ଜନସ୍ୱାସ୍ଥ୍ୟ ବିଭାଗର ମନମୁଖୀ ଶାସନ ଯୋଗୁଁ ରାସ୍ତା ପାଲଟିଛି ଖାଲଖମା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ବିଭାଗୀୟ ମଧ୍ୟରେ ସମ୍ମନ୍ୱୟ ଅଭାବ ଯୋଗୁଁ ଭଲ ଥିବା ରାସ୍ତା ଗୁଡିକୁ ପୁଣି ଖୋଳା ଯାଇ ପାଇପ ଲାଇନ ଆଦି ବିଛାଯିବା ପାଇଁ ପୁନଃ ଖୋଳାଯାଉଛି । ଫଳରେ ରାସ୍ତା ନଷ୍ଟ ହେବା ସହ ପୁନଃ ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଟେଣ୍ଡର ଆହ୍ୱାନ କରାଯାଉଛି । କିଛି ବର୍ଷ ପୂର୍ବେ ସହରର ରାସ୍ତାଘାଟ ବହୁ ଦୟନୀୟ ଅବସ୍ଥାରେ ରହିଥିଲା । ବର୍ତ୍ତମାନ ଆସ୍ଥେ ଆସ୍ଥେ ସୁଧୁରିବାକୁ ଆସୁଥିବା ବେଳେ ପୁଣି ଖନନ କରି ଦିଆଯାଉଛି । ଏହି ଖନନ ଦ୍ୱାରା ରାସ୍ତା ଦୁର୍ବଳ ହୋଇ ଭାଙ୍ଗିରୁଜୁ ଯାଉଛି । ତେଣୁ ରାସ୍ତା କାମ ପୂର୍ବରୁ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ରହିଥିଲେ ଏପରି ସମସ୍ୟା ଉପୁଜିନଥାନ୍ତା ବୋଲି ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ କାହାରିକୁ ପଚାରିଲେ ସରକାରୀ ଯୋଜନା ଆସୁଛି ଆମ୍ଭେ କଣ କରିପାରିବୁ ବୋଲି କହି ନିରବୀ ଯାଉଛନ୍ତି । ଯଦିଓ ପୌରପରିଷଦ ଓ ଜନସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବିଭାଗ ମଧ୍ୟରେ ସମ୍ମନ୍ୱୟ ରହିଥାନ୍ତା ତେବେ ସରକାରୀ ଅର୍ଥ ଶ୍ରାଦ୍ଧ ହୋଇ ନ ଥାନ୍ତା ବୋଲି ଅଞ୍ଚଳବାସୀ କହୁଛନ୍ତି । ବର୍ତ୍ତମାନ ସହରର ବିଭିନ୍ନ ସାହି ଯଥା, ବେବର୍ତ୍ତାସାହି, କରଣସାହି, ଶ୍ରୀକରଣସାହି ପ୍ରଭୃତି ସମେତ ବହୁ ସାହି ଗୁଡିକରେ ଏପରି ପାଇପ ଲାଇନ ବିଛାଯିବା ପାଇଁ କାର୍ଯ୍ୟ ଚାଲୁ ରହିଥିବାର ଦେଖିବାକୁ ମିଳୁଛି । ଏହି ସାହି ଗୁଡିକରେ କିଛି ବର୍ଷ ହେଲା ନୂତନ ଭାବେ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା ।


