ଗଞ୍ଜାମ ଜିଲ୍ଲାର ୨୨ ଟି ବ୍ଲକର କଳା ସଂସ୍କୃତି ସଂଘର : ଉପସଭାପତି ମାନଙ୍କୁ ନେଇ ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଠାରେ ଜିଲ୍ଲାର ୨୨ ଟି ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ମାନଙ୍କୁ ନେଇ ଏକ ବୈଠକ ଜିଲ୍ଲା ସଂସ୍କୃତି ଅଧିକାରି ଜିତେନ୍ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ସନ୍ତୋଷ କୁମାର ପାଢୀ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । କଳାକାର ମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ପରିଡା ସମସ୍ତଙ୍କ ସହ ଆଲୋଚନା କରିଥିଲେ । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସିଟିଏମଏସ ଦ୍ୱାରା ପଞ୍ଜୀକରଣ କରାଯିବା ଏବଂ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ଜିଲ୍ଲାରେ କଳାକୁ ଆଧାର କରି ପରିବାର ପ୍ରତିପୋଷଣ କରୁଥିବା ପ୍ରତ୍ୟେକ କଳାକାର କିପରି ସିଟିଏମଏସ ଏବଂ ଏମକେଏସୱାଇ ଯୋଜନାରୁ ବଂଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଇଥିଲା । ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁଯାୟୀ ଚୟନ ପ୍ରକ୍ରିୟା କୁ ସ୍ୱଚ୍ଛ ଭାବେ କରାଯିବା ସହ ଏଥିରେ କୌଣସି ମଧ୍ୟସ୍ଥି ନ ରହି ସମସ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । କଳା ସଂସ୍କୃତି ସଂଘର ସମସ୍ତ ଉପସଭାପତି ମାନେ ନିଜ ନିଜର କଳାକୁ ନେଇ ଉପୁଜୁଥିବା ସମସ୍ୟା କୁ ସଂସ୍କୃତି ଅଧିକାରୀଙ୍କୁ ଜଣାଇଥିଲେ । ସେଗୁଡିକର ସମସ୍ୟା ଦିଗରେ ଧ୍ୟାନ ଦେବେ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ପରିଡା ପ୍ରତିଶୃତି ଦେଇଥିଲେ । ଉକ୍ତ ବୈଠକରେ ସହଭାଗୀତା କାର୍ଯ୍ୟକ୍ରମ, ଭାଗବତ ଟୁଙ୍ଗୀର ପୁନଃରୁଦ୍ଧାର ନେଇ ଆଲୋଚନା ହୋଇଥିଲା । ଏଥିରେ କଳା ଏବଂ କଳାକାର ମାନଙ୍କ ଉନ୍ନତି ସକାଶେ ଗଞ୍ଜାମ ଜିଲ୍ଲାର ୨୨ ଟି ବ୍ଲକ ର ସମସ୍ତ କଳାକାର ମାନଙ୍କୁ ନେଇ ଗଞ୍ଜାମ ଜିଲ୍ଲା ଭଞ୍ଜ କଳାକାର ମହାସଂଘ ଗଠନ ହୋଇଥିଲା । ଏହି ମହାସଂଘରେ ସଭାପତି ଭାବେ ସନ୍ତୋଷ କୁମାର ପାଢୀ, ଉପ ସଭାପତି ଭାବେ ମହେଶ୍ୱର ବରାଡ, ସମ୍ପାଦକ ଭାବେ ଜଗଦୀଶ ପାଣିଗ୍ରାହୀ, ସହ ସମ୍ପାଦକ ଭାବେ ମାଧବ ଚନ୍ଦ୍ର ବାଡତ୍ୟା, କୋଷାଧ୍ୟକ୍ଷ ଭାବେ ବିଜୟ କୁମାର ଦୋରା ଏବଂ ମୁଖ୍ୟ ଉପଦେଷ୍ଠା ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ କୁମାର ପରିଡା ଓ ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ କୃଷ୍ଣ ଚନ୍ଦ୍ର ନିଶାଙ୍କଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । କଳାର ବିକାଶ ସହିତ କଳାକାର ମାନଙ୍କ ସାମାଜିକ ଓ ସାଂସ୍କୃତିକ ବିକାଶ ଏହାର ମୁଖ୍ୟ ଲକ୍ଷ । ଏହା ସହିତ ସୁପ୍ତ ଅବସ୍ଥାରେ ଥିବା କଳା ଓ କଳାକାର ମାନଙ୍କୁ ତ୍ୱରାନ୍ନିତ କରିବା ପାଇଁ ଏହି ମହାସଂଘ ଗଠନ କରାଯାଇଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ପରିଡା କହିଛନ୍ତି ।


