ଛତ୍ରପୁର ଡାକ୍ତରଖାନାର ଅବ୍ୟବସ୍ଥାକୁ ସୁଧାର ଆଣିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାର ଅବ୍ୟବସ୍ଥାକୁ ତୁରନ୍ତ ସୁଧାର ଆଣିବା ନିମନ୍ତେ ଛତ୍ରପୁର ବ୍ଲକ ଜନସାଧାରଣ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା ଉପରେ ଛତ୍ରପୁୁର, ଗଞ୍ଜାମ, କୃଷ୍ଣପ୍ରସାଦ ବ୍ଲକ ସମେତ ଛତ୍ରପୁର, ଗଞ୍ଜାମ ଓ ରମ୍ଭା ଏନ୍ଏସି ଅଞ୍ଚଳବାସୀ ନିର୍ଭର କରୁଛନ୍ତି । ଏହାସହ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାରୁ ଆହତମାନଙ୍କୁ ତ୍ୱରିତ ଚିକିତ୍ସା କ୍ଷେତ୍ରରେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା ଉପରେ ନିର୍ଭର କରାଯାଉଛି । ହେଲେ ଛତ୍ରପୁର ଡାକ୍ତରଖାନାରେ ଭେଷଜ ବିଶେଷଜ୍ଞ, ସର୍ଜରୀ ଡାକ୍ତର ଏବଂ ପରୀକ୍ଷା ନିରୀକ୍ଷା କରିବା ପାଇଁ କର୍ମଚାରୀ ଅବଶ୍ୟକତା ଠାରୁ କମ୍ ଥିବା ବେଳେ ଆବଶ୍ୟକୀୟ ସରଞ୍ଜାମ ନାହିଁ । ବ୍ଲଡ୍ ବ୍ୟାଙ୍କ୍ ଠିକ୍ ଭାବରେ କାର୍ଯ୍ୟକାରୀ କରୁନାହିଁ । ରାତ୍ର ସମୟରେ ବିଶେଷଜ୍ଞ ଡାକ୍ତର ରହୁନାହାନ୍ତି । ଅଧିକାଂଶ ଡାକ୍ତର ବ୍ରହ୍ମପୁର ଯିବାଆସିବା କରୁଛନ୍ତି । ଛତ୍ରପୁର ଉପଖଣ୍ଡସ୍ତରୀୟ ଡାକ୍ତରଖାନା ହୋଇଥିଲେ ସୁଦ୍ଧା ରେଫରାଲ୍ ଡାକ୍ତରଖାନା ଭଳି କାମ କରୁଛି । ଅଧିକାଂଶ ରୋଗୀଙ୍କୁ ସଠିକ୍ ଚିକିତ୍ସା ନ କରି ଅନ୍ୟ ମେଡିକାଲକୁ ପଠାଇ ଦେଇ ନିଜ ଦାୟିତ୍ୱରୁ ଓହରି ଯାଉଛନ୍ତି । ଫଳରେ ଡାକ୍ତରଖାନା ରେ ବେଡ୍ ଖାଲି ପଡୁଛି । ଗରିବ ରୋଗୀ ଉପଯୁକ୍ତ ଚିକିତ୍ସା ନ ପାଇ ବାହାରକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଛି । ଏଣୁ ତୁରନ୍ତ ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ସୁଧାର ଅଣାଯିବା ପାଇଁ ଛତ୍ରପୁର ବ୍ଲକ ଜନସାଧାରଣ ଦାବି କରିଛନ୍ତି । ନଚେତ ଆସନ୍ତା ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ କଂଗ୍ରେସ ନେତା ଭାଗିରଥୀ ବେହେରା, ଆଇନଜୀବୀ ବାବୁ ନାହାକ, ସୁମା ଦାସ, ଟି.କ୍ରିଷ୍ଣା ରେଡ୍ଡୀ, ଟି.ରାଙ୍ଗା ରାଓ, ଇଜୁ ଆମିନ୍ ଖାନ୍, ପି.ଧର୍ମା ରେଡ୍ଡୀ, ଟି.ସିଏଚ୍.ରେଡ୍ଡୀ, ଋଷିକୁଲ୍ୟା ରୟତ ମହାସଭାର ସଂପାଦକ ସିମାଞ୍ଚଳ ନାହାକ ପ୍ରମୁଖ ଉପସ୍ଥିତ ଥିଲେ ।


