ଗୁରୁକୃପା ସମ୍ମାନ ଉତ୍ସବ ଉଦ୍ଯାପିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟ, ଉତ୍କଳ ରଙ୍ଗମଞ୍ଚରେ ‘ଗୁରୁକୃପା ସମ୍ମାନ ପ୍ରଦାନ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି । ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରମ ପକ୍ଷରୁ ଆୟୋଜିତ ଉଦ୍ଯାପନ ଉତ୍ସବରେ ସ୍ୱନାମଧନ୍ୟ ନାଟ୍ୟକାର ଡ଼କ୍ଟର ରମେଶ ପ୍ରସାଦ ପାଣଗ୍ରାହୀଙ୍କୁ ‘ଗୁରୁକୃପା ସମ୍ମାନ-୨୦୨୨ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିବା ବେଳେ ବିଶିଷ୍ଟ ତବଲା ବାଦକ ଗୁରୁ କୁଳମଣି ସାହୁଙ୍କୁ ସୃଜନଶୀଳ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି । ଏଥିରେ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ରୂପେ ବିଧାୟକ ରାଜକିଶୋର ଦାସ, ବିଧାୟକ ମୁକେଶ ପାଳ, ଅବସରପ୍ରାପ୍ତ ଆଇଏଏସ୍ ଅଶୋକ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । କଳାଶ୍ରମର ଉପଦେଷ୍ଟା ମନୋଜ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ଗୁରୁ ବିମ୍ବାଧର ଦାସ, ବିଶିଷ୍ଟ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା, ନାଟ୍ୟକାର ସୁଧାଂଶୁ ଶେଖର ନାୟକ, ଗୁୁୁରୁ ବିଜୟ କୁମାର ଦାସ ମଞ୍ଚରେ ଉପସ୍ଥିତ ଥିଲେ । କଳାଶ୍ରମର ସମ୍ପାଦକ ଗୁରୁ ନିତ୍ୟାନନ୍ଦ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ଦିବ୍ୟାଙ୍ଗ ଶିଳ୍ପୀ ଅସିତ କୁମାର ମହାପାତ୍ରଙ୍କ ବଂଶୀ ବାଦନରୁ । ପରେ ଗୁରୁ କୁଳମଣି ସାହୁ ଓ ଗୀତ ଗୁଞ୍ଜନ ସାହୁ ତବଲା ବାଦନ ପରିବେଷଣ କରିଥିଲେ । ଏକକ ନୃତ୍ୟାଭିନୟ ଦିବ୍ୟାଙ୍ଗ କଳାକାର ହରିହର ଦେଓ ପରିବେଷଣ କରି ଦର୍ଶକଙ୍କୁ ମୁଗ୍ଧ କରିଥିଲା । ପରେ ଆତ୍ମନ ଫାଉଣ୍ଡେସନର ଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ନୃତ୍ୟାତ୍ମା ଅନୁଷ୍ଠାନର ନୃତ୍ୟଶିଳ୍ପୀ ମାନଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ନୃତ୍ୟ ବେଶ୍ ଚିତ୍ତାକର୍ଷକ ହୋଇଥିଲା । ପରେ ଉଡ୍ର ଭୁବନେଶ୍ୱରର ଶିଳ୍ପୀମାନେ ଓଡ଼ିଶୀ ଶୈଳୀରେ ବନ୍ଦେ ମାତାରଂ ପରିଷେଣ କରିଥିଲେ । ଶେଷ ପର୍ଯ୍ୟାୟରେ ମା’ ନୃତ୍ୟମଞ୍ଜରୀ ମଙ୍ଗଳପୁର, ପୁରୀର କଳାକାରମାନଙ୍କ ଦ୍ୱାରା ପରିବେଷିତ ପଲ୍ଲୀ ନ୍ୟତ୍ୟାଭିନୟନ ଚଇତି ଘୋଡ଼ା ଓ ଗାଁ ଚଉକିଆ ଦର୍ଶକଙ୍କ ମନ ମୋହିଥିଲା । କାର୍ଯ୍ୟକ୍ରମକୁ ବିଶ୍ୱଜିତ ବଳିୟାରସିଂ ଉପସ୍ଥାପନ କରିଥିବା ବେଳେ ଗୁରୁ ରମେଶ ଜେନା ଆଲୋକ ସମ୍ପାତ କରିଥିଲେ ।


