ଘର ତାଲାଭାଙ୍ଗି ନେଇଗଲେ ୨ଲକ୍ଷ ଟଙ୍କାର ଅଳଙ୍କାର ଓ ନଗଦ ଅର୍ଥ
ଚୌଦ୍ୱାର, (ଦୀପକ୍ କୁମାର ବେଉରା) : ଚୌଦ୍ୱାର ଥାନା ଅନ୍ତର୍ଗତ ପୌରପାଳିକାର ୧୭ ନମ୍ବର ୱାର୍ଡ ଧୂମାବତୀ ବିହାରରେ ତାଲା ଭାଙ୍ଗି ଘରୁ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ । ଏଠାରେ ରହୁଥିବା ଅବସରପ୍ରାପ୍ତ ସାମରିକ ଅଧିକାରୀ ପ୍ରମୋଦ କୁମାର ତୁଙ୍ଗଙ୍କ ଘରୁ ବୁଧବାର ବିଳମ୍ବିତ ରାତିରେ ହୋଇଛି ଏହି ଚୋରି । ଘରମାଲିକ ତାଙ୍କ ପତ୍ନୀଙ୍କୁ ନେଇ ପୁଅ ରହୁଥିବା ମଧ୍ୟପ୍ରଦେଶର ଜବଲପୁର ଯାଇଛନ୍ତି । ଏହାର ସୁଯୋଗ ନେଇ ଦୁର୍ବୁତ୍ତମାନେ ଘର ପଛପଟୁ କବାଟ ତାଲା ଭାଙ୍ଗି ଭିତରେ ପଶି ଆଲମିରାର ଲକର ତାଡି ସେଥିରେ ଥିବା ୨୫ଗ୍ରାମ ଓଜନ ସୁନା ହାର, ଗୋଟିଏ ହଳ କାନଫୁଲ ଓ ୧୦ଟି ସୁନାମୁଦି ଓ ନଗଦ ୩୦ହଜାର ଟଙ୍କା ନେଇ ପଳାଇଛନ୍ତି । ଘରର ଅନ୍ୟ କୌଣସି ସାମଗ୍ରୀରେ ମଧ୍ୟ ଚୋର ହାତ ମାରିନାହିଁ । ଘର କଥା ବୁଝାସୁଝା କରୁଥିବା ମହିଳା ଜଣକ ସକାଳୁ ଆସି ଘର କବାଟ ଭଙ୍ଗା ହୋଇଥିବା ଦେଖି ପଡୋଶୀମାନଙ୍କୁ ଖବର ଦେଇଥିଲେ । ଏ ସୂଚନା ଘରମାଲିକ ପାଇବା ପରେ ସେ ମେଲ କରି ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସାଇଣ୍ଟିଫିକ ଟିମ୍ ସହ ଡଗ୍ ସ୍କ୍ୱାର୍ଡ ଆସି ଘଟଣାସ୍ଥଳରେ ତଦନ୍ତ କରିବା ସହ ସେଠାରେ ଥିବା ଆଙ୍ଗୁଳିଛାପ ନେଇଥିଲେ । ଘଟଣା ପଛରେ କୌଣସି ଜଣାଶୁଣା ଲୋକର ହାତଥିବା କଥା ସନ୍ଦେହନ କରାଯାଉଛି । ଚୋରି ସାମଗ୍ରୀର ମୂଲ୍ୟ ଆନୁମାନିକ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି ।


