ଜଳ ସେଚନ ବିଭାଗ ଅଜଣାତରେ ଚାଲିଛି କଂକ୍ରିଟ ରାସ୍ତା କାମ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଲକ ଓଷକଣା ପଂଚାୟତସ୍ଥିତ ଦେବୀନଦୀ ବନ୍ଧକୁ ଲଗାଇ ଏକାଧିକ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଛି । ଉକ୍ତ ରାସ୍ତା କିଏ ନିର୍ମାଣ କରୁଛି ଓ ଏହି ରାସ୍ତା ନିର୍ମାଣ ପାଇଁ କେତେ ଅର୍ଥ ବ୍ୟୟ ବରାଦ କରାଯାଇଛି ସେ ବିଷୟରେ କେହି କହି ପାରୁନାହାନ୍ତି । ଏହି ରାସ୍ତା ଗୁଡିକ ଜଳସେଚନ ବିଭାଗର ଜଗତସିଂହପୁର ବିଭାଜନ ଅଲଣାହାଟ ସେକ୍ସନ ଅଧିନରେ ଥିବା ସ୍ଥାନରେ ନିର୍ମାଣ ହେଉଥିବା ଜଣାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କାର୍ଯ୍ୟ ବିଷୟରେ ବିଭାଗୀୟ ଅଧିକାରୀମାନେ ଜାଣି ନଥିବା ମତ ପ୍ରକାଶ କରିଛନ୍ତି । ଜଳସେଚନ ବିଭାଗ ଅଧିନରେ ଥିବା ସ୍ଥାନରେ ବିନା ଏଷ୍ଟିମେଂଟ, ଏଗ୍ରିମେଂଟରେ କିଏ ଓ ଏହି କାର୍ଯ୍ୟ କରୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ କେତେକ ଠିକାଦାର ମନଇଚ୍ଛା ନିମ୍ନମାନର କାର୍ଯ୍ୟ କରି ବିଭାଗରୁ ଅଧିକ ଟଙ୍କା ଖର୍ଚ୍ଚ ଦେଖାଇ ବିଲ କରୁଥିବା ନାମ ଉହ୍ୟ ରଖି ପ୍ରକାଶ କରିଛନ୍ତି । ବିନା ସୂଚନା ଫଳକରେ ନିମ୍ନମାନର କାର୍ଯ୍ୟ କରି ଠିକାଦାର ଓ ଯନ୍ତ୍ରୀ ହାତ ଚିକଣ କରୁଥିବା ସ୍ଥାନୀୟ ଜନସାଧାରଣ ମତବ୍ୟକ୍ତ କରୁଛନ୍ତି । ସେହିପରି ଦେବୀନଦୀରେ ବନ୍ଧରେ ଲୋକମାନେ ଯାତାୟତ କରିବା ପାଇଁ ରାସ୍ତାକୁ ଟେଣ୍ଡର କରା ନଯାଇ ଚିଠା ମାଧ୍ୟମରେ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ଠିକାଦାରଙ୍କୁ କାର୍ଯ୍ୟ କରିବା ପାଇଁ ଦିଆଯାଇଥିବା ଯନ୍ତ୍ରୀ ପ୍ରକାଶ କରିଥିଲେ । ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ବନ୍ଧ ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ତାହା କାର୍ଯ୍ୟରେ ଲାଗିବା ପୂର୍ବରୁ ଅସରାଏ ବର୍ଷାରେ ମାଟି ଧୋଇ ଯାଇଥିବା ଦେଖିବାକୁ ମିଳିଥିଲା । ସେହିପରି କାର୍ଯ୍ୟ ପୂର୍ବରୁ ସୂଚନା ଫଳକ ଲଗାଇବାର ନିୟମ ରହିଥିବା ବେଳେ ସୂଚନା ଫଳକର ଚିହ୍ନବର୍ଣ୍ଣ ନଥିଲା । ବନ୍ଧରେ ମାଟି ଓ ପରେ ମୋରମ ପକାଇବାର ନିୟମ ରହିଥିବା ବେଳେ ଠିକାଦାର ପୂର୍ବରୁ ଥିବା ଘେରି ବନ୍ଧ ଉପରେ କେବଳ ଅଳ୍ପ କିଛି ମାଟି ପକାଇ ବନ୍ଧକୁ ଚାଂଛି ଦେଇଥିବା ଦେଖିବାକୁ ମିଳିଥିଲା । କେବଳ ସେଥି କି ନୁହେଁ ସଂପୃକ୍ତ ଠିକାଦାର ନଦୀ ବନ୍ଧକୁ ସୁରକ୍ଷା ଦେବା ପାଇଁ ବିଭାଗ ପକ୍ଷରୁ ଗାର୍ଡ ୱାଲ ନିର୍ମାଣ କରାଯିବା ବ୍ୟବସ୍ଥା କରାଯାଇଥିଲା ଯେଉଁ ଗାର୍ଡ ୱାଲ ନିର୍ମାଣ ମାଟି ତଳକୁ ୩ ଫୁଟ ଓ ଉପରକୁ ୨ ଫୁଟ ଉଚ୍ଚତା ରହିବାର ନିୟମ ରହିଥିଲା । କିନ୍ତୁ ନିର୍ମାଣ କରାଯାଇଥିବା ଗାର୍ଡ ୱାଲଟି ମାଟି ତଳୁ ପ୍ରାୟ ୩ ଫୁଟ କରାଯାଇଥିବା ବେଳେ ଉପରକୁ ୨ଫୁଟ ଉଚ୍ଚତା କରାଯାଇ ନଥିଲା । କିନ୍ତୁ ସଂପୃକ୍ତ ଠିକାଦାର ବିଲ୍ କରିବା ମସୁଧା ଚଳାଇଥିଲେ । ଯାହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସମ୍ପୂର୍ଣ୍ଣ କାର୍ଯ୍ୟ ନହେବା ପର୍ଯ୍ୟନ୍ତ ବିଲ୍ କରାଯିବ ନାହିଁ ବୋଲି ବିଭାଗୀୟ ଯନ୍ତ୍ରୀ ମତ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟ ପୂର୍ବରୁ ଯେଉଁଭଳି ଭାବେ ଥିଲା ବର୍ତମାନ ଏବେ ସେହିପରି ରହିଛି । ଏହା ସତ୍ୱେ ବି ଠିକାଦାରମାନେ କିପରି ମନଇଚ୍ଛା କାର୍ଯ୍ୟ କରୁଛନ୍ତି ଏବଂ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଯିବା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏବିଷୟରେ ଅଲଣାହାଟ ସେକ୍ସନର ବିଭାଗୀୟ ଯନ୍ତ୍ରୀ ଦେବୀ ମିଶ୍ରଙ୍କୁ ପଚାରିବାରୁ କିଏ କାର୍ଯ୍ୟ କରୁଛି ଓ କି କାର୍ଯ୍ୟ ହେଉଛି ସେ ଖବର ଆମ ପାଖରେ ନାହିଁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ