତକୁ ‘ଜଳ ପ୍ରବୁଦ୍ଧ ଗାଁ’ରେ ପରିଣତ କରିବା ଦିଗରେ କାର‌୍ୟ୍ୟ କରୁଛନ୍ତି, ଏଥିପାଇଁ ସେମାନେ ଏକ ଗ୍ରେ ଓ୍ବାଟର ମ୍ୟାନେଜମେଣ୍ଟ ପ୍ଲାନ ପ୍ରସ୍ତୁତ କରିଛନ୍ତି। ରୋଷେଇ ଘର ଏବଂ ଗାଧୁଆ ଘରୁ ବୋହି ଯାଉଥିବା ପାଣିକୁ ରୋଷେଇ ଘର ଉଦ୍ୟାନ (କିଚେନ ଗାର୍ଡେନ) ଆଡ଼କୁ ପ୍ରବାହିତ କରାଯାଉଛି ଯାହାକି ଭୂତଳ ଜଳସ୍ତର ବଜାୟ ରଖିବାରେ ସହାୟକ ହେବ। କିଛି ବର୍ଷ ପୂର୍ବେ ଗାଁରେ ଯେଭଳି ସ୍ଥିତି ଥିଲା ସେଥିରେ ଅନେକ ପରିବର୍ତ୍ତନ ଆସିଛି। ଏହା କେବଳ ଗ୍ରାମବାସୀଙ୍କର ମୌଳିକ ସୁବିଧା ଯୋଗାଇ ଦେଇ ନାହିଁ, ବରଂ ରୋଜଗାର ଏବଂ ନୂଆ କୌଶଳ ଶିଖିବା ମାଧ୍ୟମରେ ଜୀବିକା ସୁଯୋଗ ପ୍ରଦାନ କରିବା ସହ ପ୍ରବାସ ସମସ୍ୟାର ନିରାକରଣ କରିପାରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ