ଗର୍ଭବତୀ ଶିଶୁକୁ ଜନ୍ମଦେଲେ ମହିଳା
ଜଣେ ମହିଳା ଗର୍ଭବତୀ ଶିଶୁକୁ ଜନ୍ମଦେବା ଘଟଣା ସାମ୍ନାକୁ ଆସିଛି । ଏହା ଡାକ୍ତରମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସମ୍ପୃକ୍ତ ମହିଳା ଜଣଙ୍କ ଏକ ଶିଶୁ ପ୍ରସବ କରିବା ପରେ ଡାକ୍ତରମାନେ ଶିଶୁଟିର ଅସ୍ତ୍ରୋପଚାର କରାଇଥିଲେ । ଏକ ବିରଳ ଶାରୀରିକ ସମସ୍ୟା ପାଇଁ ଶିଶୁ ମାତୃଗର୍ଭରେ ଗର୍ଭବତୀ ହୋଇଥିବା ଡାକ୍ତରମାନେ ଜାଣିବାକୁ ପାଇଛନ୍ତି । କଲୋମ୍ବିଆରେ ରହୁଥିବା ମେନିକା ବେଗାଙ୍କ କ୍ଷେତ୍ରରେ ଏଭଳି ବିରଳ ଘଟଣା ଘଟିଛି । ସମ୍ପ୍ରତି ଶିଶୁର ଅସ୍ତ୍ରୋପଚାର ପରେ ତା’ର ଅବସ୍ଥା ସୁଧୁରୁଥିବା ଜଣାପଡ଼ିଛି ।
ମୋନିକାଙ୍କ ପ୍ରସବ ପୂର୍ବରୁ ଅଲ୍ଟ୍ରାସାଉଣ୍ଡ୍ କରାଯିବା ସମୟରେ ଶିଶୁଟି ମଧ୍ୟରେ ଥିବା ସମସ୍ୟା ସମ୍ପର୍କରେ ଡାକ୍ତରମାନେ ଜାଣିବାକୁ ପାଇଥିଲେ । ମୋନିକାଙ୍କର ଦୁଇଟି ଗର୍ଭନଳୀ ଥିବା ଜଣାପଡ଼ିଥିଲା । ପ୍ରଥମେ ଡାକ୍ତରମାନେ ଅନୁମାନ ଲଗାଇଥିଲେ ଯେ, ମହିଳାଙ୍କ ପେଟରେ ଯମଜ ସନ୍ତାନ ରହିଛନ୍ତି । କିନ୍ତୁ ପରେ ଜଣାପଡ଼ିଲା, ତାଙ୍କ ପେଟରେ ଥିବା ଶିଶୁ ପେଟରେ ଆଉ ଏକ ଭ୍ରୂଣ ରହିଛି । ଶିଶୁଟି ନିଜ ଗର୍ଭକୁ ଏକ ବିକଶିତ ଭ୍ରୂଣକୁ ଅବଶୋଷିତ କରିନେଇଥିବା କହିଛନ୍ତି ଡାକ୍ତର । ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଯେତେବେଳେ ଶରୀର ମଧ୍ୟରେ ଗୋଟିଏ ଭ୍ରୂଣର ବିକାଶ ଅବିକଶିତ ଗର୍ଭାବସ୍ଥାରେ ବନ୍ଦ ହୋଇଯାଇଥାଏ, ସେହି ସମୟରେ ଏଭଳି ବିରଳ ଘଟଣା ଘଟିଥାଏ । ବିକଶିତ ଭ୍ରୂଣ ମଧ୍ୟକୁ ଅବିକଶିତ ଭ୍ରୂଣ ପ୍ରବେଶ କରିଯାଇଥାଏ । ଯାହା ମୋନିକାଙ୍କ କ୍ଷେତ୍ରରେ ଘଟିଥିଲା । ଭ୍ରୂଣ ଥିବା ଶିଶୁଟି ଜନ୍ମ ହେବାର ୨୪ ଘଣ୍ଟା ପରେ ଅସ୍ତ୍ରୋପଚାର କରାଯାଇ ପେଟ ଭିତରେ ଥିବା ଭ୍ରୂଣକୁ କଢ଼ାଯାଇଥିଲା । ଅସ୍ତ୍ରୋପଚାର ସମୟରେ ଭ୍ରୂଣର ହୃଦୟ ଓ ମସ୍ତିଷ୍କ ବିକାଶ ହୋଇନଥିଲା ବୋଲି ଡାକ୍ତରମାନେ କହିଛନ୍ତି ।


