ଜିନ୍ଦଲ ଷ୍ଟେନଲେସ୍ ଓ ଏସ୍ ସି ଇ ଟି ଇ ଭି ଟି ମଧ୍ୟରେ ଇସ୍ପାତ ଶିଳ୍ପର ଆଗାମୀ ପ୍ରଫେସନାଲଙ୍କ ତାଲିମ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଶା ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପ୍ରତିଷ୍ଠାନ (ଏସ୍ସିଇଟିଇଭିଟି)ସହିତ ଜିନ୍ଦଲ ଷ୍ଟେନଲେସ୍ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଏହି ବୁଝାମଣାପତ୍ର ଅନୁସାରେ, ରାଜ୍ୟର ସମସ୍ତ ପଲିଟେକ୍ନିକ ଗୁଡ଼ିକରେ ଆସନ୍ତା ଜୁନ ୨୦୨୨ ଠାରୁ ଷ୍ଟେନ୍ଲେସ୍ ଷ୍ଟିଲ୍ ଉପରେ ପାଠ୍ୟକ୍ରମ ଆରମ୍ଭ କରାଯିବ । ଏସ୍ ସି ଇଟି ଇ ଭିଟି ପକ୍ଷରୁ ଏହାର ଉପାଧ୍ୟକ୍ଷ, ଶ୍ରୀ ରଘୁ ଜି (ଆଇଏଏସ୍) ଏବଂ ଜିନ୍ଦଲ୍ ଷ୍ଟେନଲେସ୍ ପକ୍ଷରୁ ଏହାର ୟୁନିଟ ପ୍ରମୁଖ, ଶ୍ରୀ ଦୀପକ ଅଗ୍ରୱାଲ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ଏହି ଅବସରରେ ଉପସ୍ଥିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ, ଏସ୍ସିଇଟିଇଭିଟିର ଅଧ୍ୟକ୍ଷ ତଥା ରାଜ୍ୟ ବୈଷୟିକ ଶିକ୍ଷା ବିଭାଗ ଓ ଶିଳ୍ପ ବିଭାଗର ପ୍ରମୁଖ ସଚିବ, ଶ୍ରୀ ହେମନ୍ତ ଶର୍ମା (ଆଇଏଏସ୍), କୌଶଳ ବିକାଶ ଏବଂ ବୈଷୟିକ ଶିକ୍ଷାର ଅତିରିକ୍ତ ସଚିବ ଶ୍ରୀ ତପନ ଶତପଥୀ (ଓଏଏସ୍), ଜିନ୍ଦଲ ଷ୍ଟେନଲେସର ଆବାସିକ ନିର୍ଦ୍ଦେଶକ ଶ୍ରୀ ଏସ୍.ଏସ୍ ଉପାଧ୍ୟାୟ ଏବଂ ମହା ପ୍ରବନ୍ଧକ (ବିକ୍ରି ଏବଂ ବଂଟନ) ଶ୍ରୀ ରନିତ ରାଣା ପ୍ରମୁଖ ଉପସ୍ଥିତ ଥିଲେ । ହି ଅବସରରେ ଏସ୍ସିଇଟିଇଭିଟିର ଅଧ୍ୟକ୍ଷ ତଥା ରାଜ୍ୟ ବୈଷୟିକ ଶିକ୍ଷା ବିଭାଗ ଓ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା କହିଥିଲେ, “ଏହି ସହଯୋଗ ଦ୍ୱାରା ଜିନ୍ଦଲ ଷ୍ଟେନଲେସ୍ ରାଜ୍ୟର ଶିକ୍ଷାର୍ଥୀ ଏବଂ ଅଧ୍ୟାପକଙ୍କ ଜ୍ଞାନ ବୃଦ୍ଧି କରିବ । ଏହା ସେମାନଙ୍କୁ ଇସ୍ପାତ ଶିଳ୍ପ ସଂପର୍କରେ ପ୍ରାୟୋଗିକ ଜ୍ଞାନ ବୃଦ୍ଧିରେ ସହାୟକ ହେବ । ଆମ ଦେଶର ଭବିଷ୍ୟତର ନେତୃତ୍ୱ ଏବଂ ପଥ ପ୍ରଦର୍ଶନକାରୀମାନେ ଦେଶର ନିରନ୍ତର ବିକାଶ ପାଇଁ ଦରକାରୀ ଜ୍ଞାନର ଅଧିକାରୀ ହୋଇପାରିବେ ।” ଇସ୍ପାତ ଶିଳ୍ପ ସଂପର୍କରେ ଜିନ୍ଦଲ ଷ୍ଟେନଲେସର ଆବାସିକ ନିର୍ଦ୍ଦେଶକ ଶ୍ରୀ ଏସ୍.ଏସ୍ ଉପାଧ୍ୟାୟ କହିଥିଲେ ଯେ, “ଘରୋଇ ଇସ୍ପାତ ଶିଳ୍ପ ନିମନ୍ତେ ଏକ ଅନୁକୂଳ ପରିବେଶ ସୃଷ୍ଟି ନିମନ୍ତେ ଆମେ ବଦ୍ଧ ପରିକର । ଏହି ବୁଝାମଣାପତ୍ର ଆଗାମୀ କର୍ମଜୀବୀମାନଙ୍କୁ ଇସ୍ପାତ ଶିଳ୍ପର ଧ୍ୟାନପୂର୍ଣ୍ଣ ବ୍ୟାବହାରିକ ଦିଗ ଓ ପ୍ରୟୋଗ ପ୍ରତି ରାସ୍ତା ପ୍ରସ୍ତୁତ କରିବ । ଜିନ୍ଦଲ୍ ଷ୍ଟେନଲେସରେ ସେହି ଛାତ୍ରମାନଙ୍କୁ ନେବାକୁ ଆମେ ଚେଷ୍ଟା କରିବୁ । ରାଜ୍ୟରେ ଉତ୍ପାଦନ ବିପ୍ଳବ ଆଣିବା ପାଇଁ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାକୁ ଆମେ ପ୍ରଶଂସା କରୁଛୁ ଏବଂ ଏହି ଅଭିବୃଦ୍ଧି ପଥରେ ସେମାନଙ୍କ ଅଂଶୀଦାର ହେବାକୁ ସ୍ଥିର କରିଛୁ ।” ଏହି ବୁଝାପଣାପତ୍ର ଅନୁସାରେ ଦୁଇଟି ମଡ୍ୟୁଲ୍ ରହିବ- ବାଧ୍ୟତାମୂଳକ ଏବଂ ଚୟନମୂଳକ । ଇସ୍ପାତ ଶିଳ୍ପ ଉପରେ ଏକ ଅତିରିକ୍ତ ମେଟାଲର୍ଜି ପାଠ୍ୟକ୍ରମ, ମେକାନିକାଲ ଇଂଜିନିଅରିଂ ଛାତ୍ରଙ୍କ ନିମନ୍ତେ ୫ମ ସେମିଷ୍ଟରରେ ବାଧ୍ୟତାମୂଳ ପାଠ୍ୟକ୍ରମ ଭାବେ ଜୁନ ୨୦୨୨ରୁ ସମସ୍ତ ରାଜ୍ୟର ସମସ୍ତ ସରକାରୀ ପଲିଟେକନିକ୍ ଗୁଡ଼ିକରେ ଆରମ୍ଭ ହେବ । ଏଥିରେ କେବଳ ଇସ୍ପାତ ଉପରେ ୧୦ଟି ସିଦ୍ଧାନ୍ତ ବକ୍ତୃତା ଅନ୍ତର୍ଭୁକ୍ତ ହେବ । ଏହିସବୁ କଲେଜର ଅଧ୍ୟାପକମାନଙ୍କ ନିମନ୍ତେ ଜିନ୍ଦଲ୍ ଷ୍ଟେନଲେସ ‘ତାଲିମକର୍ତା ମାନଙ୍କୁ ତାଲିମ’କାର୍ଯ୍ୟକ୍ରମ ଆୟୋଜିତ କରିବ । ଇଲେକ୍ଟିଭ୍ ମଡ୍ୟୁଲ୍ ୩ କ୍ରେଡ଼ିଟର ପାଠ୍ୟକ୍ରମ ଓ ୪୦ଟି କ୍ଲାସ୍ ଭାବେ ଷଷ୍ଠ ସେମିଷ୍ଟରରୁ ଯାଜପୁର, କେନ୍ଦ୍ରାପଡ଼ା ଓ କଟକର ଭୁବନାନନ୍ଦ ଓଡ଼ିଶା ସ୍କୁଲ୍ ଅଫ୍ ଇଂଜିନିଅରିଂ (ବୋସ୍)ରେ ଆରମ୍ଭ କରାଯିବ । ଛାତ୍ରମାନେ ତାଙ୍କର ୫ମ ସେମିଷ୍ଟର ଶେଷରେ ଏକ ପରୀକ୍ଷା ଉପରାନ୍ତେ ଏହି ଚୟନମୂଳକ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ । ମନୋନୀତ ଛାତ୍ରମାନେ ଯାଜପୁରର ଜିନ୍ଦଲ ଷ୍ଟେନଲେସରେ ୨୦ ଘଣ୍ଟାର ଶିଳ୍ପ ତାଲିମ ଗ୍ରହଣ କରିବେ, ଯେଉଁଠାରେ ସେମାନେ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ କରିବେ । ପାଠ୍ୟକ୍ରମର ସମାପନ ପରେ ସମସ୍ତ ଅଂଶଗ୍ରହଣକାରୀ ଛାତ୍ରମାନେ ସେମାନଙ୍କର ଅନୁଷ୍ଠାନ ଓ ଜିନ୍ଦଲ ଷ୍ଟେନଲେସ୍ ପକ୍ଷରୁ ମିଳିତ ଭାବେ ପ୍ରମାଣପତ୍ର ପାଇବେ । ଛାତ୍ରମାନଙ୍କର କାର୍ଯ୍ୟଦକ୍ଷତା ଉପରେ ଆଧାର କରି କଂପାନୀ ସେମାନଙ୍କୁ ପ୍ରି-ପ୍ଲେସ୍ମେଂଟ ଅଫର (ପିପିଓ) ପ୍ରଦାନ କରିବ ।


