ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫୬,୧୧୦ ରୋଗୀ ସୁସ୍ଥ
ନୂଆଦିଲ୍ଲୀ:ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୫୬,୧୧୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦକ୍ଷତାପୂର୍ଣ୍ଣ ଆବଧାଞ୍ଚଳ ପରିଚାଳନା, ବ୍ୟାପକ ନମୁନା ପରୀକ୍ଷଣ ଓ ଗୁଣାତ୍ମକ ଉପଚାର ଯୋଗୁଁ ଏହା ସମ୍ଭବ ହୋଇପାରିଛି । କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵିତ ଉଦ୍ୟମ ଯୋଗୁଁ ଆରୋଗ୍ୟ ହାର ମଧ୍ୟ ନିୟମିତ ଭାବେ ବୃଦ୍ଧି ପାଉଛି । ଜୁଲାଇ ପ୍ରଥମ ସପ୍ତାହରେ ପ୍ରତିଦିନ ହାରାହାରି ୧୫ ହଜାର ରୋଗୀ ଆରୋଗ୍ୟ ହେଉଥିବା ବେଳେ ଚଳିତ ମାସର ପ୍ରଥମ ସପ୍ତାହରେ ପ୍ରତିଦିନ ଏହା ୫୦ ହଜାରରୁ ଅଧିକ ହୋଇଛି । ଅଧିକ ରୋଗୀ ଆରୋଗ୍ୟ ହୋଇ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ବେଳେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୬ ଲକ୍ଷ ଟପି ୧୬,୩୯,୫୯୯ରେ ପହଞ୍ଚିଛି । ଆରୋଗ୍ୟ ହାର ମଧ୍ୟ ୭୦.୩୮ ପ୍ରତିଶତରେ ପହଞ୍ଚିଛି ।
ଦେଶରେ ପ୍ରକୃତ ସକ୍ରିୟ ରୋଗୀ ସଂଖ୍ୟା ୬,୪୩,୯୪୮, ଯାହାକି ମୋଟ ପଜିଟିଭ ସଂଖ୍ୟାର ୨୭.୬୪ ପ୍ରତିଶତ । ସେମାନେ ସକ୍ରିୟ ଡାକ୍ତରୀ ତତ୍ଵାବଧାନରେ ଅଛନ୍ତି । ଏହିପରି କ୍ରମାଗତ ଭାବେ ଆରୋଗ୍ୟ ହାର ବୃଦ୍ଧି ପାଉଥିବାରୁ ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ପାଖାପାଖି ୧୦ ଲକ୍ଷରୁ ଅଧିକ ହୋଇଛି ।ହସ୍ପିଟାଲ ଉପଚାରର ଗୁଣାତ୍ମକ ମାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ତଥା ରୋଗୀମାନଙ୍କୁ ତୁରନ୍ତ ଆମ୍ବୁଲାଂଶ ଯୋଗେ ଡାକ୍ତରଖାନାରେ ପହଞ୍ଚାଇ ସମୟୋପଯୋଗୀ ଉପଚାର କରାଇବା ଯୋଗୁଁ ମୃତ୍ୟୁହାର ମଧ୍ୟ ଆଶାତୀତ ହ୍ରାସ ପାଇଛି । ଏହା ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ ହୋଇ ମାତ୍ର ୧.୯୮ ପ୍ରତିଶତରେ ରହିଛି । ଭାରତର ପରୀକ୍ଷା, ଚିହ୍ନଟ, ଚିକିତ୍ସା ସଫଳ ରଣନୀତି ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୭,୩୩,୪୪୯ଟି ନମୁନା ପରୀକ୍ଷା କରାଯାଇପାରିଛି । ଏହାଫଳରେ ମୋଟ ପରୀକ୍ଷଣ ସଂଖ୍ୟା ୨.୬୦ କୋଟିରୁ ଅଧିକ ହୋଇଛି । ୧ ନିୟୁତରେ ଏହା ବର୍ତ୍ତମାନ ହାରାହାରି ୧୮,୮୫୨ ରହିଛି ।
ଦେଶରେ ନମୁନା ପରୀକ୍ଷାର ସୁବିଧା ପାଇଁ ପରୀକ୍ଷାଗାରଗୁଡିକର ସଂଖ୍ୟା ମଧ୍ୟ ନିୟମିତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ସରକାରୀ କ୍ଷେତ୍ରରେ ୯୪୪ ଓ ଘରୋଇ କ୍ଷେତ୍ରରେ ୪୭୭ ଏହିପରି ମୋଟ ୧୪୨୧ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି ।
କୋଭିଡ୍ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA ।
କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019@gov.in and @CovidIndiaSeva ।
କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।
ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ ।


