ମାତୃଭାଷା ଓ ଭୂମି ପ୍ରତି କୁଠାରଘାତକୁ ଦୃଢ଼ ନିନ୍ଦା କଲା ‘ଓଡ଼ିଶା ନାଗରିକ ମହାମଞ୍ଚ’
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆନ୍ଧ୍ର ଓ ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା କରାଯାଉଥିବା ଆମ ମାତୃଭାଷା, ମାତୃଭୂମି ଉପରେ କୁଠାରଘାତକୁ ଓଡ଼ିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ଉପସଭାପତି ପ୍ରଦୀପ ବିଶ୍ୱାଳ, ଅମରେନ୍ଦ୍ର ମହାପାତ୍ର, ବିଜୟ ପରିଡ଼ା, ଯନ୍ତ୍ରୀ ଶିଶିର ନାୟକ, ରମେଶ ଚନ୍ଦ୍ର ପାତାଳ ସିଂ ପ୍ରମୁଖ ଦୃଢ଼ ବିରୋଧ ଓ ଘୋର ନିନ୍ଦା ପ୍ରକାଶ କରିଛନ୍ତି । ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଛନ୍ତି ଯେ, ଓଡ଼ିଆ ଭାଷାକୁ ଝାଡ଼ଖଣ୍ଡ ଓ ଆନ୍ଧ୍ର ସରକାର ଯେଉଁପରି ଭାବରେ ପ୍ରହାର କରିଛନ୍ତି, କୋଟିଆଠାରେ ଜୋରଜବରଦସ୍ତ ନିଜ ଭାଷାକୁ ଲଦିଦେବା, ଫଳକ ଲଗାଇବା, ତଥା ଆମ ନିରୀହ ଜନତାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ପ୍ରଭାବିତ କରିବାକୁ ବରଦାସ୍ତ କରାଯିବ ନାହିଁ । ଏ ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ସହିତ ସେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରନ୍ତୁ ବୋଲି କହିବା ସହ, ବହୁ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏ ବାବଦରେ ପତ୍ର ଲେଖାଯାଇଛି ବୋଲି ମତବ୍ୟକ୍ତ କରିଥିଲେ । ଆମ ମହାପୁରୁଷ, ମହାନ ବ୍ୟକ୍ତିମାନେ ସଂଘର୍ଷ କରି ମାତୃଭାଷା ଓ ମାତୃଭୂମି ପାଇଁ ଜୀବନ ଦେଇଥିଲେ । କୌଣସି ପରିପ୍ରେକ୍ଷୀରେ ମା’, ମାଟି, ମାତୃଭାଷା ପ୍ରତି ଅସମ୍ମାନ, ବୈମାତୃକ ମନୋଭାବକୁ ଗ୍ରହଣ ଓ ବରଦାସ୍ତ କରାଯିବ ନାହିଁ । ଓଡ଼ିଶାର ସ୍ୱାର୍ଥରକ୍ଷା ପ୍ରତି ସମସ୍ତେ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଥିଲେ । ଓଡ଼ିଆ ଭାଷାଭାଷୀ ଅଞ୍ଚଳର ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି କହିଥିଲେ । ମହାମଞ୍ଚ ପକ୍ଷରୁ ନାରାୟଣ ଓଝା, ସୀତାଂଶୁ ମହାରଣା, ସାମ୍ବାଦିକ ସୌଭାଗ୍ୟ ରଞ୍ଜନ ମହାନ୍ତି, ବ୍ରଜବନ୍ଧୁ ପରିଡ଼ା, ନାରାୟଣ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


