ଜନ୍‌ଙ୍କ ସିକ୍ସ ପ୍ୟାକ୍‌ ବଡିର ରହସ୍ୟ

ମୁମ୍ବାଇ : ପରଦାରେ ଅଭିନେତା ଜନ୍‌ ଆବ୍ରାହମ୍‌ଙ୍କ ସିକ୍ସ ପ୍ୟାକ୍‌ ବଡି ଦେଖିବା ମାତ୍ରେ ଆଜିର ଯୁବପିଢି ଲୋଭେଇ ଯାଇଥାଆନ୍ତି। ଏଥିପାଇଁ ତାଙ୍କୁ ବେଶ୍‌ କିଛିଟା ପରିଶ୍ରମ କରିବାକୁ ପଡ଼ିଥାଏ। ଜନ୍‌ ଯଦିଓ କମେଡି ଓ ସିରିଅସ୍‌ ରୋଲ୍‌ରେ ନଜର ଆସୁଛନ୍ତି, କିନ୍ତୁ ତାଙ୍କର ଆକ୍ସନ୍‌ ହିରୋବାଲା ଅବତାର ଏବେ ବି ଦର୍ଶକଙ୍କର ଅଧିକ ପସନ୍ଦ। ଏପରିସ୍ଥଳେ ଯଦି ଆପଣ ଜନ୍‌ଙ୍କ ଭଳି ପରଫେକ୍ଟ ବଡି ହାସଲ କରିବାକୁ ଚାହୁଛନ୍ତି, କ’ଣ କରିବାକୁ ପଡ଼ିବ? ସାରା ଦିନ କ’ଣ ଜିମ୍‌ରେ ଝାଳ ବୁହାଇବାକୁ ପଡ଼ିବ କିମ୍ବା ଡାଏଟିଂ କରିବାକୁ ପଡ଼ିବ? ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଜନ୍‌ଙ୍କଠାରୁ ଟିପ୍ସ ନେଇପାରିବେ।
ଜନ୍‌ ସମସ୍ତଙ୍କୁ ଏକ ଉତ୍ତମ ଓ ହେଲ୍‌ଦି ଲାଇଫ୍‌ଷ୍ଟାଇଲ୍‌ ବଞ୍ଚିବା ଲାଗି ପ୍ରୋତ୍ସାହିତ କରିଥାନ୍ତି। ଜନ୍‌ଙ୍କ କହିବାନୁସାରେ ଆପଣ ନିଜ ଡାଏଟ୍‌କୁ କଣ୍ଟ୍ରୋଲ କରିବା ସହିତ ଅନୁଶାସିତ ଜୀବନଶୈଳୀ ଅବଲମ୍ବନ କରିବା ଉଚିତ। ଯାହାଫଳରେ ଆପଣ ବହୁତ ସହଜରେ ସୁସ୍ଥ ଜୀବନ ବଞ୍ଚି ପାରିବେ। ଜନ୍‌ଙ୍କ କହିବାନୁସାରେ ଯଦି ଆପଣଙ୍କ ପାଖରେ ନିୟମିତ ଜିମ୍‌ ଯିବା ଓ ବ୍ୟାୟାମ କରିବାକୁ ସମୟ ନାହିଁ, ତେବେ ଅତିକମ୍‌ରେ ଆପଣ ସ୍ବାସ୍ଥ୍ୟକର ଡାଏଟ୍‌ ନିହାତି ସେବନ କରନ୍ତୁ। ଯାହାଫଳରେ ଶରୀରରେ ଏକ୍ସଟ୍ରା କ୍ୟାଲୋରୀ ଓ ଫ୍ୟାଟ୍‌ ଜମା ହୋଇ ନ ଥାଏ। ଜନ୍‌ କହିଛନ୍ତି ଯେ ଏକ ଫିଟ୍‌ ବଡି ପାଇଁ ୬୦ ପ୍ରତିଶତ ଡାଏଟ୍‌ ଓ କେବଳ ୪୦ ପ୍ରତିଶତ ୱାର୍କଆଉଟ୍‌ କାମ କରିଥାଏ। ତେଣୁ ଡାଏଟ୍‌ ନିହାତି ଦରକାର ବୋଲି ଜନ୍‌ କହିଛନ୍ତି।
ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍‌ ଓ ଫାଇବରରେ ଭରପୂର ଡାଏଟ୍‌ ସେବନ
ଜନ୍‌ଙ୍କ ଡାଏଟ୍‌ରେ ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍‌ ଓ ଫାଇବର ବହୁତ ମାତ୍ରାରେ ସେବନ କରନ୍ତି। ପ୍ରୋଟିନ୍‌ ପାଇଁ ସେ କ୍ଷୀର, ଦହି, ଗଜା ଶସ୍ୟ, ଡାଲି ଓ ସୋୟା ସେବନ କରନ୍ତି। କାର୍ବୋହାଇଡ୍ରେଟ୍‌ ପାଇଁ ଜନ୍‌ ଡାଏଟ୍‌ରେ ଆଳୁ, ଗହମ, ବାଜରା ଭଳି ଶସ୍ୟ ସାମିଲ୍‌ କରନ୍ତି। ସେହିପରି ଫାଇବର ପାଇଁ ସାଲାଡ଼, ସବୁଜ ପନିପରିବା, ସେଓ, କମଳା ଭଳି ଫଳ ସାମିଲ୍‌ କରନ୍ତି। ବ୍ରେକ୍‌ଫାଷ୍ଟରେ ଜନ୍‌ ଏଗ୍‌ ହ୍ବାଇଟ୍‌ସ, ଟୋଷ୍ଟ, ବାଦାମ ଓ ଜୁସ୍‌ ପିଇବାକୁ ପସନ୍ଦ କରନ୍ତି। ସେହିପରି ମଧ୍ୟାହ୍ନ ଭୋଜନରେ ଜନ୍‌ ଘରେ ତିଆରି ସାଦା ଖାଦ୍ୟ, ଡାଲି, ରୁଟି, ତରକାରୀ, ପାଳଙ୍ଗ ଭଳି ଖାଦ୍ୟ ଖାଇଥାନ୍ତି। ରାତ୍ରିଭୋଜନରେ ଜନ୍‌ ସୁପ୍‌, ସାଲାଡ଼ ଓ ତରକାରୀ ଖାଇବାକୁ ପସନ୍ଦ କରନ୍ତି।
ୱାର୍କଆଉଟ୍‌ ସହିତ ଯୋଗ ଓ ମେଡିଟେସନ୍‌
ଜନ୍‌ କହିଛନ୍ତି ସେ ଅନୁଶାସିତ ଜୀବନଶୈଳୀ ଅବଲମ୍ବନ କରନ୍ତି। ସେ ସକାଳୁ ଶୀଘ୍ର ଉଠିଥାନ୍ତି ଓ ସପ୍ତାହର ପ୍ରତ୍ୟେକ ଦିନ ଅଲଗା ଅଲଗା ଅଙ୍ଗ ଉପରେ ଫୋକସ୍‌ କରନ୍ତି। ଏହି କଥା ଉପରେ ଧ୍ୟାନ ରଖି ଜନ୍‌ ଜିମ୍‌ ଯାଇ କୋର୍‌ ଏକ୍ସରସାଇଜ୍‌, ଫଙ୍କସ୍‌ନାଲ, କ୍ରସ୍‌ ଫିଟ୍‌, ଷ୍ଟ୍ରେନ୍‌ଥ ଏକ୍ସରସାଇଜ୍‌ ଉପରେ ଫୋକ୍‌ସ କରନ୍ତି। ନିୟମିତ ୱାର୍କଆଉଟ୍‌ ସହିତ ଜନ୍‌ ସ୍ପୋର୍ଟସ୍‌ ଉପରେ ମଧ୍ୟ ଧ୍ୟାନ ଦିଅନ୍ତି। ଜିମ୍‌ରେ ଓ୍ବାର୍କଆଉଟ୍‌ ସହିତ ଜନ୍‌ ଯୋଗ ଓ ମେଡିଟେସନ୍‌ ମଧ୍ୟ କରିଥାନ୍ତି। ଜନ୍‌ଙ୍କ କହିବା ଅନୁଯାୟୀ ଏହି ସବୁ ଜିନିଷରୁ ଜୀବନରେ ସେଲ୍ଫ କଣ୍ଟ୍ରୋଲ୍ଡ ଓ ବାଲାନ୍ସ ଆସିଥାଏ। ଯାହାଫଳରେ ବଞ୍ଚିବା ସହଜ ହୋଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ