ଚିଙ୍ଗୁଡ଼ି କରୋନା ଭୂତାଣୁର ବାହକ: ଚୀନ୍

ନୂଆଦିଲ୍ଲୀ: ଆମଦାନି ହେଉଥିବା ଚିଙ୍ଗୁଡ଼ିଗୁଡ଼ିକର ନମୁନାରୁ କରୋନାଭାଇରସ୍ ପଜିଟିଭ୍ ବାହାରିଛି। ଏଭଳି ମତଦେଇଛି ଚୀନ୍। ଚୀନ୍‌ର କଷ୍ଟମ୍ ବିଭାଗର ସାଧାରଣ ପ୍ରଶାସନ କହିଛି, ଚିଙ୍ଗୁଡ଼ି ପ୍ୟାକେଜିଙ୍ଗ୍‌ର ଭିତର ଓ ବାହାର ନମୁନା ଭାଇରସ୍ ପଜିଟିଭ୍‌ ବାହାରିଛି। ଏହି ନମୁନାଗୁଡ଼ିକ ତିନୋଟି ଇକ୍ବାଡୋରୀୟ ଫ୍ରୋଜେନ୍‌ ପ୍ଲାଣ୍ଟ୍‌ରୁ ନିଆଯାଇଥିଲା। ତେଣୁ, ସେହି ପ୍ରକ୍ରିୟାକାରୀମାନଙ୍କ ଠାରୁ ସମସ୍ତ ଆମଦାନି ବନ୍ଦ କରାଯିବ। କିନ୍ତୁ, ଭୂତାଣୁ ପଜିଟିଭ୍ ବାହାରିଥିବା କଥା ଉପରେ ଏକ ଅଗ୍ରଣୀ ଇକ୍ବାଡୋରୀୟ ଚିଙ୍ଗୁଡ଼ି ରପ୍ତାନିକାରୀ ଏହାକୁ ଅଗ୍ରାହ୍ୟ କରି ଯୁକ୍ତି ଉତ୍ଥାପନ କରିଛନ୍ତି। କଷ୍ଟମ୍ ବିଭାଗରେ ଥିବା ଖାଦ୍ୟ ଆମଦାନି ଓ ରପ୍ତାନି ବ୍ୟୁରୋର ନିର୍ଦେଶକ ବାଇ କେକ୍ସିନ୍ କହିଛନ୍ତି, ପରୀକ୍ଷା ଫଳର ଅର୍ଥ ନୁହେଁ ଯେ, ଭୂତାଣୁ ଚିଙ୍ଗୁଡ଼ିରେ ସଂକ୍ରମଣ ହେଉଛି। ଏହା କମ୍ପାନିର ଖାଦ୍ୟ ନିରାପତ୍ତା ନିୟମରେ ହେଉଥିବା ଅନିୟମିତତାର ପ୍ରତିଫଳନ ମାତ୍ର। ତେଣୁ, ଆମଦାନି ହେଉଥିବା କୋଲ୍‌ଡ୍ ଚେନ୍ ଖାଦ୍ୟର ଉତ୍ପତ୍ତି ସ୍ଥାନରେ କଷ୍ଟମ୍ ନିଜର ନିୟନ୍ତ୍ରଣ ଆହୁରି ମଜଭୁତ କରିବ। ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ସ୍ୟାଲ୍‌ମନ୍‌ ମାଛ କରୋନାଭାଇରସ୍ ବାହକ ବୋଲି ମଧ୍ୟ ଗତ ମାସରେ ଚୀନ୍ କହିଥିଲା କିନ୍ତୁ, ତାହାର କୌଣସି ପ୍ରମାଣ ମିଳିଲା ନାହିଁ। କିନ୍ତୁ, ସେ ଘଟଣା ପରେ ଚୀନ୍ ବନ୍ଦରମାନଙ୍କରେ କୋଲ୍‌ଡ୍‌ ଫୁଡ୍ ଆମଦାନିସ୍ଥଳରେ ସମୂହ ପରୀକ୍ଷଣ କରିବା ସହ ବିଦେଶୀ ମାଂସ ପ୍ଲାଣ୍ଟ୍‌ରୁ ଆସୁଥିବା ମାଲ୍ ଅଟକ ରଖୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ