ଜମି ଠକେଇର ଶିକାର ହୋଇଛନ୍ତି ଓଡ଼ିଆ ସୈନିକ

ଭୁବନେଶ୍ୱର, (ୱାଇଏନ୍ଏସ୍): ନିଜ ପରିବାର ତଥା ପିତାମାତାଙ୍କୁ ଛାଡ଼ି, ଜୀବନକୁ ବାଜି ଲଗାଇ ଦେଶକୁ ଶତୃ କବଳରୁ ରକ୍ଷା କରିବା ପାଇଁ ସୈନିକମାନେ ନିୟୋଜିତ ହୋଇଥାନ୍ତି । ପୁଣି ଏହି ସୈନିକମାନେ କେତେବେଳେ ଘଞ୍ଚ ଜଙ୍ଗଲରେ ହିଂସ୍ରଜନ୍ତୁଙ୍କୁ ଖାତିର ନକରି ଦେଶପାଇଁ ଲଢିଥାନ୍ତି ତ ଆଉ କେତେବେଳ ଜନବସତି ଠାରୁ ବହୁ ଦୂରରେ ବରଫାଚ୍ଛନ୍ନ ପାହାଡ଼ ଉପରେ ଶୀତ କାକରକୁ ଖାତିର ନକରି ଦେଶ ପାଇଁ ଲଢେଇ କରିଥାନ୍ତି । ପୁଣି ଏମାନଙ୍କ ମଧ୍ୟରେ ଅନେକ ସୈନିକ ଦେଶପାଇଁ ଲଢି ସହିଦ ହୋଇଥାନ୍ତି । କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ, ଯେଉଁ ସୈନିକମାନେ ଦେଶପାଇଁ ଲଢେଇ କରୁଛନ୍ତି, ଆଜି ସେହିମାନେ ଠକେଇର ଶିକାର ହୋଇଛନ୍ତି ତାହା ପୁଣି ଖୋଦ୍ ନିଜ ବିଭାଗୀୟ ଉଚ୍ଚପଦସ୍ଥ ଅଫିସରଙ୍କ ଦ୍ୱାରା । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନଠାରେ ୫୪୨ଜଣ ସୈନିକ (ସେବାରତ, ସେବାବିରତ) ଓ ସେମାନଙ୍କ ପରିବାର ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରିଥିଲେ । ଏଥିରେ ସେମାନେ ସୈନିକ ୱେଲଫେୟାର ଅର୍ଗାନାଇଜେସନ (ଇଣ୍ଡିଆ)ର ଚେୟାରମ୍ୟାନ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ରାକେଶ ରାନା (କୀର୍ତ୍ତିଚକ୍ର ସମ୍ମାନିତ), ବ୍ରୋକ୍‌ସନ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ ଲିମିଟେଡ଼ର ଏମ୍‌.ଡ଼ି. ପୂର୍ଣ୍ଣଚନ୍ଦ୍ର ପଣ୍ଡା ତଥା ପ୍ରଦୀପ କୁମାର ବାରିକ (ପିଏଲ୍‌ଓ, ଏସ୍‌ଡ଼ବ୍ଲୁଓ, ଇଣ୍ଡିଆ)ଙ୍କ ବିରୁଦ୍ଧରେ ୩୫କୋଟି ଟଙ୍କାର ଜମି ବାବଦରେ ଠକେଇ ବିଷୟରେ ନୀରବ ଶୋଭାଯାତ୍ରା କରିଥିଲେ । ଏହା ମାଷ୍ଟର କ୍ୟାଣ୍ଟିନ ସ୍କୋୟାରୁ ଆରମ୍ଭ ହୋଇ ଅର୍ଥନୈତିକ ଅପରାଧ ଶାଖା, ଓଡ଼ିଶାରେ ସମାପ୍ତ କରାଯାଇଥିଲା । ସେଠାରେ ଅର୍ଥନୈତିକ ଅପରାଧ ଶାଖାର ମୁଖ୍ୟ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଉଲ୍ଲେଖଯୋଗ୍ୟ ଏହିକି ଯେ, ୨୦୧୧ ମସିହାରେ ଏହି ସୈନିକମାନେ ସୁଲଭ ମୂଲ୍ୟରେ ଗିରିଙ୍ଗାପୁଟରେ ଜମି ପାଇବା ଆଶାରେ ୩୫କୋଟି ଟଙ୍କା ପଠଇ କରିଥିଲେ । ହେଲେ ୨୦୧୫ ସୁଦ୍ଧା ଜମିର ପଟ୍ଟା ଏବଂ ପୋଜେସନ ମିଳିନଥିଲା କି ସେ ଜାଗାର ଉନ୍ନତିମୂଳକ କାର୍ଯ୍ୟ ହୋଇନଥିଲା । ବାଧ୍ୟ ହୋଇ ସେମାନେ ଡ଼ିଫେନ୍ସ ଇଣ୍ଟରସିଟି ବାଟିକା ଆସୋସିଏସନ ନାମରେ ସଂଗଠିତ ହୋଇ ୨୦୧୫ମସିହାରେ ଅର୍ଥନୈତିକ ଅପରାଧ ଶାଖାରେ ମକଦ୍ଦମା ରୁଜୁ କରିଥିଲେ ଯାହାର କେସ୍ ନଂ -୧୯/୨୦୧୫ ଏବଂ ଡ଼ିଭା/ପି-୩୫/ଭୁବନେଶ୍ୱର/୨୦୧୫ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାର ତଥା ତିନି ସେନାଧ୍ୟକ୍ଷଙ୍କୁ ଚିଠି ଦେଇଥିଲେ । ୨୦୧୫ ଏବଂ ୨୦୧୬ରେ ଅଭିଯୁକ୍ତମାନେ ଗିରଫ ହୋଇଥିଲେ । ୨୦୧୬ରେ ସ୍ଥାନୀୟ ବିଲ୍‌ଡ଼ର ବ୍ରୋକ୍‌ସନର ଏମ୍‌୍‌ଡ଼ି ପୂର୍ଣ୍ଣଚନ୍ଦ୍ର ପଣ୍ଡା ମାନ୍ୟବର ହାଇକୋର୍ଟରେ ନିଜ ଦୋଷ ସ୍ୱୀକାର କରିଥିଲେ ଏବଂ ୬ ମାସ ମଧ୍ୟରେ ଏସବୁ ଜମିର ସମାଧାନ କରି ସମସ୍ତ ସୈନିକଙ୍କୁ ନିଜ ନିଜର ପ୍ଲଟ ଦେବାକୁ ପ୍ରତିଶ୍ରୁତି ଦେଇ ଚୁକ୍ତିଭିତ୍ତିରେ ବେଲ୍‌ରେ ଆସିଥିଲେ । ଦୁଃଖ ଓ ପରିତାପର ବିଷୟ ଏହିକି ଯେ, ଆଜି ପର୍ଯ୍ୟନ୍ତ ସେ ତାଙ୍କ ପ୍ରତିଶ୍ରୁତି ପୂରଣ ନକରି ମାନ୍ୟବର ହୋଇକୋର୍ଟର ଘୋର ଅବମାନନା କରିଛନ୍ତି । ଏହାଛଡ଼ା ସେ ସ୍ୱାଧୀନ ଭାବରେ ସେ ଜାଗାରେ ଲୋରେଞ୍ଜ ପ୍ରପଟିଜ ନାମରେ ବିଲ୍‌ଡ଼ିଙ୍ଗ ବନାଇ ବିକ୍ରି କରିଚାଲିଛନ୍ତି । ସେହିପରି ରାକେଶ ରାନା ୨୦୨୦ ମସିହାରେ ରକ୍ତ କର୍କଟ ରୋଗ ଓ କୋଭିଡ଼ର ଆଳ ଦେଖାଇ ସୁପ୍ରିମକୋର୍ଟରୁ ବେଲ୍ ପାଇଛନ୍ତି । ଠକେଇର ଶିକାର ହୋଇଥିବା ୫୪୨ଜଣ ସୈନିକମାନଙ୍କର ଦାବିଗୁଡ଼ିକ ମଧ୍ୟରେ (୧) ପ୍ରବଞ୍ôଚତ ଜମି ମାଫିଆଙ୍କୁ ତୁରନ୍ତ ଗିରଫ କରାଯାଉ ଓ ସେମାନଙ୍କର ସମସ୍ତ ସମ୍ପତ୍ତି ଜବତ କରାଯାଉ (୨) ମାନ୍ୟବର ଓଡ଼ିଶା ତଥା ଭାରତ ସରକାର, ଓପିଆଇଡ଼ି କୋର୍ଟ (ଉଚ୍ଚ ନ୍ୟାୟାଳୟ) ତଥା ଇଓଡବ୍ଲୁ, ଓଡ଼ିଶା ଶିଥିଳତା ତ୍ୟାଗ କରି ବିହୀତ ପଦକ୍ଷେପ ନିଅନ୍ତୁ ଓ ସେମାନଙ୍କର ଝାଳବୁହା ଲହୁ ଲୁହାଣ ଶ୍ରମର ନ୍ୟାୟ ଦିଅନ୍ତୁ (୩) ଠକେଇର ଶିକାର ହୋଇଥିବା ସୈନିକମାନଙ୍କୁ ସୁଧ ସହ ସମସ୍ତ ଟଙ୍କା ଫେରସ୍ତ କରନ୍ତୁ ନଚେତ ଜମି ପ୍ରଦାନ କରନ୍ତୁ ବୋଲି ନିବେଦନ କରିଥିଲେ । ‘ବିଳମ୍ବିତ ନ୍ୟାୟର ଅର୍ଥ ନ୍ୟାୟ ନଦେବା’ ଏହି ଉକ୍ତିକୁ ଧ୍ୟାନରେ ରଖି ଯଥାଶୀଘ୍ର ଉପଯୁକ୍ତ ପଦକ୍ଷେପ ନେଲେ ଦେଶର ନ୍ୟାୟ ପ୍ରଣାଳୀ ପ୍ରତି ବିଶ୍ୱାସ ଅତୁଟ ରହିବ ବୋଲି ସୈନିକମାନେ ଆଶା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ