ଗମନାଗମନର ସୁବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ଗୁରାଣ୍ଡି ଗ୍ରାମବାସୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗମନାଗମନ ପାଇଁ ବସର ସୁବିଧା ଯୋଗାଇ ଦେବାକୁ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ସମେତ ପରିବହନ ମନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୋମବାର ଦିନ ଭୁବନେଶ୍ଵରରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁରାଣ୍ଡି ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଠାରେ ପହଞ୍ଚି ଗମନାଗମନ ପାଇଁ କେତେକ ବସ ବ୍ୟବସ୍ଥା କରିବାପାଇଁ ଗୁହାରି କରିଛନ୍ତି । ଗୁରାଣ୍ଡି ବରିଷ୍ଠ ନାଗରିକ ମଞ୍ଚର ପ୍ରଶାନ୍ତ କୁମାର ଜେନାଙ୍କ ନେତୃତ୍ବରେ ମଞ୍ଚର ସଦସ୍ୟ ଅର୍ଜୁନ ଦଳେଇ, ନୀଳମଣୀ ପାତ୍ର, ପିନାକି ଜେନା, ଗତ ନିର୍ବାଚନରେ ପାରଳାଖେମୁଣ୍ଡି ସ୍ବାଧୀନ ବିଧାୟକ ପ୍ରାର୍ଥୀ ହୋଇଥିବା ସଞ୍ଜୟ କୁମାର ରାଉତ ପ୍ରମୁଖ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କୁ ବସ ଚଳାଚଳ ପାଇଁ ଅଭିଯୋଗ କରିଥିଲେ। ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କୁ ଭେଟି ଗୁରାଣ୍ଡି ଗ୍ରାମ ଠାରୁ କିମ୍ବା ଏହି ଗ୍ରାମ ଦେଇ ରାଜଧାନୀ ଭୁବନେଶ୍ବର, କଟକ, ବ୍ରହ୍ମପୁର, ନବରଙ୍ଗପୁର, ଜୟପୁର, କୋରାପୁଟ ଆଦିକୁ ବସ୍ ଚଳାଚଳ ପାଇଁ ନିବେଦନ କରିଥିଲେ । ପ୍ରଥମେ ଭୁବନେଶ୍ଵର ଓ ନବରଙ୍ଗପୁର ପର୍ଯ୍ୟନ୍ତ ବସ ଚଳାଚଳ ପାଇଁ ବ୍ୟବସ୍ଥା କରାଯିବା କରାଯିବା ବୋଲି ପରିବହନ ମନ୍ତ୍ରୀ ଶ୍ରୀ ଜେନା ପ୍ରତିଶ୍ରୁତି ଦେଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କୁ ଗୁରାଣ୍ଡି ବରିଷ୍ଠ ନାଗରିକ ମଞ୍ଚ ତଥା ଗୁରାଣ୍ଡି ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି।


