ଗୁଡ଼ିପଲ୍ଲୀରେ ପଞ୍ଚୁଦଣ୍ଡ ମହାମିଳନ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗୁରୁବାର ବେଲଗୁଣ୍ଠା ବ୍ଳକ୍ ଗୁଡ଼ିପଲ୍ଲୀ ଗ୍ରାମର ପାଞ୍ଚ ସାହି କୋଠ ତଥା ଗୁଡ଼ିପଲ୍ଲୀ,ସରପଲ୍ଲୀ,ବଢ଼େଇ ସାହି,ସୁନାରୀ ସାହି ଏବଂ ତଳ ଗୁଡ଼ିପଲ୍ଲୀ ଆନୁକୂଲ୍ୟରେ ପଞ୍ଚୁଦଣ୍ଡ ମହାମିଳନ ଅନୁଷ୍ଠିତ ହୋଇଯାଇଛି I ଏହି ମହାମିଳନରେ ସିଂହମର୍ଦ୍ଦନ,ନାରୀଗୋଛା,ସୁନାକେରା,କୁଶପଲ୍ଲୀ ଏବଂ ଝାଡ଼ଭୂମି ଦଣ୍ଡଦଳ ଅଂଶଗ୍ରହଣ କରିଥିଲେ I ବିଧିବିଧାନ ମୁତାବକ ଆଜି ସକାଳୁ ସମସ୍ତ ଦଣ୍ଡଦଳକୁ ଆବାହନ କରାଯାଇଥିବା ବେଳେ ମଧ୍ୟାହ୍ନରେ ଧୂଳି ଦଣ୍ଡ, ପାଣିଦଣ୍ଡ ଏବଂ ଅପରାହ୍ଣରେ ପଞ୍ଚୁଦଣ୍ଡ ମହାମିଳନ ଅନୁଷ୍ଠିତ ହୋଇଥିଲା I ଏହି ପଞ୍ଚୁଦଣ୍ଡ ମହାମିଳନ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ତିରିଶ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା I ଯାତ୍ରା ପରିଚାଳନାରେ ଯାତ୍ରା କମିଟି ଉପଦେଷ୍ଟା ସୁବ୍ରତ ପାତ୍ର,କମିଟି ମୁଖ୍ୟ ଜିତେନ୍ଦ୍ର ପାତ୍ର, ତ୍ରିଲୋଚନ ବିଷୋୟୀ, ସୁରେଶ ତ୍ରିପାଠି,ପ୍ରଶାନ୍ତ ପାତ୍ର, ଅଜୟ ପାତ୍ର, ଅଜୟ ପାତ୍ର ଏବଂ ଗୁଡ଼ିପଲ୍ଲୀ,ସରପଲ୍ଲୀ,ବଢ଼େଇ ସାହି,ସୁନାରୀ ସାହି ଏବଂ ତଳ ଗୁଡ଼ିପଲ୍ଲୀ ବାସୀନ୍ଦା ସହଯୋଗ କରିଥିଲେ I ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ସାହୁଙ୍କ ତତ୍ତ୍ୱାବଧାନରେ ପୋଲିସ୍ ବାହିନୀ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ I ସମସ୍ତ ଦଣ୍ଡ ଦଳ ପକ୍ଷରୁ ରାତିରେ ଆଳତି ଏବଂ ପ୍ରସାଦ ସେବନ ପରେ ପୌରାଣିକ ନାଟକ ମଞ୍ଚସ୍ଥ ହୋଇଥିଲା I


